ଭୁବନେଶ୍ୱର : ଖବର ପ୍ରସାରଣ ପରେ ଏହାକୁ ଗୁରୁତର ସହ ନେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶେଷରେ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ ହେଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) । ସିବିଏସଇ ଅଧୀନ ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ବିଷୟ ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ହୋଇଛି । ଓଡ଼ିଆ ବିଷୟ ପରୀକ୍ଷାରେ ପ୍ରଶ୍ନ ଓ ଉତ୍ତରରେ ସାମଞ୍ଜସ୍ୟ ନ ଥିଲା । ଯେଉଁଥିପାଇଁ ପିଲାମାନେ ସଠିକ୍ ଉତ୍ତର ଲେଖିପାରି ନାହାନ୍ତି ଏବଂ କମ୍ ମାର୍କ ଦିଆଯାଇଛି । ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି । ଅନୁଧ୍ୟାନରୁ ଜଣାପଡ଼ିଛି ଯେ ପ୍ରଶ୍ନପତ୍ରର ୧୩ଟି ପ୍ରଶ୍ନ ଓ ଉତ୍ତରରେ ସାମଞ୍ଜସ୍ୟ ନାହିଁ । ତେଣୁ ଉକ୍ତ ପ୍ରଶ୍ନଗୁଡ଼ିକ ଲାଗି ପିଲାଙ୍କୁ ସମ୍ପୂର୍ଣ୍ଣ ମାର୍କ ଦେବାକୁ ସିବିଏସ୍ଇ ଦ୍ୱାରା ଗଠିତ କମିଟି ବିଶେଷଜ୍ଞ କମିଟି ସୁପାରିସ୍ କରିଥିଲା । ଯାହାକୁ ଆଧାର କରି ସିବିଏସ୍ଇ ଆଜି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ମାର୍କ ଦେଇଛି । ଖବର ପ୍ରସାରଣ ପରେ ପିଲାଙ୍କୁ ନ୍ୟାୟ ଦେବାକୁ ସିବିଏସ୍ଇ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ସିବିଏସ୍ଇ ପକ୍ଷରୁ ମଧ୍ୟ ତତ୍କ୍ଷଣାତ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ଅନୁଧ୍ୟାନ କରାଯାଇଥିଲା ।
ମାତ୍ର ୬ଘଣ୍ଟା ମଧ୍ୟରେ ଉକ୍ତ କମିଟି ସିବିଏସ୍ଇ କର୍ତୃପକ୍ଷଙ୍କୁ ରିପୋର୍ଟ ଦେବା ପରେ ସିବିଏସ୍ଇ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିଛି । ସିବିଏସ୍ଇ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଗତ ୧୧ତାରିଖରେ ସିବିଏସ୍ଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍ ମାର୍କ ମିଳିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ଖବର ପ୍ରକାଶ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହସ୍ତକ୍ଷେପ କରିବା ସହ ୨୪ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ କହିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସିବିଏସ୍ଇ ଏହାକୁ ଗୁରୁତ୍ୱର ସହ ନେଇ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଏହି କମିଟି ପରୀକ୍ଷା ତ୍ରୁଟିକୁ ଅନୁଧ୍ୟାନ କରିଥିଲେ । ଗତକାଲି ସନ୍ଧ୍ୟା ୬ଟାରେ କମିଟି ତାହାର ଅନୁଧ୍ୟାନ ରିପୋର୍ଟ ପ୍ରଦାନ କରିବା ପରେ ସିବିଏସ୍ଇ ଦଶମ ଶ୍ରେଣୀ ଓଡ଼ିଆ ବିଷୟର ଓଏମ୍ଆରଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ଠିକ୍ ଉତ୍ତର ସହ ମୂଲ୍ୟାଙ୍କନ କରିଥିଲେ । ଛାତ୍ରଛାତ୍ରୀଙ୍କ ସଂଶୋଧିତ ମୂଲ୍ୟାଙ୍କନ ମାର୍କକୁ ସଂପୃକ୍ତ ବିଦ୍ୟାଳୟକୁ ପଠାଯାଇଛି । ଏହାଦ୍ୱାରା ଓଡ଼ିଶାର ୨୮ହଜାର ୩୧୦ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଭଳି ତ୍ରୁଟି କରିଥିବା ଅଧିକାରୀଙ୍କ ବିରୋଧରେ କେଉଁଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେନେଇ ସିବିଏସ୍ଇ ପକ୍ଷରୁ କୁହାଯାଇନାହିଁ । ଏମିତିକି ଗତ ଡିସେମ୍ବରରେ ପରୀକ୍ଷା ସରିବା କ୍ଷଣି ଅଭିଭାବକମାନେ ଏହି ସମସ୍ୟା ନେଇ ସିବିଏସ୍ଇ ଆଞ୍ଚଳିକ ଅଧିକାରୀଙ୍କୁ ଅବଗତ କରିଥିଲେ । ମାତ୍ର ସେ କାହିଁକି ନିରବ ରହିଥିଲେ? ଏନେଇ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଥିଲେ କି ନାହିଁ? ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଚାପି ବସୁଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଯେଉଁମାନେ ଭୁଲ୍ ପ୍ରଶ୍ନ ଓ ଉତ୍ତର ପ୍ରସ୍ତୁତ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।