ଭୁବନେଶ୍ବର -: ଆମେ ଶାସକ ଦଳର ବିଧାୟକ ହୋଇଛୁ, ହେଲେ ଆମ ଏରିଆରେ କିଛି କାମ କରିପାରୁନୁ। ମନ୍ତ୍ରୀଙ୍କୁ ଯାହା ଲେଖିକି ଦେଲେ କେହି ଶୁଣୁନାହାନ୍ତି। କୌଣସି ଅଧିକାରୀଙ୍କୁ ବଦଳି କରିବାକୁ କହିଲେ ହେଉନି। କାର୍ଯ୍ୟକର୍ତ୍ତା ଥିଲୁ ଭଲ ଥିଲା। ବିଧାୟକ ହୋଇକି କିଛି ଲାଭ ହେଉନି। ଏହିଭଳି ଢଙ୍ଗରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ ବୁଧବାର ବସିଥିବା ବିଜେପି ବିଧାୟକ ଦଳ ବୈଠକରେ କ୍ଷୋଭ ପ୍ରକାଶ କରିଥିଲେ। କେବଳ ଲକ୍ଷ୍ମଣ ବାଗ୍ ନୁହନ୍ତି। ସମାନ ଅଭିଯୋଗ ଆହୁରି ୫ରୁ ୬ଜଣ ବିଧାୟକ ଆଣିଥିଲେ। ହେଲେ ବିଧାୟକଙ୍କ କ୍ଷୋଭକୁ ପ୍ରଶମିତ କରିବା ପାଇଁ ଦଳର ସଭାପତି ମନମୋହନ ସାମଲଙ୍କ ଜବାବ୍ ସମସ୍ତଙ୍କୁ ଚକିତ କରିଥିଲା। ମନମୋହନ ତାଙ୍କ ବକ୍ତବ୍ୟରେ କହିଥିଲେ, ଥରେ ବିଧାୟକ ହୋଇକି ଏମିତି ହୁଅନି। ଏକାଧିକ ଥର ବିଧାୟକ ହୋଇ ଜିତିବା କଥା ଚିନ୍ତା କର। ଦଳର କାର୍ଯ୍ୟକର୍ତ୍ତା ହୋଇ ଯଦି ରହିବାକୁ ଚାହୁଁଛ ତେବେ ଇସ୍ତଫା ଦେଇଦିଅ। ଆମେ ଉପନିର୍ବାଚନ କରିବୁ। ଯାହାକୁ ଛିଡ଼ା କରିବୁ ସେ ଜିତିବେ।

ବିଜେପି ସଭାପତିଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା
ବିଧାୟକ ଦଳ ବୈଠକରେ ମୁହାଁମୁହିଁ
ମନ୍ତ୍ରୀମାନଙ୍କ ଉପରେ କ୍ଷୋଭ ଝାଡ଼ିଲେ ବିଧାୟକ
ବିଧାନସଭା ଅଧିବେଶନ ପୂର୍ବରୁ ଗୃହରେ ବିରୋଧୀଙ୍କୁ ମୁକାବିଲା କରିବା ନେଇ ରଣନୀତି ପ୍ରସ୍ତୁତ କରିବାକୁ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ବସିଥିଲା ବିଜେପି ବିଧାୟକ ଦଳ ବୈଠକ। ଏଥିରେ ରଣନୀତି ପ୍ରସ୍ତୁତ ହେବା ଦୂରର କଥା, ବିଧାୟକଙ୍କ ଅସନ୍ତୋଷର ଝଡ଼ ଦେଖିବାକୁ ମିଳିଥିଲା। ଶୀତକାଳୀନ ଅଧିବେଶନ ବେଳେ ଯେପରି ବିଧାୟକମାନେ ସେମାନଙ୍କର ଅସନ୍ତୋଷ ଝାଡ଼ିଥିଲେ ଗତକାଲି ବି ସେହିପରି ନିଜର ଅସନ୍ତୋଷର ଚିଠା ପଢ଼ିଥିଲେ। ହେଲେ ଏଥରର ଅସନ୍ତୋଷ ଆହୁରି ସାଂଘାତିକ ଥିଲା। ବୈଠକରେ ବିଧାୟକମାନେ କହିଥିଲେ, ଆମେ ମନ୍ତ୍ରୀଙ୍କୁ ଯଦି କୌଣସି କାର୍ଯ୍ୟ କରିବାକୁ ଚିଠା ଦେଉଛୁ କେହି ଶୁଣୁନାହାନ୍ତି। ଲୋକଙ୍କ କାମ ହେଉନି। ଆମେ ଲୋକଙ୍କ କାମ କରିବୁ ବୋଲି ଲୋକ ନିଷ୍ପତ୍ତି ବଦଳାଇଥିଲେ। ହେଲେ ଲୋକ ଯାହା କହୁଛନ୍ତି ଆମେ କରିପାରୁନୁ। ମନ୍ତ୍ରୀମାନେ କେବଳ ନିଜ କଥା ବୁଝୁଛନ୍ତି। ନିଜ ଇଚ୍ଛା ପୂରଣ କରୁଛନ୍ତି। ବିଧାୟକମାନଙ୍କୁ ପଚାରୁନାହାନ୍ତି। ଏମିତି ହେଲେ ଯେଉଁ ଲୋକ ଭୋଟ୍ େଦଇ ଆମକୁ ସରକାରକୁ ଆଣିଥିଲେ ସେହି ଲୋକ ଆମକୁ ବିଦା କରିଦେବେ।

ବହୁ ବିଧାୟକ ମନ୍ତ୍ରୀମାନଙ୍କୁ ଟାର୍ଗେଟ୍ କରୁଥିବା ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଆପଣମାନେ ରାଗିବା ସ୍ବାଭାବିକ। ହେଲେ ଆପଣମାନେ ଜାଣିବା ଦରକାର ଯେ ଆମେ ପ୍ରଥମ ଥର ପାଇଁ ସରକାର ଗଠନ କରିଛୁ। ନୂଆ ସରକାର, ସବୁ କାମ ପାଇଁ କିଛି ସମୟ ଲାଗିବ। ଆପଣମାନେ ଲୋକଙ୍କ ସହ ଭଲରେ ମିଶନ୍ତୁ। ଏହି ବଜେଟ୍ ପରେ ବହୁ ନୂଆ ପ୍ରକଳ୍ପ ସୃଷ୍ଟି ହେବ। ଆପଣଙ୍କ ପାଇଁ କାମ କରିବାକୁ ସୁଯୋଗ ମିଳିବ, ଅର୍ଥର ଅଭାବ ରହିବନି। ଆପଣମାନଙ୍କର ଯଦି ବିଶେଷ କିଛି ସମସ୍ୟା ଅଛି ମୋତେ ବ୍ୟକ୍ତିଗତ ଭାବେ ଜଣାନ୍ତୁ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅାଶ୍ବାସନା ପରେ ବିଧାୟକମାନେ ଶାନ୍ତ ହୋଇଥିଲେ। ହେଲେ ଦଳ ସଭାପତିଙ୍କ କଟାକ୍ଷ ବିଧାୟକଙ୍କ ମନରେ ନିଆଁ ଲଗାଇଦେଇଛି। ଏହାକୁ ନେଇ ଦଳ ଭିତରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି।
Discover more from bnslive.in
Subscribe to get the latest posts sent to your email.