ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ପଞ୍ଚାୟତ ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଧାଂଶୁ ବାଳା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ଯୋଗଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ କଲେଜ ଜୀବନ ହିଁ ପ୍ରକୃଷ୍ଟ ସମୟ ଓ ଏହାର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ସାମଗ୍ରିକ ବିକାଶ କରିବା ପାଇଁ ଉପ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ସମସ୍ତ ପ୍ରକାର ପ୍ରଶାସନିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ରାଉତ ଓ ସଞ୍ଜୟ କୁମାର ମଲ୍ଲିକ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ଓ ବ୍ୟବହାରିକ ସଂଯମତା ରକ୍ଷା କରିବା ପାଇଁ ମତ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ମହାବିଦ୍ୟାଳୟର ରାସ୍ତା ନିର୍ମାଣ ନିମନ୍ତେ ବ୍ଲକରୁ ମିଳିଥିବା ଅନୁଦାନ ରାଶି ଘୋଷଣା କରିବା ସହ ନିଜ ଦ୍ଵାରା ସମ୍ଭବ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ନିଜିଗଡ଼ ସରପଞ୍ଚ ସଂଯୁକ୍ତା ମହାନ୍ତି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ଅତିଥି ଙ୍କୁ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା।
ମହାବିଦ୍ୟାଳୟ ର ସାଂସ୍କୃତିକ ପରିଷଦର ଉପ ସଭାପତି ପ୍ରାଧ୍ୟାପକ ସୁଧୀର ଚନ୍ଦ୍ର ନାଥ ସ୍ୱାଗତ ଭାଷଣ ଦେବାସହ ଅନ୍ୟତମ ଉପ ସଭାପତି ପ୍ରାଧ୍ୟାପକ ବନୋଜ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ।ଉପଦେଷ୍ଟା ପ୍ରାଧ୍ୟାପକ ଅନନ୍ତ ଚରଣ ଆଚାର୍ଯ୍ୟ ସମ୍ବର୍ଦ୍ଧନା ଭିତ୍ତିକ ମାନପତ୍ର ପାଠ କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟ ର ଶ୍ରେଷ୍ଠ ଅଧ୍ୟାପକ ଭାବେ ପ୍ରାଧ୍ୟାପକ ଅଜୟ କୁମାର ସ୍ଵାଇଁ ଓ ଶ୍ରେଷ୍ଠ ଅଣ ଶିକ୍ଷକ କର୍ମଚାରୀ ଭାବେ ଜୟଦେବ ସେଣଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସାଂସ୍କୃତିକ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତାରିକ ଅଜିଜଙ୍କ ଦ୍ଵାରା ରଙ୍ଗା ରଙ୍ଗ ସଙ୍ଗୀତ ପରିବେଷଣ କରାଯାଇଥିଲା।ମଞ୍ଚ ପରିଚାଳନା ପ୍ରାଧ୍ୟାପକ ଅଜୟ କୁମାର ସ୍ଵାଇଁ, ରାକେଶ ଓ ପ୍ରିୟଙ୍କାଙ୍କ ଦ୍ଵାରା କରାଯାଇଥିଲା।ସର୍ବଶେଷରେ ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମର ଉପଦେଷ୍ଟା ତଥା ବରିଷ୍ଠ ପ୍ରାଧ୍ୟାପକ ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Discover more from bnslive.in
Subscribe to get the latest posts sent to your email.