
ଜୟପୁର -: ଏକକ ବ୍ୟବହାର ପ୍ଲାଷ୍ଟିକ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ରାଜସ୍ଥାନର ଭିଲୱାରାର ଏକ ପେଟ୍ରୋଲ ପମ୍ପ ମାଲିକ ନୂତନ ପନ୍ଥା ଆପଣାଇଛନ୍ତି | ସେ ଏକ ଲିଟର ପେଟ୍ରୋଲରେ ଏକ ଟଙ୍କା ଓ ଡିଜେଲରେ ଡିଜେଲରେ ୫୦ ପଇସା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରିହାତି ମାଗଣାରେ ମିଳିବ ନାହିଁ, ବରଂ ଆପଣ ବ୍ୟବହାର ପରେ ଫିଙ୍ଗିଦେଉଥିବା ଏକ ଜିନିଷ ତାଙ୍କୁ ଦେବାକୁ ପଡିବ | ପେଟ୍ରୋଲ ପମ୍ପ ମାଲିକଙ୍କ କହିବା ମୁତାବକ ଆପଣଙ୍କ ଘରେ ବ୍ୟବହାର ପରେ ଫିଙ୍ଗିଦେଉଥିବା ଖାଲି କ୍ଷୀର ପ୍ୟାକେଟ ଓ ଖାଲି ପ୍ଲାଷ୍ଟିକ ବୋତଲ ତାଙ୍କୁ ଦେଲେ ହିଁ ସେ ରିହାତି ଦେବେ |
ରାଜସ୍ଥାନର ଚିତ୍ତୋରଗଡ ରୋଡରେ ଅବସ୍ଥିତ ଛଗନଲାଲ ବାଗଟାଭର୍ମାଲ ପେଟ୍ରୋଲ ପମ୍ପର ମାଲିକ ଅଶୋକ କୁମାର ମୁଣ୍ଡାରା ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଉତ୍ସାହିତ କରୁଛନ୍ତି। ଜୁଲାଇ ୧୫ ରେ ମୁଣ୍ଡାରା ଏକ ତିନିମାସ ସଚେତନତା ଅଭିଯାନ ଆରମ୍ଭ କରିଥିଲେ ଏବଂ ରାଜ୍ୟ ଦୁଗ୍ଧ ବ୍ରାଣ୍ଡ ସରସ ଡେରି, ଭିଲୱାରା ଜିଲ୍ଲା ପ୍ରଶାସନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତାଙ୍କ ଅଭିଯାନକୁ ସମର୍ଥନ କରିଛନ୍ତି। ପେଟ୍ରୋଲ ପମ୍ପରେ ଜମା ହେଉଥିବା ଖାଲି କ୍ଷୀର ପ୍ୟାକେଟଗୁଡିକୁ ନେବାକୁ ସରସ ଡାଏରୀ ନିଷ୍ପତ୍ତି ନେଇଛି। ଭିଲୱାରା ଜିଲ୍ଲା କଲେକ୍ଟର ଆଶିଷ ମୋଦୀ କହିଛନ୍ତି, “ପେଟ୍ରୋଲ ପମ୍ପ ମାଲିକମାନେ ଏକକ ବ୍ୟବହାର ପ୍ଲାଷ୍ଟିକ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ଏକ ପ୍ରସ୍ତାବ ଆଣିଛନ୍ତି।
ସେମାନେ ଖାଲି ଦୁଗ୍ଧ ପ୍ୟାକେଟ ଏବଂ ପାଣି ବୋତଲ ଉପରେ ରିହାତି ପ୍ରଦାନ କରିଛନ୍ତି | ମୁଣ୍ଡାରା କହିଛନ୍ତି ଯେ ପ୍ରାୟ ୭୦୦ଟି ଖାଲି କ୍ଷୀର ପ୍ୟାକେଟ ସଂଗ୍ରହ କରାଯାଇଛି। ସେ କହିଛନ୍ତି, “ଯଦି ଜଣେ ବ୍ୟକ୍ତି ଗୋଟିଏ ଲିଟର ଖାଲି ଦୁଗ୍ଧ ପ୍ୟାକେଟ୍ କିମ୍ବା ଦୁଇ ଅଧା ଲିଟର ପ୍ୟାକେଟ୍ କିମ୍ବା ଗୋଟିଏ ଲିଟର ଖାଲି ପାଣି ବୋତଲ ଆଣେ, ତେବେ ମୁଁ ତାଙ୍କୁ ପେଟ୍ରୋଲ ଉପରେ ଲିଟର ପିଛା ୧ଟଙ୍କା ପ୍ରତି ରିହାତି ଏବଂ ଡିଜେଲ ଉପରେ ଲିଟର ପିଛା ୫୦ ପଇସା ରିହାତି ଦେଉଛି।” ଏହି ପ୍ୟାକେଟଗୁଡିକ ପେଟ୍ରୋଲ ପମ୍ପରେ ସଂଗ୍ରହ କରାଯାଇ ସରସ ଡେ଼ରିକୁ ପଠାଯାଉଛି | ମୁଣ୍ଡାରା କହିଛନ୍ତି, ‘ମୁଁ ପ୍ଲାଷ୍ଟିକ ଏବଂ ପଲିଥିନ ବ୍ୟବହାର ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅଭିଯାନ ଆରମ୍ଭ କରିଛି। ମୁଁ ଭିଲୱାରାକୁ ଏକ ପଲିଥିନ ଏବଂ ପ୍ଲାଷ୍ଟିକ ମୁକ୍ତ ସହର ଭାବରେ ଦେଖିବାକୁ ଚାହେଁ, କାରଣ ଏହି ଜିନିଷଗୁଡ଼ିକ କେବଳ ପରିବେଶକୁ କ୍ଷତି ପହଞ୍ଚାଏ ନାହିଁ, ବରଂ ବୁଲା ପଶୁମାନଙ୍କ ପାଇଁ ବିପଦ ସୃଷ୍ଟି କରେ |