ମଣିଷ ସ୍ବାସ୍ଥ୍ୟ ପାଇଁ କେବଳ ଫଳ ନୁହେଁ ସେହି ଫଳର ପତ୍ର ମଧ୍ୟ ବ୍ୟବହାର ହୁଏ। ହୁଏତ ଅନେକ ଲୋକଙ୍କୁ ଏହା ଜଣା ନଥିବ। ଆମ୍ବ ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଆପଣ ଆମ୍ଭ ପତ୍ରର ଉପକାରିତା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଆମ୍ବ ପତ୍ରର ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି। ଆମ୍ବ ସମଗ୍ର ବିଶ୍ୱରେ ସବୁଠାରୁ ଲୋକପ୍ରିୟ ଫଳ। ଆମେ ସମସ୍ତେ ପ୍ରାୟ ଗ୍ରୀଷ୍ମ ଋତୁରେ ଏହି ସୁସ୍ବାଦୁ ଫଳ ଖାଇବାକୁ ଭଲ ପାଆନ୍ତି। ତେବେ କେବଳ ଆମ୍ବ ନୁହେଁ ଆପଣ ଏହାର ଲାଭ ବିଷୟରେ ଜାଣିଲେ ଏହାର ପତ୍ର ମଧ୍ୟ ଖାଇବେ। ଏହି ପତ୍ରଗୁଡିକ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଉପକାର ପାଇଁ ମଧ୍ୟ ବ୍ୟବହୃତ ହୁଏ। ଭିଟାମିନ୍ ଏ, ବି ଏବଂ ସି ରେ ଭରପୂର ଏହି ଆମ୍ବ ପତ୍ର।

ଚର୍ମ ପାଇଁ ଭଲ ଆମ୍ବ ପତ୍ର -:
ଏହା ସମସ୍ତ ଚର୍ମ ସମସ୍ୟାର ସମାଧାନ କରିଥାଏ। ଆମ୍ବ ପତ୍ରରେ ପୋଷକ ତତ୍ତ୍ୱ ଭରପୂର ଥାଏ, ଯାହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହିତ ଚେହେରାକୁ ସତେଜ୍ ରଖେ। ବାର୍ଦ୍ଧକ୍ୟ ଲକ୍ଷଣ ଏବଂ ଚର୍ମ ଶୁଷ୍କତା ହ୍ରାସ କରିବାରେ ଏହା ସାହାଯ୍ୟ କରେ। ପତ୍ରରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଚର୍ମ ଜ୍ୱଳନକୁ ମଧ୍ୟ ଚିକିତ୍ସା କରିପାରେ। ଶୀଘ୍ର ଫଳାଫଳ ପାଇଁ, କିଛି ଆମ୍ବ ପତ୍ର ନେଇ ପୋଡି ଦିଅନ୍ତୁ, ପତ୍ରର ପାଉଁଶକୁ ଚର୍ମ ପଡୁଥିବା ସ୍ଥାନରେ ଲଗାନ୍ତୁ।
ଆପଣଙ୍କ କେଶ ପାଇଁ ଭଲ ଆମ୍ବ ପତ୍ର -:
ଯଦି ଆପଣଙ୍କ କେଶ ନଷ୍ଟ ହେଉଛି କିମ୍ବା କେଶ ବଢ଼ିବାରେ ଡେରି ହେଉଛି, ଆମ୍ବ ପତ୍ରକୁ ଆପଣ ବ୍ଯବହାର କରି ପାରିବେ। ଆମ୍ବ ପତ୍ରରେ ଭିଟାମିନ୍ ଏ ଏବଂ ସି ର ଉପସ୍ଥିତି ଆପଣଙ୍କୁ ସୁସ୍ଥ କେଶ ଯୋଗାଇପାରେ। ଏହା ଆପଣଙ୍କ କେଶ ବଢ଼ାଇବାରେ ସାହାଯ୍ୟ କରିବ। ତେଣୁ ଏହାର ପତ୍ରର ରସକୁ ଆପଣ ନିଜ କେଶରେ ଲଗାଇ ପାରିବେ।
କିଡନୀ ଷ୍ଟୋନ୍ ରୁ ରକ୍ଷା କରିବ ଆମ୍ବ ପତ୍ର -:
ଆମ୍ବ ପତ୍ରକୁ ଖାଇବା ଦ୍ବାରା କିଡନୀ ଷ୍ଟୋନ କମିଥାଏ ଏବଂ ପରିସ୍ରା ମାଧ୍ୟମରେ ଆପଣଙ୍କ ଶରୀରରୁ ଷ୍ଟୋନ ଭାଙ୍ଗି ବାହାରିଯାଏ। ଆପଣ ଏହାର ରସ ମଧ୍ୟ ପିଇ ପାରିବେ।
ସୁଗାର ଲେଭେଲ ନିୟନ୍ତ୍ରଣ କରେ ଆମ୍ବ ପତ୍ର -:
ହେଲ୍ଥ ଲାଇନର ଏକ ରିପୋର୍ଟ ଅନୁଯାୟୀ, ମଧୁମେହ ରୋଗୀଙ୍କ ସୁଗାର ଲେଭେଲ୍ ନିୟନ୍ତ୍ରଣ ପାଇଁ ଆମ୍ବ ପତ୍ର ବହୁତ ଭଲ। ରକ୍ତ ଶର୍କରା ଉପରେ ଏହାର ପ୍ରଭାବ ହେତୁ ଏହା ମଧୁମେହକୁ ନିୟନ୍ତ୍ରଣ କରିପାରିବ ବୋଲି କୁହାଯାଉଛି।
ଗଳା ଯନ୍ତ୍ରଣା କମ୍ କରେ -:
ଆମ୍ବ ପତ୍ର ଗଳା ଯନ୍ତ୍ରଣା ଓ ପେଟ ସମସ୍ୟା କମ୍ କରିବାରେ ସହାୟତା ହୋଇଥାଏ। ତେଣୁ ଏହାର ରସ ଆପଣ ପି ପାରିବେ। କାରଣ ଏହି ଆମ୍ବ ପତ୍ରର ଅନେକ ପ୍ରକାର ଭଲ ଗୁଣ ରହିଛି।