ଶରତ ଆକାଶରେ ଏମୁଣ୍ଡରୁ ସେମୁଣ୍ଡ ଯାଏ କୋଟି କୋଟି ତାରା ଗୋଟିଏ ଧାଡିରେ ଖାଲି ଶୋଭା ପାଉ ଥାଆନ୍ତି । ସତେ ଯେପରି ଆକାଶରେ ଦୁଧର ନଈଟିଏ ବହିଯାଉଛି । ସେଇଠାରେ ନଈର ଦୁଇ କୂଳରେ ଠିଆ ହେଲା ପରି ଦୁଇଟି ଉଜ୍ଜ୍ୱଳ ତାରା ଦେଖା ଯାଆନ୍ତି । ଗୋଟିଏ ଖୁବ୍ ଧଳା ରଙ୍ଗର, ଆରଟି କିଂଚିତ୍ ମାଟିଆ । ଚୀନ ଦେଶରେ ଏହି ଦୁଇ ତାରାଙ୍କ ବିଷୟରେ ଚମତ୍କାର କଥାଟିଏ ପ୍ରଚଳିତ ଅଛି । ସେ ଅନେକ ଦିନ ତଳର କଥା । ଆକାଶର ଏହି ଛାୟା ପଥ ଆରପଟେ ହେଉଛି ପରୀ ରାଇଜ । ଏଇ ପରୀ ରାଇଜରେ ଜଣେ ରାଜା ଶାସନ କରୁଥାଆନ୍ତି । ସେ ଥିଲେ ବଡ ସଉକିଆ ମିଞ୍ଜାସର ଲୋକ । ସବୁଦିନ ଭଲ ପୋଷାକ ପିନ୍ଧିବା ପାଇଁ ତାଙ୍କର ଭାରି ମନ । ତାଙ୍କ ପାଖରେ ଜଣେ ପରୀ ଥାଏ ଯେ କି ପ୍ରତିଦିନ ନୂଆ କିସମର ପୋଷାକ ତିଆରି କରି ରାଜାଙ୍କୁ ଯୋଗାଉ ଥାଏ । ରାଜା ମଧ୍ୟ ସେ ପରୀଟିର ହାତବୁଣା ପୋଷାକ ପାଇ ଅତ୍ୟନ୍ତ ସୁଖୀ ଥାଆନ୍ତି ।
ଦିନେ ତାଙ୍କର ମନରେ ଖିଆଲ ହେଲା ଯେ, ସେ ଏହି ପରୀଟିକୁ କିଛି ପୁରସ୍କାର ଦେବେ । ତେଣୁ ସେ ତାଙ୍କର ପରୀ ରାଣୀଙ୍କୁ ତୁରନ୍ତ ଡକାଇ ପଠାଇଲେ । ଖବର ପାଇ ସେ ପରୀରାଣୀ ବି ସଙ୍ଗେ ସଙ୍ଗେ ଆସି ରାଜାଙ୍କ ପାଖରେ ହାଜର୍ । ରାଜା ପଚାରିଲେ, “ରାଣୀ, ତୁମେ କହ, କଣ ଏଇ ଝିଅଟିକୁ ଆମେ ପୁରସ୍କାର ଦେବା । କାହିଁକିନା ତାରି ହାତବୁଣା ପୋଷାକ ପିନ୍ଧି ମୁଁ ଅତ୍ୟନ୍ତ ସୁଖୀ ହୋଇଛି ।” ରାଣୀ ଏପରି ଏକ କଥା ଶୁଣି ବହୁତ ବଡ ସମସ୍ୟାରେ ପଡିଲେ । ପୁରସ୍କାରଟି ରାଜାଙ୍କ ମନଲାଖି ନ ହେଲେ ଜାଣ ଭାରି ବିପଦ । ସେ ରାଜା ତ ଭାରି ଖିଆଲି ଲୋକ । କେତେବେଳେ ସେ କଣ ଆଦେଶ ଦେଇଦେବେ । ରାଣୀଙ୍କର ଉତ୍ତର ଦେବାରେ ବିଳମ୍ବ ହେଉଥିବାରୁ ସେ ରାଜା ଜଣକ ଖାଲି ଅତିଶୟ ବ୍ୟସ୍ତ ହୋଇ ପଡୁଥାଆନ୍ତି । ଏହି ସମୟରେ ହଠାତ୍ ସେ ରାଣୀ କହିଲେ – “ମହାରାଜ ! ଆମ ସ୍ୱର୍ଗରେ ଅବା କେଉଁ ଜିନିଷର ଅଭାବ ଅଛି ଯେ ଆମେ ସେ ପରୀ ଝିଅଟିକୁ କିଛି ଉପହାର ଦେଇ ତାକୁ ସୁଖୀ କରିପାରିବା । ମୋ ବିଚାରରେ ତାକୁ କିଛି ଦିନ ପାଇଁ ପୃଥିବୀକୁ ପଠାଇ ଦିଆଯାଉ । ସେ ସେଠାରେ କିଛି ଦିନର ଛୁଟି ବିତାଇ ପୁଣି ସ୍ୱର୍ଗକୁ ଫେରି ଆସିବ ।”
ସେ ପରୀରାଣୀଙ୍କ ଏପରି କଥା ରାଜାଙ୍କ ମନକୁ ବେଶ୍ ପାଇଲା । ତେଣୁ ସେ ରାଜା ତାଙ୍କ ରାଣୀଙ୍କୁ ଆଦେଶ ଦେଲେ – “ଦେଖ ରାଣୀ, ମୋ ପରୀ ଝିଅର ଯେପରି କୌଣସି ବି ଅସୁବିଧା ନ ହୁଏ । ସେ ସେଠାରେ ଭଲ ସାଥୀଟିଏ ଯେପରି ପାଏ, ଦିନଗୁଡାକ ତାର ସୁଖରେ ବିତାଇ ଦେବାପାଇଁ ।” ତେଣୁ ସେ ପରୀରାଣୀ ତାଙ୍କର ଜଣେ ପ୍ରିୟ ସଖୀକୁ ପୃଥିବୀକୁ ଆଗତୁରା ପଠାଇଦେଲେ । ପୃଥିବୀରେ ସେ ପରୀରାଣୀଙ୍କ ସଖୀଟି ଟିଏ ଗାଈ ରୂପରେ ଜଣେ ଚାଷୀ ପରିବାରରେ ଆଶ୍ରୟ ନେଇଥାଏ ।
ଚାଷୀ ପରିବାର କହିଲେ ଦୁଇଟି ଭାଇ । ବଡଭାଇଟି ବାହା ହୋଇଥାଏ । ତାଙ୍କର ସାମାନ୍ୟ କିଛି ଚାଷଜମି । ସେହି ଜମିରେ ଏ ଦୁଇଭାଇ ଦିନରାତି ଖୁବ୍ କାମ କରନ୍ତି । ଭାଉଜ ମଧ୍ୟ ସେମାନଙ୍କୁ ଏସବୁଥିରେ ସାହାଯ୍ୟ କରୁଥାଏ । ପରିବାରରେ ଚଳିବା ମୁତାବକ ସେ ପରୀ ଗାଈଟି ଦୁଧ ଦେଉଥାଏ । ଏଇମିତି ସେମାନେ ହସ ଖୁସିରେ ଚଳି ଯାଉଥାନ୍ତି । ସେ ଦୁଇ ଭାଇଙ୍କର ଭାରୀ ମନ ମିଳେ । ବଡଭାଇ ବି ତା ସାନଭାଇକୁ ଅତ୍ୟନ୍ତ ସ୍ନେହ କରୁଥାଏ । କିନ୍ତୁ ଭାଉଜଟା ଟିକିଏ ହିଂସକୁଡି । ସେ ତାର ଦିଅରଟାକୁ ମନେ ମନେ ମୋଟେ ସହିପାରେ ନାହିଁ । କାରଣ ସେ ଠିକ୍ ଜାଣିଥାଏ ଯେ, ଦିନେ ନା ଦିନେ ଏଇ ସବୁ ସମ୍ପତ୍ତି ଦୁଇଭାଇଙ୍କ ଭିତରେ ବଂଟୁରା ହେବ । ଦିଅର କାଳେ ତା ଭାଗ ନେଇଯିବ ଏଇ କଥାଟି ଯେପରି ସେ ଭାଉଜ ଆଦୌ ସହି ପାରୁ ନଥାଏ । ଭାଉଜର ଗୋଟିଏ ପୋଷା କୁକୁର ଥାଏ । ସେ ଭାଉଜ ଜଣକ ତାଙ୍କ କୁକୁରକୁ ଯେତିକି ଆଦରଯତ୍ନ କରି ଖାଇବାକୁ ଦିଏ, ଦିଅରକୁ କିମ୍ବା ସେ ପୋଷା ପରୀଗାଈଟିକୁ ସେପରି ସେ ମୋଟେ ଦିଏ ନାହିଁ । ଓଲଟି ସେ ପୋଷା କୁକୁରଟା ସବୁବେଳେ ଗାଈଟାକୁ କାମୁଡି ଗୋଡାଉଥାଏ । ତେଣୁ ସେ ଗାଈଟି ଅତ୍ୟନ୍ତ ଦୁଃଖରେ ଥାଏ ।
ଦିନକର କଥା । ବଡଭାଇ କିଛି କାମରେ ଆଠଦିନ ପାଇଁ ଟିକେ ସହରକୁ ଚାଲିଗଲା । ଭାଉଜ ତ ଏମିତି ଗୋଟିଏ ସୁଯୋଗକୁ ଖୋଜୁଥିଲା । ସେ ବିଚାରିଲା ଏଇ ମଉକାରେ ମୁଁ ଉପାୟଟାଏ କରିଦେବି ଯେ ଆଉ ତାର ଜମିତକ କେବେବି ଭାଗବଂଟୁରା ହେବନାହିଁ । ତେଣୁ ସେ ଭାଉଜ ଯାଇ ପାହାଡ ତଳୁ ବିଷମଞ୍ଜି ତୋଳି ଆଣିଲା । ତାକୁ ବାଟି ସେ ପିଠା ତିଆରି କଲା । ଦିଅର ଯେତେବେଳେ ତା ବିଲରୁ କାମ କରି ଫେରି ଆସିଲା, ସେତେବେଳେ ଭାଉଜ ସେହି ପିଠାତକ ଦିଅର ପାଇଁ ବାଢି ଦେଲା । ଦିଅର ବି କାହିଁକି ଏତେ ଛନ୍ଦକପଟ ଜାଣିବ । ତହୁଁ ସେ ଦିଅର ପିଠାତକ ହାତରେ ଧରି ବାରିଆଡେ ଚାଲିଲା ପିଣ୍ଡାରେ ବସି ଖାଇବ ବୋଲି । ପିଣ୍ଡା ତଳକୁ ତ ସେ ପରୀଗାଈଟି ବନ୍ଧା ହୋଇଥାଏ । କାଳେ କିଛି ଗୋଳମାଳ ହୋଇପାରେ ଭାବି ସେ ଭାଉଜ ପାଣି ଆଣିବା ବାହାନାରେ ନଈ କୂଳକୁ ଚାଲିଗଲା ।
ସେ ସାନଭାଇଟି ତ ପରୀଗାଈଟିକୁ ଭାରୀ ଭଲ ପାଉଥାଏ । ତେଣୁ ସାନଭାଇ ଗାଈକୁ ଆଦର କରି ପିଠାଟିଏ ଖାଇବାକୁ ଦେବାରୁ ସେ ଗାଈଟି ଅବିକଳ ମଣିଷ ପରି କଥା କହିଲା, “ମୋ କଥା ମାନି ତୁମେ ଏ ପିଠା ଯମା ଖାଅନାହିଁ ।”ଗାଈଟି ମଣିଷ ପରି କଥା କହୁଛି ଶୁଣି ସାନଭାଇଟି ପ୍ରଥମେ ଟିକେ ଚମକି ପଡିଲା । ଭାବିଲା ଏ କି ଆଶ୍ଚର୍ଯ୍ୟ କଥା । ଗାଈଟା ପୁଣି ଥା କହୁଛି ମାତ୍ର ତାର ତ ଆଉ କିଛିବି ସନ୍ଦେହ ନାହିଁ । ତେଣୁ ସାନଭାଇଟି ଓଲଟି ପଚାରିଲା, “ତେବେ ଏ ପିଠା ମୁଁ କ’ଣ କରିବି? ନ ଖାଇଲେ ତ ଭାଉଜ ମୋର ବିରକ୍ତ ହେବ ।”
ତାପରେ ଗାଈ କହିଲା, “ସେ ପିଠାତକ ତମେ ତମ ଭାଉଜର କୁକୁରଟାକୁ ଦେଇଦିଅ ।” ଗାଈଟିର କଥାମାନି ସାନଭାଇ କୁକୁର ଆଗରେ ପିଠାତକ ଅଜାଡି ଦେଲା । କୁକୁର ଯେମିତି ସେ ପିଠାତକ ଖାଇଦେଇଛି ସେହିକ୍ଷଣି ସେ ସେଇଠି ହିଁ ମରି ଶୋଇଲା । ନଈ କୂଳରୁ ଭାଉଜ ଫେରି ଆସି ଦେଖିଲା ଯେ, ତା ଦିଅର ବଦଳରେ ତାରି ପୋଷା କୁକୁରଟି ମରିଯାଇଛି । ଠିକ୍ ଏହି ସମୟରେ ବଡଭାଇ ମଧ୍ୟ ସହରରୁ ଫେରି ଆସିଲା । ତାପରେ ସେ ସାନଭାଇ ତା ଭାଉଜର ସମସ୍ତ କାର୍ଯ୍ୟ ନିଜ ଭାଇ ଆଗରେ ବର୍ଣ୍ଣନା କଲା । ଯେଉଁ ଘରେ ତାର ଜୀବନ ନିରାପଦ ନୁହେଁ, ସେଠାରେ ସେ ଆଦୌ ରହି ପାରିବ ନାହିଁ ବୋଲି ମଧ୍ୟ କହିଲା । ପରିଶେଷରେ ତା’ ଭାଗ ଜମିତକ ଅଲଗା କରିଦେଲେ ସେ ଯାଇ ଅଲଗା ରହିବ ବୋଲି ସଫା ସଫା ତା ଭାଇକୁ ଶୁଣାଇଦେଲା । ଏପରି କଥା ଶୁଣି ବଡଭାଇ ଓ ବଡଭାଉଜ ଖାଲି ରାଗରେ ପାଚିଗଲେ । ତହୁଁ ସେ ଦୁହେଁ କହିଲେ, “ତୋତେ ଜମିରୁ ଏକ ଛଦାମ ବି ମିଳିବ ନାହିଁ । ତୋତେ ଆଜିଯାଏଁ ମୁଁ ମଣିଷ କରିଆଣିଲି । ଆହୁରି ପୁଣି ତୁ ଜମିରୁ ଭାଗ ଖୋଜୁଛୁ?
ଭାଉଜ କହିଲେ, “ଯଦି ଅଲଗା ହେବାକୁ ଏତେ ଇଚ୍ଛା, ତେବେ ତୁ ତୋ ଗାଈଟାକୁ ନେଇ ଏଠାରୁ ବାହାରି ଯାଆ ।”
ଏବେ ସେ ସାନଭାଇ ଆଉ କ’ଣ କରିବ । ନିଜ କର୍ମ ଆଦରି ପରୀଗାଈଟିକୁ ପଘାରେ ବାନ୍ଧି ଗାଁ ପାରି ହୋଇ ଚାଲିଲା । ବାଟରେ କେତେ ନଈ ପଡିଲା । କେତେ ଗାଁ ଅତିକ୍ରମ କରି ସେ ସାନଭାଇ ଯାଇ ପହଁଚିଲା ଗୋଟିଏ ବଣ ଆରପଟ ପାହାଡ ତଳେ । ସେଇଠି ସେ ଗଛମୂଳେ ବସି ମନେ ମନେ ଭାବିଲା ଏଇଠି ଘରଟିଏ କରି ରହିଲେ ଭାରି ବଢିଆ ହୁଅନ୍ତା । ପରୀଗାଈଟି ଏସବୁ ଶୁଣି ସାଙ୍ଗେ ସାଙ୍ଗେ ବଡ ଘରଟିଏ ସେଠାରେ ତିଆରି କରିଦେଲା । ସାନଭାଇ ପୁଣି କହିଲା – ବଳଦ, ହଳ ଆଉ ଚାଷ ସରଞ୍ଜାମ ହେଲେ ସେ ସେଠାରେ ଚାଷକାମ ବି ଆରମ୍ଭ କରିଦିଅନ୍ତା । ଚାହୁଁ ଚାହୁଁ ସେ ସବୁ ମଧ୍ୟ ପରୀଗାଈ ସାନଭାଇଟିକୁ ଯୋଗାଇଦେଲା ।
ଏଇମିତି କିଛିଦିନ ଚାଲିଗଲା । ତଳିଆ ଜମିରେ କେତେ ରକମର ଫସଲ ଆଦାୟ ହେଲା । ପରୀଗାଈଟି ସେ ସାନଭାଇର ଘରକଥା ସବୁ ବୁଝୁଥାଏ । ଦିନେ ସେ ସାନଭାଇ ମନକୁ ମନ କହିଲା, ଘରକୁ ବୋହୂଟିଏ ଆସନ୍ତା କି ତାର ଓ ତାଘରର ଦାୟିତ୍ୱ ସବୁ ସେ ନେଇପାରନ୍ତା ।
ପରୀ ଗାଈ କହିଲା, “ପାଖ ନଈକୁ ସ୍ୱର୍ଗରୁ ପରୀମାନେ ଗାଧୋଇ ଆସନ୍ତି । ଲୁଚି କରି ତୁମେ କାହାରି ଜଣକର ଶାଢୀ ଲୁଚାଇ ଆଣିଲେ ସେ ଆଉ ତୁମ ଘରଣୀ ହାକୁ ମୋଟେ ଆପତ୍ତି କରିବ ନାହିଁ ।”
ତା’ଆରଦିନ ସକାଳେ ସେ ସାନଭାଇକୁ ଆଉ କି ତର ସହେ । ସେ ସାନଭାଇଟି ନଈକୂଳରେ ଗଛ ଆଢୁଆଳରେ ଯାଇ ଲୁଚିକରି ରହିଲା । ସ୍ୱର୍ଗର ପରୀ ରାଇଜରୁ ସେଇ ପରୀଝିଅଟି ରାଣୀଙ୍କ ଆଦେଶରେ ଏହି ନଦୀକୁ ତ ଗାଧୋଇ ଆସିଥାଏ । ସାନଭାଇ ତାରି ଲୁଗାକୁ ଲୁଚାଇ ଆଣିବାରୁ ସେ ପରୀଟି ସାନଭାଇକୁ ବିଭା ହୋଇ ତା ଘରକୁ ଆସିଲା । ପରୀ ଗାଈ ସହିତ ପରୀକନ୍ୟାକୁ ଘରକୁ ଆଣି ସେ ସାନଭାଇଟି ଅତ୍ୟନ୍ତ ସୁଖରେ ନିଜ ଦିନ ବିତାଉଥାଏ । ସେହି ପରୀକନ୍ୟାଟି ଯେତିକି ଦିନକୁ କଂଟ କରି ଆସିଥିଲା, ତାହା ପାର ହୋଇଗଲା ସିନା ସେ ପରୀଝିଅଟି ଆଉ ସେଠାରୁ ଫେରିବାର ନାଁ ସୁଧା ବି ଧରିଲା ନାହିଁ । ଏସବୁ ଦେଖି ସେ ପରୀରାଇଜର ରାଜା ରାଗରେ ତାଙ୍କର ଦୂତକୁ ଆଦେଶ ଦେଲେ ଯେ ତାଙ୍କ ପରୀକନ୍ୟାଙ୍କୁ ଧରି ନେଇଯିବା ପାଇଁ । ଦୂତକୁ ଦେଖି ସେ ପରୀକନ୍ୟାଟି ତାର ସ୍ୱାମୀଠାରୁ ବିଦାୟ ନେଇ ସ୍ୱର୍ଗ ଅଭିମୁଖେ ଚାଲିଲା । ଏଥିରେ ସେ ସାନଭାଇର ଆଉ କି ମନ ଘର ଧରେ । ସେ ମଧ୍ୟ ତାର ପରୀ ସ୍ତ୍ରୀର ପଛେ ପଛେ ଚାଲିଥାଏ । ସ୍ୱର୍ଗପୁର ପାଖେଇ ଆସିଲା । ପରୀ ରାଇଜର ରାଣୀ ଦେଖିଲେ ଛାର ମଣିଷର ପୁଣି କେତେ ସାହସ । ସେ ସ୍ୱର୍ଗପୁର ପର୍ଯ୍ୟନ୍ତ ମାଡିଆସିଲାଣି । ତେଣୁ ସେ ରାଣୀ ତାଙ୍କର ଧଳାଲୁଗାକୁ ଆକାଶରେ ବିଛାଇ ଦେଲେ । ଚାହୁଁ ଚାହୁଁ ତାହା ଏକ ଦୂଧର ନଈ ପରି ବୋହିଗଲା । ନଈ ସେପଟେ ରହିଗଲା ସେ ସାନଭାଇ ଓ ନଈ ଏପଟେ ରହିଗଲା ଏ ପରୀକନ୍ୟା ।
ସେହିଦିନୁ ଉଭୟେ ନଈର ଦୁଇ କୂଳରେ ଠିଆ ହୋଇ ଖାଲି ପରସ୍ପରକୁ ଅପେକ୍ଷା କରିଛନ୍ତି । ଦୂରରେ ଥିଲେ ମଧ୍ୟ ପାଖରେ ପାଇଲା ପରି ସେମାନେ ଦୁହେଁ ମନେ କରୁଛନ୍ତି । ସେଇ ଦୁଇଜଣଙ୍କୁ ଲୋକେ କହୁଛନ୍ତି ଛାୟାପଥର ଦୁଇଟି ଉଜ୍ଜ୍ୱଳ ତାରକା ବୋଲି ।
ଅସରନ୍ତି ତାଙ୍କର ଏ ଅପେକ୍ଷା । ପରୀ ରାଇଜରେ ଏହା ମଧ୍ୟ ଚହଳ ପକାଇ ଦେଇଛି ।
?ଗପଟିଏ…? ଜହ୍ନମାମୁଁ ପୃଷ୍ଠାରୁ?