ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ହରିସରଣପୁର ଗ୍ରାମକୁ ଗତ ସେପ୍ଟେମ୍ବର ୧୯ ତାରିଖରେ ଜଣେ ଫାଇନାନ୍ସ କର୍ମଚାରୀ ଟଙ୍କା ଆଦାୟ କରିବା ପାଇଁ ଆସିବା ସମୟରେ ତାଙ୍କର ବାହାରେ ଥୁଆ ହୋଇଥିବା ବାଇକଟିକୁ କେହି ଦୁର୍ବୁତ୍ତ ଚୋରି କରିନେଇଥିବା କର୍ମଚାରୀ ଜଣକ ତିଗିରିଆ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଆଜି ଉକ୍ତ ଚୋରି ବାଇକଟି ଏକ ପୋଖରୀ ମଧ୍ୟରୁ ଉଦ୍ଧାର ହୋଇଥିବା ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ ଯାଜପୁର ଜିଲ୍ଲା ସଦର ବରୁଆ ଥାନା ଅନ୍ତର୍ଗତ ରିଷିପୁର ଗ୍ରାମର ବାସିନ୍ଦା ଅଭିଳାଷ ପ୍ରଧାନ (୨୩)ଙ୍କ ଅଭିଯୋଗ ଅନୁସାରେ ସେ ଅର୍ଣ୍ଣପୂର୍ଣା ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରନ୍ତି। ଗତ ସେପ୍ଟେମ୍ବର ମାସ ୯ ତାରିଖରେ ସେ ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ହରିସରଣପୁର ଗ୍ରାମକୁ କମ୍ପାନୀ ଟଙ୍କା ଆଦାୟ ପାଇଁ ନିଜ ବାଇକ ନମ୍ବର ଓଡ଼ି୩୪ଏମ୦୬୧୬ ରେ ଯାଇଥିଲେ।ଟଙ୍କା ଆଦାୟ ସାରି ବାହାରକୁ ଆସି ଘର ବାହାରେ ଥିବା ଗାଡିକୁ ଅଭିଳାଷ ଦେଖିବାକୁ ପାଇ ନଥିଲେ। ଉକ୍ତ ଗାଡିକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ କୌଣସି ପତ୍ତା ନ ମିଳିବାରୁ ଶେଷରେ ଚଳିତ ମାସ ୮ ତାରିଖରେ ଅଭିଳାଷ ତିଗିରିଆ ଥାନା ଗାଡି ଚୋରି ନେଇ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ତିଗିରିଆ ଥାନା ଆଇଆଇସି ଶ୍ରୀମତୀ ଜେନା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଆଜି ଉକ୍ତ ଚୋରି ଗାଡିଟି ଗଦାଧରପୁର ପଞ୍ଚାୟତ ସ୍ଥିତ ମାନପୁର ଗ୍ରାମର ଏକ ପୋଖରୀ ମଧ୍ୟରେ ଥିବାର ସ୍ଥାନୀୟ ଜନସାଧାରଣ ଦେଖି ତିଗିରିଆ ପୋଲିସକୁ ସୂଚନା ଦେଇଥିଲେ। ପରେ ଆଇଆଇସି ଶ୍ରୀମତୀ ଜେନାଙ୍କ ନିର୍ଦେଶ କ୍ରମେ ମାମଲାର ତଦନ୍ତ ଅଧିକାରୀ ଏଏସଆଇ ସୁନୀଲ ପାହାଡ଼ ସିଂହ ଉକ୍ତ ଗାଡିକୁ ଉଦ୍ଧାର କରି ତିଗିରିଆ ଥାନାକୁ ଆଣିଥିବା ଜଣାପଡିଛି।
Discover more from bnslive.in
Subscribe to get the latest posts sent to your email.