ନାରୀଶକ୍ତିର ଉପାସକ ‘ଦ୍ରୌପଦୀ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିିିଛି ଗୁରୁତ୍ୱପୁର୍ଣ୍ଣ କଥା

Creat A Revolution

ମୟୂରଭଞ୍ଜ -: ଜାତୀୟ ଓ ରାଜ୍ୟ ରାଜନୀତିର ପରିଚିତ ଆଦିବାସୀ ଚେହେରା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ତାଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆନନ୍ଦର ଲହରି ଖେଳିଯାଇଛି। ୧୯୫୮ ମସିହା ଜୁନ୍‌ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍‌ ଉପରବେଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ। ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ। ଆଦିବାସୀ ସାନ୍ତାଳୀ ପରିବାରରେ ଜନ୍ମ ହୋଇଥିଲେ ବି ତାଙ୍କ ପାଠପଢ଼ା କ୍ଷେତ୍ରରେ ଆଦୌ ଅବହେଳା କରିନଥିଲେ ପରିବାର ଲୋକ। ଛାତ୍ରୀ ଜୀବନରୁ ସେ ବେଶ୍ ନିର୍ଭୀକ ଥିଲେ। ପାଠପଢ଼ା ପରେ କୁସୁମୀ ବ୍ଲକ୍‌ ପାହାଡ଼ପୁର ଗ୍ରାମର ଶ୍ୟାମଚରଣ ମୁର୍ମୁଙ୍କୁ ସେ ବିବାହ କରିଥିଲେ। ରାଜନୀତିରେ ପାଦ ଥାପିବା ଆଗରୁ ସେ ରାଇରଙ୍ଗପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ କିଛି କାଳ ଶିକ୍ଷକତା କରିଥିଲେ। ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଥାପିଥିଲେ।

Advertisement
draupadi murmu could be new president of india presidential election 2022 |  Presidential elections India: द्रौपदी मुर्मू हो सकती हैं देश की नयी  राष्ट्रपति | News Track in Hindi

ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଜୀବନ

ଭାରତୀୟ ଜନତା ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଦ୍ରୌପଦୀ ୧୯୯୬ ମସିହାରେ ରାଇରଙ୍ଗପୁର ଏନ୍‌ଏସିର ୨ ନଂ ୱାର୍ଡ‌ରୁ କାଉନ୍‌ସିଲର୍‌ ଭାବେ ବିଜୟୀ ହୋଇଥିଲେ। ପରେ ବିଜେପି ସମର୍ଥନରେ ଏନ୍‌ଏସି ଉପାଧ୍ୟକ୍ଷା ଆସନରେ ବସିଥିଲେ। ପରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରେ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୨୦୦୦ରୁ ୨୦୦୨ ମସିହା ଯାଏ ବିଜେଡି-ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୦୨ରୁ ୨୦୦୪ ଯାଏ ମତ୍ସ୍ୟ ଓ ପଶୁପାଳନ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ। ସେ ସମୟରେ ରାଜ୍ୟ ବିଜେପିର ଆଗଧାଡ଼ିର ଚେହେରା ଥିଲେ ଦ୍ରୌପଦୀ। ତେବେ ରାଜନୀତିରେ ସଫଳତାର ଶିଖର ଛୁଇଁଥିଲେ ବି ତାଙ୍କ ପାରିବାରିକ ଜୀବନ ବେଶ୍‌ ଦୁଃଖମୟ ଥିଲା। ସ୍ବାମୀ ଓ ୨ ପୁଅଙ୍କୁ ଅସମୟରେ ହରାଇଥିଲେ ଦ୍ରୌପଦୀ। ତଥାପି ସେ ରାଜନୀତି ଛାଡ଼ିନଥିଲେ କି ବିଜେପିରୁ ଦୂରେଇ ନଥିଲେ। କ୍ଷମତା ରାଜନୀତିରୁ ବେଶ୍‌‌ କିଛି ବର୍ଷ ଦୂରେଇ ରହିବା ପରେ ୨୦୧୫ ମସିହା ମେ ୧୮ ତାରିଖରେ ତାଙ୍କୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ପଦରେ ଅଭିଷିକ୍ତ କରିଥିଲା କେନ୍ଦ୍ର ନେତୃତ୍ବାଧୀନ ଏନ୍‌ଡିଏ ସରକାର। ଜଣେ ଆଦିବାସୀ ଚେହେରାଙ୍କୁ ଏତେ ବଡ଼ ସାମ୍ବିଧାନିକ ପଦରେ ବସାଇ ସେତେବେଳେ ସମସ୍ତଙ୍କୁ ଚମ୍‌କାଇ ଦେଇଥିଲା ବିଜେପି। ଏପରିକି ୨୦୨୦ରେ ତାଙ୍କ କାର୍ଯ୍ୟକାଳ ସରୁଥିଲେ ବି ୨୦୨୧, ଜୁଲାଇ ୬ ତାରିଖ ଯାଏ ସେ ରାଜ୍ୟପାଳ ପଦରେ ରହିଥିଲେ।

ଦ୍ରୌପଦୀ ମୁର୍ମୁଙ୍କ ଉଚ୍ଚଶିକ୍ଷା …

ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଉଚ୍ଚଶିକ୍ଷା ଭୁବନେଶ୍ବରରେ ଥିଲା। ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ। ମୟୂରଭଞ୍ଜ ରାଜାଙ୍କ ଦରବାରରେ ରାଜ କର୍ମଚାରୀ ଥିବା ବିରଞ୍ଜି ନାରାୟଣ ଟୁଡୁଙ୍କ ଝିଅ ଦ୍ରୌପଦୀ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାସ୍‌ କରିଥିଲେ। ଏହାପରେ କ’ଣ କରିବେ ସେନେଇ ଚିନ୍ତାରେ ବି ଥିଲେ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିବା ନ୍ୟାୟରେ ତାଙ୍କ ଦାଦା ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ମାଝୀ ସେ‌ତେବେଳେ ମନ୍ତ୍ରୀ ଥିବାରୁ ସେ ତାଙ୍କ ମାର୍ଫତରେ ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଆଦିବାସୀ ଛାତ୍ରୀ ନିବାସରେ ରହି ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ।

ସଫଳତାର ସହ ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ ମଧ୍ୟ କଲେଜରେ ପଢ଼ିବାର ସୁଯୋଗ ପାଇପାରି ନ ଥିଲେ। କାରଣ କଲେଜରେ ପଢ଼ିବାକୁ ଆବେଦନ କରିବା ତାଙ୍କୁ ଜଣା ନ ଥିଲା। ଆଉ ଜାଣିଲା ବେଳକୁ ଆବେଦନର ସମୟ ସୀମା ଶେଷ ହୋଇଯାଇଥାଏ। ତେଣୁ ଗୋଟିଏ ବର୍ଷର ଶିକ୍ଷା ନଷ୍ଟ ହୋଇଗଲା। ପର ବର୍ଷ କିନ୍ତୁ ରମାଦେବୀ ମହିଳା ମହାବିଦ୍ୟାଳୟରେ ପଢ଼ିବାର ସୁଯୋଗ ମିଳିଲା। ଇନ୍ଧିରା ଗାନ୍ଧୀ ଆଦିବାସୀ ଛାତ୍ରୀନିବାସରେ ରହିବା ସହ ମନଧ୍ୟାନ ଦେଇ ପାଠ ପଢ଼ିଲେ। ୪ ବର୍ଷର ଶିକ୍ଷା ମଧ୍ୟରେ ‌କେବେ ଫେଲ୍‌ ହୋଇ ନ ଥିଲେ। ଆଦିବାସୀ ଝିଅ ହୋଇଥିଲେ ମଧ୍ୟ ଠିକ୍‌ କଥାରେ କେବେ ବି ପଛଘୁଞ୍ଚା ଦେଉ ନ ଥିଲେ। ମୁହେଁ ମୁହେଁ ଜବାବ୍‌ ଦେଉଥିଲେ। ସେତେବେଳର ଆଦିବାସୀ ହଷ୍ଟେଲ ମାଟ୍ରନ୍‌ ବ୍ରଜେଶ୍ବରୀ ମିଶ୍ରଙ୍କ ସ୍ନେହ, ଅର୍ଥନୀତି ଅଧ୍ୟାପିକା କାନନ ମଞ୍ଜରୀ ମିଶ୍ରଙ୍କ ପାଠପଢ଼ା ଶୈଳୀକୁ ସେ ସର୍ବଦା ପ୍ରଶଂସା କରିଛନ୍ତି। ହଷ୍ଟେଲ ମେସ୍‌ର ପରିଚାଳନା ଦାୟିତ୍ବରେ ବି ସେ ରହିଥିଲେ।

ପାଠ ପଢ଼ିବା ଲାଗି ତାଙ୍କ ଜୀବନ ଥିଲା ସଂଘର୍ଷମୟ। ବାପା ମାସକୁ ମାତ୍ର ୧୦ ଟଙ୍କା ପଠାଉଥିଲେ। ଶସ୍ତା ଯୁଗରେ ମଧ୍ୟ ସେତିକି ନଗଣ୍ୟ ଥିଲା। ଘୋର ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିଲେ। ସାଙ୍ଗମାନେ ଡାକିଲେ ବି ସେ କଲେଜ କ୍ୟାଣ୍ଟିନ୍‌ ଆଦୌ ଯାଉ ନ ଥିଲେ। କାରଣ ସାଙ୍ଗଙ୍କଠାରୁ ଖାଇବା ସହଜ ଥିଲା। ମାତ୍ର ଖୁଆଇବା ତାଙ୍କ ପକ୍ଷେ ଅସମ୍ଭବ ଥିଲା। ୮ ବର୍ଷ ଧରି ଭୁବନେଶ୍ବରରେ ରହି ପାଠ ପଢ଼ିଥିଲେ ମଧ୍ୟ ବଜାର ବୁଲିବା, ସିନେମା ଦେଖିବା ତାଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଥିଲା। ସେ ସମୟରେ ରବି ଟକିଜ୍‌ ଗୋଟିଏ ମାତ୍ର ସିନେମା ହଲ୍‌ ରହିଥିଲା। ଯେଉଁଠାରେ ସେ କେବଳ ‘ଗପ ହେଲେ ବି ସତ’ ସିନେମା ଦେଖିଥିଲେ।

ବିଏ ପାସ୍‌ କରିବା ପରେ ଅଧିକ ପଢ଼ିବା ଲାଗି ତାଙ୍କ ପାଖରେ ଆଉ ସମ୍ଭବ ନ ଥିଲା। ଏହି ସମୟରେ ସଚିବାଳୟରେ ତାଙ୍କୁ ଚାକିରି ମିଳି ଯାଇଥି‌ଲା। ୧୯୭୯ରେ ସଚିବାଳୟରେ ଚାକିରି ପାଇବାର କିଛି ମାସ ମଧ୍ୟରେ ବିବାହ ହୋଇଥିଲା। ବ୍ୟାଙ୍କ ଅଫିସର ଶ୍ୟାମଚରଣ ମୂର୍ମୁଙ୍କ ସହ ତାଙ୍କର ବିବାହ ପରେ ସେ ଦ୍ରୌପଦୀ ଟୁଡ଼ୁରୁ ମୂର୍ମୁ ହୋଇଗଲେ। ମାତ୍ର ସଚିବାଳୟରେ ବେଶି ଦିନ ଚାକିରି କରିବା ତାଙ୍କ ଭାଗ୍ୟରେ ନ ଥିଲା। ପରିବାରରେ ବିଭିନ୍ନ ସମସ୍ୟା ତାଙ୍କ ଚଲାପଥରେ ପ୍ରତିବନ୍ଧକ ସାଜିଲା। ଯେଉଁଥିପାଇଁ ଚାକିରି ଛାଡ଼ି ବୃଦ୍ଧ ଶାଶୁ, ଶ୍ବଶୁରଙ୍କ ଯତ୍ନ ନେବା ଲାଗି ଭୁବନେଶ୍ବରରୁ ଗାଁରୁ ଫେରିଥିଲେ। ପରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କରିବାର ସୁଯୋଗ ମିଳିଲା ଏବଂ ୧୯୯୪ରୁ ୧୯୯୭ ପର୍ଯ୍ୟନ୍ତ ଚାକିରି କରିଥିଲେ।

ନାରୀଶକ୍ତିର ଉପାସକ ‘ଦ୍ରୌପଦୀ, ଲୋକଙ୍କ ପାଇଁ ଝିଅ ଚିନ୍ତା ଭୁଲିଗଲେ

ନାରୀ ଭିତରେ ଅନେକ ସମ୍ଭାବନା ଭର୍ତ୍ତି ହୋଇରହିଛି। ଚାରାଟିଏ ହେବାପାଇଁ ଯେମିତି ପାଣି, ପବନ ଓ ସୂର୍ଯ୍ୟକିରଣର ଆବଶ୍ୟକତା ରହିଛି; ନାରୀ ଭିତରେ ଥିବା ସମ୍ଭାବନାକୁ ସଫଳତାରେ ରୂପାନ୍ତରିତ କରିବା ପାଇଁ କେବଳ ସୁଯୋଗ ଓ ବିଶ୍ବାସ ଦରକାର ବୋଲି ତାଙ୍କର ମତ। ଆଜି ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ସରକାର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋ‌ଷଣା କରିଛନ୍ତି। ଦ୍ରୌପଦୀ ରାଷ୍ଟ୍ରର ପ୍ରଥମ ନାଗରିକ ହେବାକୁ ଯାଉଥିବା ବେଳେ ନାରୀଶକ୍ତିକୁ ନେଇ ତାଙ୍କର ଅଭିବ୍ୟକ୍ତି ସତେ ଯେମିତି ଚରିତାର୍ଥ ହୋଇଛି।

ବାଟରୁ ହୋଇନାହାନ୍ତି ବିଚ୍ୟୁତ
ବନ୍ଧନମୁକ୍ତ ଜୀବନ ଜିଉଁଥିଲେ ଦ୍ରୌପଦୀ। ଅବେଳରେ ସ୍ବାମୀ ଓ ଦୁଇ ପୁଅଙ୍କୁ ହରାଇ ଗୋଟିଏ ସମୟରେ ସେ ଯେମିତି ନିର୍ବିକାର ହୋଇଯାଇଥିଲେ। ତେବେ ସାଂସାରିକ ମାୟାବନ୍ଧନ ତାଙ୍କ ଉପରେ କିଛି ପ୍ରଭାବ ପକାଇ ପାରିନଥିଲା। ବ୍ୟକ୍ତିଗତ ଓ ପାରିବାରିକ କୋହକୁ ଚାପି ରଖି ସେ ଆଗକୁ ବଢ଼ିଥିଲେ। ସାମାଜିକ ଓ ସାମୂହିକ ଚେତନା ତାଙ୍କୁ ଆଗକୁ ବାଟ କଢ଼ାଇ ନେଇଥିଲା। ଯେଉଁଥିପାଇଁ ଦ୍ରୌପଦୀ ରାଜନୀତିର ବାଟରୁ ବିଚ୍ୟୁତ ହୋଇ ନଥିଲେ। ଜଣେ ସାଧାରଣ କାଉନ୍‌ସିଲରୁ ଝାଡ଼ଖଣ୍ଡ ରାଜଭବନ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଏତେ ସହଜସାଧ୍ୟ ନଥିଲା। ପରିଶ୍ରମ ଓ ନିଷ୍ଠା ଏବେ ତାଙ୍କ ପାଇଁ ନୂଆ ବାଟ ଖୋଲିଛି। ସେ ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

ସରଳ ଜୀବନର ମୂର୍ତ୍ତିମନ୍ତ ପ୍ରତୀକ

ରାଜନୀତିରେ ଅନେକ ଅଭିଜ୍ଞତା ରଖିଥିବା ‌ଦ୍ରୌପଦୀଙ୍କୁ ୨୦୧୫ ମସିହା ମେ ୧୮ ତାରିଖରେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୧ ମସିହା ଜୁଲାଇ ୬ ପର୍ଯ୍ୟନ୍ତ ସେ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ। କାର୍ଯ୍ୟକାଳ ସରିବା ପରେ ଶ୍ରୀମତୀ ମୁର୍ମୁ ୨୦୨୧ ମସିହା ଜୁଲାଇ ୧୨ ତାରିଖରେ ନିଜ ଘର ରାଇରଙ୍ଗପୁର ମହୁଲଡ଼ିହାକୁ ଫେରିଥିଲେ। ସେଠା‌ରେ ସେ ସାନଭାଇ ତରଣୀସେନ ଟୁଡୁ ଓ ଭାଉଜ ସାକ୍ରମଣି ଟୁଡୁଙ୍କ ସହ ସାଧାରଣ ଜୀବନ ଅତିବାହିତ କରୁଥିଲେ। ଏମିତିରେ ସାଧାସିଧା, ସରଳ ଜୀବନ ତାଙ୍କର ପସନ୍ଦ। ରାଜ୍ୟପାଳ ଭଳି ଏତେ ବଡ଼ ସାମ୍ବିଧାନିକ ପଦରେ ଥିଲେ ମଧ୍ୟ ତାଙ୍କ ପାଖରେ ଅହଙ୍କାର କିମ୍ବା କ୍ଷମତା ଲାଳସା କେବେ ଦେଖିବାକୁ ମିଳିନଥିଲା। ଏବେ ବି ସେ ସରଳ ଓ ଶାନ୍ତ ସ୍ବଭାବର ମୂର୍ତ୍ତିମନ୍ତ ପ୍ରତୀକଟିଏ।

ଲୋକଙ୍କ ପାଇଁ ଝିଅ ଚିନ୍ତା ଭୁଲିଗଲେ
ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଅତ୍ୟନ୍ତ ଦୁଃଖଭରା। ସେ ତାଙ୍କ ଦୁଃଖ କଥା କେବେ କହିବାକୁ ଇଚ୍ଛା କରନ୍ତି ନାହିଁ। ସ୍ବାମୀ ଓ ଦୁଇପୁଅଙ୍କୁ ଅକାଳରେ ହରାଇବା ପରେପରେ ସମସ୍ତେ ଭାବିଥିଲେ ତାଙ୍କର ଝିଅ ଇତିଶ୍ରୀଙ୍କ ପ୍ରତି ତାଙ୍କର ଦାୟିତ୍ବବୋଧ ବଢ଼ିଯିବ। ହେଲେ ସେମିତି କିଛି ବି ହେଲାନି। ଝିଅ ପାଇଁ ସେ ଅଟକି ଯାଇ ନ ଥିଲେ। ସବୁ ଦୁଃଖକୁ ଲଂଘିଯାଇ ସେ ଜଣେ ରାଜନେତ୍ରୀ ଭାବେ ସମାଜସେବାକୁ ଆପଣେଇ ନେଲେ। ଝିଅ ବି ତାଙ୍କ ପାଇଁ କେବେ ବାଧା ହୋଇ ନଥିଲେ। ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛନ୍ତି। ଝିଅ ଇତିଶ୍ରୀ ଏବେ ଭୁବନେଶ୍ବରସ୍ଥିତ ୟୁକୋ ବ୍ୟାଙ୍କରେ ଜଣେ ପଦସ୍ଥ ଅଧିକାରୀ। ସେଠାରେ ସ୍ବାମୀ ଓ ପରିବାର ସହ ରହୁଛନ୍ତି।

୧୦ ବର୍ଷ ବ୍ରହ୍ମାକୁମାରୀ ସଂସ୍ଥା ସହ ଜଡ଼ିତ
ଦ୍ରୌପଦୀ ମୁର୍ମୁଙ୍କ ପୁତ୍ର ବିୟୋଗ ଘଟଣା ପରେ ସେ ମାନସିକସ୍ତରରେ କିଛିଟା ବିଚଳିତ ହୋଇ ପଡିଥିଲେ। ଏଭଳି ସ୍ଥିତିରେ ସେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସଂପର୍କରେ ଆସିଥିଲେ। ଏବଂ ନିୟମିତ ରାଜ‌ଯୋଗ ଅଭ୍ୟାସ ଆରମ୍ଭ କରିଥିଲେ। ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ରାଇରଙ୍ଗପୁର ଶାଖାକୁ ସେ ନିୟମିତ ଯାଉଥିଲେ। ମାଉଣ୍ଟ ଆବୁ ଆଶ୍ରମକୁ ଯାଇ ବି ଯୋଗାଭ୍ୟାସ କରିଥିଲେ। ଆଶ୍ରମର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ନିୟମିତ ଯୋଗଦାନ ରହୁଥିଲା। ଏମିତିକି ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ସେ ମାଉଣ୍ଟ ଆବୁ ଆଶ୍ରମକୁ ଦୁଇଥର ଯାଇଥିଲେ। ନିୟମିତ ରାଜ ଯୋଗ ଅଭ୍ୟାସ ଦ୍ବାରା ସେ ମାନସିକ ସ୍ଥିରତା ପାଇଥିଲେ ଏବଂ ଏ ସଂପର୍କରେ ସେ ସାଧାରଣରେ କହିବା ସହ ଅନ୍ୟମାନଙ୍କୁ ‌ରାଜ ଯୋଗାଭ୍ୟାସ ପାଇଁ ପ୍ରେରିତ କରି ଆସୁଥିଲେ। ୧୦ ବର୍ଷରୁ ଅଧିକ ସମୟ ଧରି ଦ୍ରୌପଦୀ ମୁର୍ମୁଙ୍କର ଆଶ୍ରମ ସହ ନିବିଡ଼ ସଂପର୍କ ରହି ଆସିଛି ବୋଲି କହିଛନ୍ତି ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଗଣମାଧ୍ୟମ ‌ଯୋଗାଯୋଗ ଦାୟିତ୍ବରେ ଥିବା ବ୍ରହ୍ମାକୁମାର ନାଥମଲ୍।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights