ଯିଏ ମୋର ଗୋଡ଼ କାଟିବାକୁ ଚେଷ୍ଟା କରିବ ମୁଁ ମୁଣ୍ଡ କାଟିବାକୁ ପଛାଇବି ନାହିଁ

କଳାହାଣ୍ଡ(ଜଗୁଲାଲ ମାଝୀ) -:  ଆଗରୁ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା । କିଛିଦିନ ତଳେ ସମାନ ଧରଣର ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ବସନ୍ତ ପଣ୍ଡା । ୩ଜଣ ହେଉଛନ୍ତି କଳାହାଣ୍ଡିର ହେଭିୱେଟ୍ ନେତା ।

Advertisement

ସେମାନେ ମଧ୍ୟ ୩ ପ୍ରମୁଖ ଦଳରୁ ପ୍ରତିନିଧିତ୍ୱ କରୁଛନ୍ତି । ଏବେ ୩ ବରିଷ୍ଠ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାଧାରଣରେ ତର୍ଜମା ଆରମ୍ଭ ହୋଇଛି । କେହିକେହି ପ୍ରଶ୍ନ କରିଛନ୍ତି, କଳାହାଣ୍ଡିର ହେଭିୱେଟ୍ ନେତାମାନେ କ’ଣ ଲକ୍ଷ୍ମଣରେଖା ଡେଉଁଛନ୍ତି କି?’ ୨୦୧୯ ମସିହା ନିର୍ବାଚନ ପୂର୍ବରୁ ବିଜେଡିର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ ସଭାରେ ଜଣେ ଭିନ୍ନକ୍ଷମଙ୍କୁ ଜୀବନରୁ ମାରିବାକୁ ଧମକ ଦେଇ ହରଡ଼ଘଣାରେ ପଡ଼ିଥିଲେ । ଭିନ୍ନକ୍ଷମ ଜଣକ ଯାଦବ ହୋଇଥିବାରୁ କଳାହାଣ୍ଡି ଯାଦବ ମହାସଭା ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍ ଅଫିସ ଆଗରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ସେତେବେଳେ ଏହା କେବଳ ଜିଲ୍ଲାରେ କାହିଁକି, ସାରାରାଜ୍ୟରେ ବି ଚର୍ଚ୍ଚାର ପରିସରକୁ ଆସିଥିଲା । ସେହିଭଳି, ଗତବର୍ଷ ଗୋଲାମୁଣ୍ଡା ବ୍ଲକ୍ ମହାଲିଙ୍ଗଠାରେ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ବି ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଘଟଣାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା ଏବଂ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ସେହି ସମୟରେ ଜୁନାଗଡ଼ର ନୂଆ ବସ୍‌ଷ୍ଟାଣ୍ଡଠାରେ କଂଗ୍ରେସ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସ ଏଥିରେ ଯୋଗ ଦେଇଥିଲେ ।

କିଛି ବିରୋଧୀ ତାଙ୍କୁ ଅଣ୍ଡା ମାରିବାକୁ ସଜବାଜ ହେଉଥିବାନେଇ ଆଭାସ ପାଇବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ ଶ୍ରୀଦାସ । ଏବଂ, ବୋମା ପକାଇ ଉଡ଼ାଇ ଦେବାକୁ ସେ ଧମକ ଦେଇଥିଲେ । ନିକଟରେ ସେହିଭଳି ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ସ୍ଥାନୀୟ ସାଂସଦ ବସନ୍ତ ପଣ୍ଡା । ଚଳିତ ମାସ ୧୦ ତାରିଖର ଘଟଣା । ସେଦିନ ଜୁନାଗଡ଼ ଏନ୍‌ଏସିରେ ପ୍ରଥମ କାଉନସିଲରମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସାଂସଦ ଶ୍ରୀପଣ୍ଡା ଏଥିରେ ଯୋଗଦେଇଥିଲେ । ସାଂସଦଙ୍କୁ ସ୍ୱାଗତ କରିବା ସମୟରେ ବିଜେଡି କାଉନସିଲର ଓ ସାଂସଦଙ୍କ ମଧ୍ୟରେ ଆରମ୍ଭରୁ ହିଁ କଥା କଟାକଟି ହୋଇଥିଲା ।

ପରେ ସଭା ସମୟରେ ସାଂସଦ ଶ୍ରୀ ପଣ୍ଡା ‘ଯିଏ ମୋର ଗୋଡ଼ କାଟିବାକୁ ଚେଷ୍ଟା କରିବ ମୁଁ ମୁଣ୍ଡ କାଟିବାକୁ ପଛାଇବି ନାହିଁ ’ ବୋଲି କହିଥିଲେ । ଏହି କଥା ବିଜୁଳି ବେଗରେ ପ୍ରଚାର ହେବା ସହ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହି ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ତିନି ଦଳର ହେଭିୱେଟ ନେତାମାନଙ୍କ ବିବାଦୀୟ ମନ୍ତବ୍ୟ ଲକ୍ଷ୍ମଣ ରେଖା ଡେଉଁନାହିଁ ତ ବୋଲି ଏବେବି ସାଧାରଣରେ ଚର୍ଚ୍ଚା ଜାରି ରହିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!