କଟକ -: ଗଲା ୧୩ ବର୍ଷ ଭିତରେ ରାଜ୍ୟରେ ୧୪ ଜଣ ପୁଲିସ କର୍ମଚାରୀ ଆତ୍ମହତ୍ୟା କଲେଣି। ୩ ଜଣ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ମରଣମୁହଁରୁ ବର୍ତ୍ତି ଯାଇଛନ୍ତି। ଏ ପ୍ରସଙ୍ଗ ଏବେ ରାଜ୍ୟରେ ଉଦ୍ବେଗର କାରଣ ହୋଇଛି। କର୍ମକ୍ଷେତ୍ରରେ ମାନସିକ ଚାପ ବଢ଼ୁଥିବାରୁ କେହି ସର୍ଭିସ୍ ରିଭଲଭର ତ ଆଉ କେହି ଫାଶୀ ଲଗାଇ ଆତ୍ମହତ୍ୟା କରୁଥିବାର ତାଲିକା ବଢ଼ିଚାଲିଛି। ମଡେଲ୍ ପୁଲିସ ଆକ୍ଟ, ୨୦୦୬ ଅନୁଯାୟୀ ପୁଲିସ ୮ ଘଣ୍ଟା ଡ୍ୟୁଟି କରିବା କଥା। କିନ୍ତୁ ଓଡ଼ିଶାରେ ପୁଲିସ କର୍ମଚାରୀ ଧାର୍ଯ୍ୟ ସଂଖ୍ୟାଠାରୁ ବହୁତ କମ୍ ଥିବାରୁ ସେମାନଙ୍କ ଡ୍ୟୁଟି ୧୮ ଘଣ୍ଟା ଛୁଇଁଯାଉଛି। ଘର ପରିବାର ଲୋକଙ୍କ ସହିତ ସମୟ ବିତାଇବାରେ ପୁଲିସ ବଞ୍ଚିତ ହେଉଥିବାରେ ଏଭଳି ସମସ୍ୟା ବଢ଼ୁଥିବା ବିଶେଷଜ୍ଞ ମତ ରଖୁଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ପୁଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ(ବିପିଆର୍ଡି) ଅନୁଯାୟୀ, ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୫୨.୮୦ ପୁଲିସ କର୍ମଚାରୀ ରହିବା କଥା। ଓଡ଼ିଶାରେ ମଞ୍ଜୁରୀପ୍ରାପ୍ତ ପୁଲିସ ପଦବି ସଂଖ୍ୟା ପ୍ରତି ୧ ଲକ୍ଷ ଲୋକରେ ୧୪୭.୭୬ ଥିବାବେଳେ ଅଛନ୍ତି ୧୨୨.୫୯।
ଏମାନଙ୍କ ମଧ୍ୟରୁ ସ୍ବାସ୍ଥ୍ୟଗତ କାରଣରୁ ଛୁଟି କିମ୍ବା ନିଲମ୍ବନ ହେଲେ ଏହି ସଂଖ୍ୟା ଆହୁରି କମିଯାଉଛି। ପରିଣାମ ହେଲା, ପୁଲିସ କର୍ମଚାରୀ ତଦନ୍ତ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ନେଇ ଅଧିକ ଚାପରେ ରହୁଛନ୍ତି। ଏକ ସର୍ଭେ ଅନୁଯାୟୀ, ଓଡ଼ିଶା ହେଉଛି ଭାରତରେ ଏକମାତ୍ର ରାଜ୍ୟ, ଯେଉଁଠି ପୁଲିସ ସର୍ବାଧିକ ୧୮ ଘଣ୍ଟା ଡ୍ୟୁଟି କରିଥାଏ। ଓଡ଼ିଶାରେ ହାରାହାରି ଦୁଇ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ନିୟମିତ ଭାବେ ଅଧିକ ସମୟ କାମ କରନ୍ତି। ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ପୁଲିସ କର୍ମଚାରୀ ୧୬ ଘଣ୍ଟାରୁ ଅଧିକ ଏବଂ ୨୨ ପ୍ରତିଶତ କର୍ମଚାରୀ ଦିନକୁ ୧୩ ଘଣ୍ଟାରୁ ଅଧିକ କାମ କରନ୍ତି। କେବଳ ୪ ପ୍ରତିଶତ ଆଠ ଘଣ୍ଟା କାମ କରନ୍ତି। ମଡେଲ୍ ପୁଲିସ ଆକ୍ଟ ୨୦୦୬ ଦ୍ବାରା ୮ ଘଣ୍ଟିଆ ଡ୍ୟୁଟି ସ୍ଥିର ହୋଇଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲାଗିଛି। ଓଡ଼ିଶା ପଛକୁ ପଞ୍ଜାବରେ ପୁଲିସ ୧୭ ଘଣ୍ଟା ଡ୍ୟୁଟି କରୁଥିବା ବେଳେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ହରିୟାଣା, ହିମାଚଳପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଭଳି ରାଜ୍ୟରେ ପୁଲିସ ୧୬ ଘଣ୍ଟା ଲେଖାଏ ଡ୍ୟୁଟି କରୁଛନ୍ତି। ଏଭଳି କର୍ମକ୍ଷେତ୍ରରେ ଚାପ, ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ସହିତ ଶାରୀରିକ ସ୍ବାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରୁଛି।
ଗଲା ୧୩ ବର୍ଷର ରେକର୍ଡ ଅନୁଯାୟୀ ୨୦୧୧ ଜୁଲାଇ ୬ରେ ମାଲକାନଗିରି ଜିଲ୍ଲାରେ କନଷ୍ଟେବଳ ପ୍ରଦୀପ ଘଡ଼େଇ ସର୍ଭିସ ରିଭଲଭରରେ ଆତ୍ମହତ୍ୟା କରିଥିଲେ। ୨୦୧୩ ଜାନୁଆରି ୨୪ରେ ରାୟଗଡ଼ାର ଏକ ହୋଟେଲରେ ପୁଲିସ ଏଏସ୍ଆଇ ଆର୍.ପି. ସେଠୀ ସର୍ଭିସ ରିଭଲଭରରେ ଆତ୍ମହତ୍ୟା କରିଥିଲେ। ୨୦୧୩ ଜୁନ ୧ରେ ମାଲକାନଗିରି ଜିଲ୍ଲାରେ ଏସ୍ଓଜି ଯବାନ ସୂର୍ଯ୍ୟନାରାୟଣ ସାହୁ କାଲିମେଳାରେ ଏକ କ୍ୟାମ୍ପରେ ସର୍ଭିସ ରିଭଲଭରରେ ଆତ୍ମହତ୍ୟା କରିଥିଲେ। ୨୦୧୪ ମେ ୧୩ରେ କୋରାପୁଟରେ ପୁଲିସ କନଷ୍ଟେବଳ ନରେନ୍ଦ୍ର କାଣ୍ଡପନ୍ ସର୍ଭିସ ରିଭଲଭର ଶ୍ବଶୁରଘରର ୪ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ୨୦୧୫ ନଭେମ୍ବର ୨୬ରେ ବ୍ରହ୍ମପୁର ଏସଡିପିଓ କାର୍ଯ୍ୟାଳୟର ମହିଳା କନଷ୍ଟେବଳ ଅଭାଗିନୀ ନାୟକ ବେକରେ ରଶି ବାନ୍ଧି ଝୁଲିପଡ଼ିଥିଲେ। ୨୦୧୮ ମାର୍ଚ୍ଚ ୨୯ରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା ବିଏସ୍ଏଫ୍ କ୍ୟାମ୍ପରେ ଯବାନ ପଙ୍କଜ କୁମାର ସର୍ଭିସ ରିଭଲଭରରେ ଆତ୍ମହତ୍ୟା କରିଥିଲେ। ୨୦୨୧ ଅଗଷ୍ଟ ୨୮ରେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା କନଷ୍ଟେବଳ ଯାଜ୍ଞସେନୀ ବେହେରା ଝୁଲି ପଡ଼ି ଆତ୍ମହତ୍ୟା କରିଥିଲେ। ୨୦୨୧ ଅଗଷ୍ଟ ୩୦ ରେ ଯାଜ୍ଞସେନୀଙ୍କ ସ୍ବାମୀ ତଥା ପୁଲିସ କନଷ୍ଟେବଳ ଟି. ଜନାର୍ଦ୍ଦନ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ୨୦୨୨ ଫେବ୍ରୁଆରି ୧୫ରେ ଅନୁଗୁଳ ଜିଲ୍ଲା କଣିହାଁର ଅବସରପ୍ରାପ୍ତ ପୁଲିସ ଅଧିକାରୀ ବିରଞ୍ଚି ପ୍ରଧାନ ଆତ୍ମହତ୍ୟା କରିଥିଲେ। ୨୦୨୨ ମାର୍ଚ୍ଚ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗ ମାନସିକ ଚାପ ଯୋଗୁଁ ନିଜ ସର୍ଭିସ ରିଭଲଭରରେ ଆତ୍ମହତ୍ୟା କରିଥିଲେ। ୨୦୨୨ ଅଗଷ୍ଟ ୨୭ ତାରିଖରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ଏସଆଇ ସ୍ବାଗତିକା ବେହେରା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ଉପରିସ୍ଥ ଅଧିକାରୀଙ୍କ ଅସଦାଚରଣ ଓ ମାନସିକ ଚାପରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିଥିଲେ।
୨୦୨୩ ଏପ୍ରିଲ ୬ରେ ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମ୍ଭି-୪୨ ଗାଁରେ ପୁଲିସ ରିଜର୍ଭରେ କାର୍ଯ୍ୟରତ କନଷ୍ଟେବଳ ସୁଶାନ୍ତ ହାଲଦାର ଆତ୍ମହତ୍ୟା କରଥିଲେ। ୨୦୨୩ ଏପ୍ରିଲ ୨୦ରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଧାନମଣ୍ଡଳରୁ ସିଆରପିଏଫ୍ ଯବାନ ସୂର୍ଯ୍ୟକାନ୍ତ କୁଅଁରଙ୍କ ଶବ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଜଗତସିଂହପୁର ଜିଲ୍ଲା ଏରସମାର ସୂର୍ଯ୍ୟକାନ୍ତ ଏପ୍ରିଲ ୧୭ରୁ ନିଖୋଜ ଥିଲେ। ୨୦୨୩ ଏପ୍ରିଲ ୨୫ରେ ରାୟଗଡ଼ା ଜିଲ୍ଲା ୪ର୍ଥ ବାଟାଲିୟନରେ କାର୍ଯ୍ୟରତ ସିଆର୍ପିଏଫ୍ ଅଫିସର ବିହାରର ସୁନିଲ କୁମାର ସର୍ଭିସ ରିଭଲଭରରେ ଆତ୍ମହତ୍ୟା କରିଥିଲେ। ୨୦୨୩ ଜୁଲାଇ ୨୬ରେ କୋରାପୁଟ ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟର ଡେପୁଟି ସୁବେଦାର(ଏସ୍ଆଇ ପାହ୍ୟା) ନରେନ୍ଦ୍ର ବିଶ୍ବାଳ ଏକେ-୪୭ରେ ନିଜ ମୁଣ୍ଡକୁ ଗୁଳି ମାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ୨୦୨୩ ଅଗଷ୍ଟ ୪ରେ ମହିଳା ହୋମ୍ଗାର୍ଡ ସୈରିନ୍ଧ୍ରୀ ସାହୁ ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଦୁର୍ଘଟଣାରେ ସେ ତାଙ୍କ ଦୁଇ ଗୋଡ଼ ହରାଇଥିଲେ। ତତ୍କାଳୀନ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀ ଆୟୁଷୀ ରାୟ ଶ୍ରୀମତୀ ସାହୁଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହିତ ଛୁଟିରେ ଛାଡ଼ୁ ନଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ବୟାନ ଦେଇଥିଲେ। କଟକ ଓଏସ୍ଏପି ଷଷ୍ଠ ବାଟାଲିୟନରେ ୩୧ ତାରିଖରେ ହାବିଲଦାର ତ୍ରିଲୋଚନ ସେଠୀ ବେକରେ ଟାଵେଲ୍ ଗୁଡ଼ାଇ ପଙ୍ଖାରୁ ଓହଳି ଆତ୍ମହତ୍ୟା କରିଛନ୍ତି।
ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକଙ୍କ କହିବା ଅନୁଯାୟୀ, କୌଣସି ପର୍ବପର୍ବାଣିରେ ପୁଲିସକୁ ଛୁଟି ନାହିଁ। ସେମାନେ ସେହି ସମୟରେ ଡ୍ୟୁଟି କରନ୍ତି। ଛୁଟି ନମିଳିବାରୁ ପରିବାର ସହିତ ସେମାନେ ସମୟ କାଟିପାରୁନାହାନ୍ତି। ମାନିସକ ଚାପରେ ରହୁଛନ୍ତି। ମାନସିକ ପରୀକ୍ଷା ନିୟମିତ ପୁଲିସରେ ହେବା କଥା। ଯେଉଁମାନଙ୍କ ମାନସିକ ଦୁର୍ବଳତା ରହୁଛି, ସେମାନଙ୍କୁ ପୁଲିସରେ ନେବା କଥା ନୁହେଁ। କର୍ମଚାରୀ ଅଭାବ ଥିବାରୁ କାର୍ଯ୍ୟରତ ପୁଲିସ କର୍ମଚାରୀମାନେ ଅତ୍ୟଧିକ ଚାପରେ ରହୁଥିବା ଶ୍ରୀ ମାରିକ ସୂଚନା ଦେଇଛନ୍ତି।