ଆଜି ହେରାପଞ୍ଚମୀ, ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ ଗୋପନରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ

ପୁରୀ -: ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି ନବବିବାହିତ ମହାପ୍ରଭୁ। ସାଙ୍ଗରେ ଭାଇ-ଭଉଣୀଙ୍କୁ ଧରି ଚାଲି ଆସିଥିବାରୁ ବିରହିଣୀ ମା’ ଲକ୍ଷ୍ମୀ ସାଆନ୍ତାଣୀ ଚିନ୍ତାରେ ଅଛନ୍ତି। ଏସମ୍ପର୍କରେ ଲକ୍ଷ୍ମୀ ଠାକୁରାଣୀ ମା’ ବିମଳାଙ୍କ ପାଖରେ ପ୍ରକାଶ କରିବା ପରେ ଗୁଣ୍ଡିଚାବାଡ଼ିକୁ ଗୋପନରେ ଯାତ୍ରା କରିବା ପାଇଁ ପରାମର୍ଶ ମିଳିଛି। ଆଜି (ମଙ୍ଗଳବାର) ହେରାପଞ୍ଚମୀରେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ ଗୋପନରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ। ଏଥିପାଇଁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ଏହି ଖବର ପାଇ ମହାପ୍ରଭୁ ବି ସଜେଇ ହୋଇଛନ୍ତି। ସୋମବାର ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଛି। ସୋମବାର ରାତି ୭ଟାରେ ଦତ୍ତ ‌ପ୍ରବେଶ ନୀତି ପରେ ବନକଲାଗି ନୀତି ସମ୍ପନ୍ନ ହୋଇଛି।

Advertisement

ବଡ଼ଦେଉଳ ସ୍ୱତ୍ତ୍ୱଲିପି ମୁତାବକ ହେରାପଞ୍ଚମୀରେ ଭଣ୍ଡାର ଘରେ ବିଜେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକ ମାଜଣା କରିବେ। ଏହା ପରେ ବନକଲାଗି, ପାଟ ଶାଢ଼ି, ଅଳଙ୍କାର ଆଭୂଷଣ ହୋଇ ପୂଜାପଣ୍ଡା ସେବକ ପନ୍ତି ଭୋଗ କରିବେ। ବଟବୃକ୍ଷ ତଳେ ବିଜେ ବିମାନରେ ବସି ମା’ ବଡ଼ଦାଣ୍ଡ ଦେଇ ଘଣ୍ଟ, ଛତା ପଟୁଆରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସାକ୍ଷାତ କରିବାକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇ ନାକଚଣା ଦ୍ୱାର ନିକଟରେ ଶେଷ ହେବ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଶୁକ୍ରବାର ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ଭିତର ଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ ଓ ତଡ଼ପଲାଗି, ୬ଟାରେ ଅବକାଶ, ୮ଟାରୁ ୧୦ଟା ଭିତରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ଓ ଗୋପାଳବଲ୍ଲଭ, ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ସକାଳଧୂପ, ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଭୋଗମଣ୍ଡପ, ମଧ୍ୟାହ୍ନ ୧୨ଟା ୪୫ରେ ମଇଲମ, ଅପରାହ୍ଣ ସାଢ଼େ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନା, ୨ଟାରେ ଘଣ୍ଟଛତା ସର୍ବାଙ୍ଗ, ସାଢ଼େ ୨ଟାରେ ନୂଆଲୁଗା ଲାଗି ବେଶ, ଅପରାହ୍ନ ୩ଟାରୁ ସାଢ଼େ ୪ଟା ମଧ୍ୟାହ୍ନଧୂପ, ୪ଟାରୁ ସାଢ଼େ ୫ଟା ଦ୍ୱିତୀୟ ଭୋଗମଣ୍ଡପ, ସଂଧ୍ୟା ୬ଟାରେ ମଇଲମ, ସାଢ଼େ ୬ଟାରେ ଶାଢ଼ି ଖଣ୍ଡୁଆ ଲାଗି, ସଂଧ୍ୟା ଆଳତି, ରାତି ୭ଟାରେ ମହାପ୍ରଭୁଙ୍କ ବାଡ଼େ ମହାସ୍ନାନ, ସାଢ଼େ ୭ଟାରେ ତିନି ବାଡ଼େ ଘଣ୍ଟଛତା ସର୍ବାଙ୍ଗ, ରାତି ୮ଟାରେ ନୂଆଲୁଗା ଲାଗି ଓ ଛଅ ମୂର୍ତ୍ତି ଅଳଙ୍କାର ଲାଗି ବେଶ, ସାଢ଼େ ୮ଟାରୁ ୯ଟା ସଂଧ୍ୟାଧୂପ ଡାକିଯିବା, ସଂଧ୍ୟାଧୂପ ଛେକ ଓ ସଂଧ୍ୟାଧୂପ ପୂଜା ନୀତି ପରେ ସାଢ଼େ ୯ଟାରେ ରଥତଳ ନୀତି ସାରି ମା’ ଲକ୍ଷ୍ମୀ ଜଗମୋହନକୁ ବିଜେ କରିବେ। ରାତି ୯ଟା ୩୫ରେ ମା’ ଲକ୍ଷ୍ମୀଙ୍କ ଅଜ୍ଞାମାଳ ଲାଗି ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ଚନ୍ଦନଲାଗି ପରେ ରାତି ୧୨ଟାରେ ବଡ଼ସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ଓ ରାତି ଗୋଟାଏରେ ରାତ୍ର ପହୁଡ଼ ହେବ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!