ସମସ୍ତେ ଜାଣନ୍ତି ଏ ଧରାପୃଷ୍ଠରେ ଯିଏବି ଜନ୍ମଲାଭ କରିଛି ତାର ଦିନେ ନା ଦିନେ ମୃତ୍ୟୁ ହୋଇଥାଏ। ଜନ୍ମ ପରି ମୃତ୍ୟୁର ସତ୍ୟ। ଏହାକୁ କେହି ଟାଳିପାରି ନାହିଁ। ତେବେ ମୃତ୍ୟୁ ପରେ ମୃତ ଶରୀରର ଅନ୍ତିମ ସଂସ୍କାରକୁ ନେଇ ଭିନ୍ନ ଭିନ୍ନ ପ୍ରଥା ରହିଛି।
ଧର୍ମକୁ ନେଇ ଅନ୍ତିମ ସଂସ୍କାରର ପ୍ରଥା ମଧ୍ୟ ଅଲଗା। ଇସ୍ଲାମ୍ ଧର୍ମରେ ମୃତ ଶରୀରର କବର ଦିଆଯାଇଥାଏ। ଖ୍ରୀଷ୍ଟ ଧର୍ମରେ କଫିନ ମଧ୍ୟରେ ଶବକୁ ରଖି ମାଟିରେ ପୋତି ଦିଆଯାଇଥାଏ। ସେହିପରି ହିନ୍ଦୁ ଧର୍ମରେ ଅଗ୍ନିରେ ମୃତଦେହର ଦାହ ସଂସ୍କାର ପ୍ରଥା ଓ ପରମ୍ପରା ରହିଛି। ମାତ୍ର ଜୋରାଷ୍ଟ୍ରିଆନ୍ସ ବା ପାର୍ସିମାନଙ୍କର ଅନ୍ତିମ ସଂସ୍କାରର ଭିନ୍ନ ଏକ ପରଂପରା ରହି ଆସିଛି। ପାର୍ସିମାନଙ୍କ ମୃତ ଶରୀରର ଅନ୍ତିମ ସଂସ୍କାର କରାଯାଉଥିବା ସ୍ଥାନକୁ ‘ଦି ଟାୱାର୍ ଅଫ୍ ସାଇଲେନ୍ସ ବା ଦଖମା ନାମରେ ପରିଚିତ।
ଏହି ସ୍ଥାନ ଦେଖିବାକୁ ସ୍ବତନ୍ତ୍ର କୂପ ଆକୃତିରେ। ସହରର ଦୂରରେ ଶୂନଶାନ ସ୍ଥାନରେ ତିଆରି ହୋଇଥିବା ଏହି ସ୍ବତନ୍ତ୍ର କୂପ ୩ ଥାକ ବା ସ୍ତର ବିଶିଷ୍ଟ ହୋଇଥାଏ। ସବା ଉପର ପାଚେରି ପାଖକୁ ଲାଗି କିଛି ଅଂଶ ଛାଡ଼ି ଦିଆଯାଇଥାଏ ଏଠାରେ କେବଳ ପୁରୁଷମାନଙ୍କ ମୃତଦେହ ପକାଯାଇଥାଏ। ଏହାର ଦ୍ବତୀୟ ସୋପାନ ମହିଳାଙ୍କ ଲାଗି ରଖାଯାଇଥାଏ। ଆଉ ସବା ଶେଷ ଭାଗ ଛୋଟ ଶିଶୁମାନଙ୍କ ପାଇଁ ରଖାଯାଇଥାଏ। ଏହି ଧର୍ମକୁ ଅନୁସରଣ କରୁଥିବା ପାର୍ସିମାନେ ଜଳ, ସ୍ଥଳ, ଆକାଶ, ବାୟୁ ଏବଂ ଅଗ୍ନି ଏହି ପାଞ୍ଚ ତତ୍ତ୍ବଙ୍କୁ ପୂଜା କରନ୍ତି। ସେମାନେ ବିଶ୍ବାସ କରନ୍ତି ଏହା ହେଉଛି ପବିତ୍ର ସ୍ଥାନ। ତେଣୁ ଏହିସବୁ ମାଧ୍ୟମରେ ସେମାନେ ମୃତ ଶରୀରର ଅନ୍ତିମ ସଂସ୍କାର କରନ୍ତି ନାହିଁ। ମୃତଦେହକୁ ଖୋଲା ଆକାଶ ତଳେ ରଖି ଦିଅନ୍ତି।
ଆଉ ଏହି ଶରୀରକୁ ଚିଲ, ଶାଗୁଣା ଓ ଅନ୍ୟ ପକ୍ଷୀଙ୍କ ଆହାର ପାଇଁ ଛାଡ଼ି ଦିଅନ୍ତି। ଏହା ହେଉଛି ସେମାନଙ୍କ ଅନ୍ତିମ ସଂସ୍କାରର ପ୍ରକ୍ରିୟା। ଏହି ସ୍ବତନ୍ତ୍ର କୂପ ଆକୃତିରେ ନିର୍ମିତ ଦି ଟାୱାର ଅଫ୍ ସାଇଲେନ୍ସରେ ଶାଗୁଣା ଓ ଅନ୍ୟପକ୍ଷୀମାନେ ଆସି ଉକ୍ତ ଶରରୀର ମାଂସ ଭକ୍ଷଣ କରନ୍ତି। ଅବଶିଷ୍ଟ ରହୁଥିବା ଖପୁରୀ ଓ ହାଡ଼କୁ ସେହି କୂପର ଏକ ସ୍ପତନ୍ତ୍ର କୋଠରିରେ ରଖିଦିଆଯାଏ। ତେବେ ବର୍ତ୍ତମାନର ଶାଗୁଣାଙ୍କ ଅଭାବ ଦେଖାଯାଉଥିବାରୁ ମୃତ ଶରୀର ଏହି ପରଂପରା ଅନୁଯାୟୀ କରିବା କଠିନ ହୋଇଯାଇଛି। ବିଶେଷକରି ଭାରତରେ ଯେତେବେଳେ କରୋନାରେ ଲୋକଙ୍କ ମୃତ୍ୟୁ ହେଲା, ସେଥିରେ ପାର୍ସି ସଂପ୍ରଦାୟର ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ସେମାନେ ଏହି ପ୍ରଥା (ଦଖମା)ରେ ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ଚାହିଁଥିଲେ। ମାତ୍ର ଏହାଦ୍ବାରା କୋଭିଡ୍ ଗାଇଡ୍ଲାଇନ୍ର ଉଲ୍ଲଂଘନ ହେବା ସହିତ ସଂକ୍ରମଣ ବ୍ୟାପିବାର ଆଶଂକା ରହିଥିଲା। ତେଣୁ ଏହାକୁ ନେଇ କୋର୍ଟରେ ମାମଲା ଜାରି ରହିଛି। ସାଧାରଣତଃ ଆମ ଦେଶରେ ଗୋଆ, ଗୁଜୁରାଟ ଓ ମୁମ୍ବାରେ ଅଧିକ ସଂଖ୍ୟାରେ ପାର୍ସିମାନେ ବାସ କରୁଥିବାରୁ ସେଠାରେ ଏପରି ‘ଦି ଟାୱାର ଅଫ୍ ସାଇଲେନ୍ସ’ ଦେଖିବାକୁ ମିଳେ।