ନୂଆଦିଲ୍ଲୀ -: ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବୃଦ୍ଧି ପାଉଛି ଏବଂ ଏଥିରେ ଯକୃତ ସ୍ୱାସ୍ଥ୍ୟ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରୁଛି ବୋଲି ଶୁକ୍ରବାର ସରକାର କହିଛନ୍ତି। ଏକ ସରକାରୀ ବିବୃତିରେ କୁହାଯାଇଛି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଣ-ଆଲକୋହଲିକ୍ ଫ୍ୟାଟି ଲିଭର ସମସ୍ୟା (ଏନ୍ଏଏଫ୍ଏଲ୍ଡି)ର ସଂଶୋଧିତ ପରିଚାଳନା ନିର୍ଦ୍ଦେଶାବଳୀ ଓ ପ୍ରଶିକ୍ଷଣ ମଡ୍ୟୁଲ୍ ଜାରି କରିଛି ଯାହାଦ୍ୱାରା ରୋଗୀସେବା ଓ ଏନ୍ଏଏଫ୍ଏଲ୍ଡି ସମ୍ବନ୍ଧୀୟ ଫଳାଫଳରେ ଉନ୍ନତି ଅଣାଯାଇପାରିବ। ସରକାରୀ ବିବୃତି ଅନୁସାରେ, ଏନ୍ଏଏଏଫ୍ଏଲ୍ଡି ଦ୍ରୁତ ଗତିରେ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ଚିନ୍ତା ଭାବରେ ଉଭା ହେଉଛି, ଯାହା ମେଦବହୁଳତା, ମଧୁମେହ ଓ ହୃଦ୍ରୋଗ ଭଳି ମେଟାବୋଲିକ୍ ସମସ୍ୟା ସହିତ ଘନିଷ୍ଠ ଭାବରେ ଜଡିତ। ଏହି ସମସ୍ୟା ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେରୁ ତିନି ଜଣଙ୍କୁ ହୋଇପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି।
ଗାଇଡ୍ଲାଇନ୍ରେ ଜୀବନଶୈଳୀରେ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି ବୋଲି ସେ କହିଛନ୍ତି। ଦେଶରେ ୬୬ ପ୍ରତିଶତ ମୃତ୍ୟୁ ଅଣସଂକ୍ରାମକ ରୋଗ କାରଣରୁ ହୋଇଥାଏ। ବିପଦର ମୁଖ୍ୟ କାରଣ ହେଉଛି ତମାଖୁ ସେବନ, ମଦ୍ୟପାନ, ଖରାପ ଖାଦ୍ୟ ଅଭ୍ୟାସ, ପର୍ଯ୍ୟାପ୍ତ ଶାରୀରିକ କାର୍ଯ୍ୟକଳାପର ଅଭାବ ଓ ବାୟୁ ପ୍ରଦୂଷଣ। ମେଟାବୋଲିକ୍ ସମସ୍ୟାର ଅନ୍ୟତମ ମୁଖ୍ୟ କାରଣ ଯକୃତ ଏବଂ ଅଣ ଆଲକୋହଲିକ୍ ଫ୍ୟାଟି ଲିଭର ସମସ୍ୟା। ଭାରତରେ ଯକୃତ ରୋଗର ଏହା ଏକ ପ୍ରମୁଖ କାରଣ ଯାହାର ପ୍ରାଦୁର୍ଭାବ ୯ରୁ ୩୨ ପ୍ରତିଶତ ମଧ୍ୟରେ ରହିଛି। ବିଶ୍ୱସ୍ତରରେ ଅଣ-ସଂକ୍ରାମକ ରୋଗ (ଏନ୍ସିଡି) ପାଇଁ ଭାରତର ଯୋଗଦାନ ଅଧିକ ଏବଂ ମେଟାବୋଲିକ୍ ରୋଗର ଅନ୍ୟତମ ମୁଖ୍ୟ କାରଣ ଯକୃତ ଖରାପ ହେବା।
ବଢୁଥିବା ସମସ୍ୟାର ସମାଧାନ ପାଇଁ ଭାରତ ପ୍ରଥମ ଦେଶ ଭାବେ ୨୦୨୧ରେ ଏନ୍ସିଡିର ନିରାକରଣ ଓ ନିୟନ୍ତ୍ରଣ ପାଇଁ ଜାତୀୟ କାର୍ଯ୍ୟକ୍ରମରେ ଏନ୍ଏଏଏଫ୍ଏଲ୍ଡିକୁ ସାମିଲ କରିଛି। ଜୀବନଶୈଳୀରେ ପରିବର୍ତ୍ତନ, ବିଶେଷ କରି ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ଶାରୀରିକ କାର୍ଯ୍ୟକଳାପର ଅଭାବ ଯୋଗୁଁ ଭାରତରେ ଫ୍ୟାଟି ଲିଭର ସମସ୍ୟା ବଢିବାରେ ଲାଗିଛି। ଅଣ-ଆଲକୋହଲିକ୍ ଫ୍ୟାଟି ଲିଭର ଡିଜିଜ୍ (ଏନ୍ଏଏଫ୍ଏଲ୍ଡି)ର ସବୁଠାରୁ ସାଧାରଣ ରୂପ ହେଉଛି- ମୋଟାପଣ, ମଧୁମେହ ଓ ମେଟାବୋଲିକ୍ ସମସ୍ୟା, ଯାହା ଭାରତରେ ବୃଦ୍ଧି ପାଉଛି। ଦ୍ରୁତ ସହରୀକରଣ, ଅଧିକ କ୍ୟାଲୋରୀ ଯୁକ୍ତ ଓ ପ୍ରକ୍ରିୟାକୃତ ଖାଦ୍ୟ ଗ୍ରହଣର ବଢୁଥିବା ଅଭ୍ୟାସ ଯୋଗୁ ମଦ୍ୟପାନ ବିନା ମଧ୍ୟ ଅଧିକ ଲୋକ ଫ୍ୟାଟି ଲିଭରରେ ପୀଡ଼ିତ ହେଉଛନ୍ତି। ଟାଇପ୍-୨ ମଧୁମେହ ଓ ଇନସୁଲିନ ପ୍ରତିରୋଧର ବଢୁଥିବା ହାର ମଧ୍ୟ ଫ୍ୟାଟି ଲିଭର ସମସ୍ୟା ବୃଦ୍ଧିରେ ଯୋଗଦାନ ଦେଉଛି। ଏହାର ଚିକିତ୍ସା ନ କଲେ ଯକୃତ ପ୍ରଦାହ, ଫାଇବ୍ରୋସିସ୍ ଓ ସିରୋସିସ୍ ଭଳି ଗମ୍ଭୀର ଜଟିଳତା ବଢ଼ିପାରେ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି।