ଦୋଳପୂର୍ଣ୍ଣମୀରେ ପୁରୀରେ ଘଟିଲା ଅଘଟଣ, ସେବାୟତ ସମେତ ଭକ୍ତ ଆହତ

ପୁରୀ -: ଦୋଳପୂର୍ଣ୍ଣମୀରେ ପ୍ରଭୂଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଜମିଥିଲା ଅସମ୍ଭବ ଭିଡ଼ । ଜନସମୁଦ୍ର ପାଲଟିଥିଲା ବଡଦାଣ୍ଡ । ଶୃଙ୍ଖଳିତ ଦର୍ଶନ ପାଇଁ ରହିଛି ଲମ୍ବା ଧାଡିର ବ୍ୟବସ୍ଥା । ଲାଗିଛି ଅନେକ ଚେକ ପୋଷ୍ଟ । ମାତ୍ର ଏହା ସତ୍ତ୍ୱେ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ଲମ୍ବା ଲାଇନ୍ ସାଙ୍ଗକୁ ଅସହ୍ୟ ଖରାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ପରେ ଘଟିଥିଲା ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତି ।

Advertisement
Subscribe Now BNS Bhakti

ଶେଷରେ ବାରିକେଡ ଭାଙ୍ଗି ଧଶେଇ ପଶିଲେ ଶତାଧିକ ଭକ୍ତ । ସିହଂଦ୍ୱାର ସମ୍ମୁଖରେ ସୃଷ୍ଟି ହୋଇଥିଲା ଦଳାଚକଟା ଭଳି ସ୍ଥିତି । ତେବେ ଏହି ଠେଲାପେଲାରେ ତଳେ ପଡିଯାଇଥିବା କିଛି ମହିଳା ଭକ୍ତଙ୍କୁ ଉଦ୍ଧାର ପାଇଁ ଆଗେଇ ଆସିଥିଲେ ଜଣେ ସେବାୟତ । ଭିଡ ଭିତରୁ ଉଠାଇ ଆଣିଥିଲେ ମହିଳାଙ୍କୁ । ବଞ୍ଚି ଯାଇଥିଲା ଜୀବନ । ତେବେ ଏହି ଘଟଣାରେ କିଛି ସେବାୟତ ଓ ଜେଟିପି ଆହତ ହୋଇଛନ୍ତି ।
କୋଭିଡ କଟକଣା ଯୋଗୁ ପ୍ରାୟ ଦୁଇବର୍ଷ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଦେଖିବାରୁ ବଞ୍ଚିତ ହୋଇଥିଲେ ଭକ୍ତ । ସେହିପରି ଦୋଳତ୍ସବରେ ସାମିଲ ହେବା ଉପରେ ମଧ୍ୟ ରହିଥିଲା କଟକଣା । ତେବେ ଏହି କଟକଣା ହଟିବା ପରେ ଆଜି ସୁନାବେଶ ଓ ଦୋଳଉତ୍ସବ ଦେଖିବାରେ ସୁଯୋଗ ପାଇଥିଲେ ଭକ୍ତ ।

ଶ୍ରୀମନ୍ଦିରରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ବ୍ୟବସ୍ଥା ହୋଇନଥିବାରୁ ସୃଷ୍ଟି ହେଲା ଦଳାଚକଟା ଭଳି ପରିସ୍ଥିତି । ଏହାପୂର୍ବରୁ ନାଗାର୍ଜୁନ ବେଶ ହେଉ ଅବା ରଥଯାତ୍ରା । ଶୃଙ୍ଖଳିତ ର୍ଦଶନ ବ୍ୟବସ୍ଥାରେ ବଡ ତ୍ରୁଟି ଯୋଗୁଁ ଦଳାଚକଟାର ରହିଛି ତିକ୍ତ ଅନୁଭୂତି ।
ଏହାପୂର୍ବରୁ ୨୦୧୫ରେ ରଥଯାତ୍ରା ବେଳେ ଦଳାଚକଟାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦ ଜଣ ଆହତ ହୋଇଥିଲେ । ସେହିପରି ୧୯୯୩ ମସିହାରେ ଦଳାଚକଟା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦୦୬ ମସିହାରେ ୪ ଜଣ ପ୍ରାଣ ହରାଇବା ସହ ୩୦ରୁ ଅଧିକ ଆହତ ହୋଇଥିଲେ । ଏବେ ବଡ ପ୍ରଶ୍ନ, କେମିତି ଆଗକୁ ହେବନି ଏପରି ଅଘଟଣ ? ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ତ୍ରୁଟି ସୁଧାରିବ ତ ଶ୍ରୀମନ୍ଦିର ପ୍ରଶାସନ ?

Advertisement

Leave a Reply

Your email address will not be published. Required fields are marked *

error: Content is protected !!