ରାଜଧାନୀ ରାଜପଥରେ ମଦୁଆ ହାଟ, ଅବକାରୀ ବିଭାଗ ଚୁପ୍ କାହିଁକି ?

Creat A Revolution

ଭୁବନେଶ୍ବର -: ପନିପରିବା, ଫଳମୂଳ, ମାଛ, ମାଂସ ହାଟ ପରି ଏବେ ରାଜଧାନୀରେ ମଦୁଆଙ୍କ ହାଟ ବି ବସୁଛି। ଅନ୍ୟ ସବୁ ହାଟ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ବସିଥାଏ। କିନ୍ତୁ ମଦୁଆଙ୍କ ହାଟର କିଛି ସମୟସୀମା ନାହିଁ। ସକାଳୁ ରାତି, ବିଳମ୍ବିତ ରାତି, କେବେକେବେ ରାତି ପାହିବା ଯାଏ ସେମାନଙ୍କ ହାଟ ସରିନଥାଏ। ଚାଖଣା ସାଙ୍ଗକୁ ବୋତଲ ପରେ ବୋତଲ ଖୋଲୁଛି। ମଦ ସରିଗଲେ, ପାଖରେ ଥିବା ନାଳ କିମ୍ବା ରାସ୍ତା ଉପରକୁ ବୋତଲ ଫିଙ୍ଗା ଯାଉଛି।

Advertisement

ଅଶ୍ରାବ୍ୟ ଭାଷା, ଗାଳିଗୁଲଜ ଏତେ ଜୋର୍‌ରେ ହେଉଛି, ଯେକେହି ସେହି ରାସ୍ତା ଦେଇ ଯିବାକୁ ଭୟ ଓ ସଂ କୋଚ କରୁଛି। ୩୧୬ନମ୍ବର ଜାତୀୟ ରାଜପଥର ପୁରୀ ବାଇପାସ୍‌ କେଶୁରା ବଜାରରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ସମ୍ମୁଖ‌ରେ ଏଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି। ପୁଲିସ୍‌, ଅବକାରୀ ବିଭାଗ ‌ଏଠି ଯେମିତି ସ୍ଥାଣୁ ପାଲଟି ଯାଇଛନ୍ତି। କେଶୁରା ବଜାର ଉପରେ ଏକ ଠିପିବନ୍ଦ ବିଦେଶୀ ମଦ ଦୋକାନ ରହିଛି। ଅବକାରୀ ନିୟମ ଅନୁସାରେ, ଠିପିବନ୍ଦ ଦୋକାନ ନିକଟରେ ଲୋକମାନେ ବସି ମଦ ପିଇ ପାରିବେ ନାହିଁ। ନିୟମ ଖିଲାପ ହେଲେ, ଜରିମାନା ସହ ଦୋକାନ ସିଲ୍‌ କିମ୍ବା ବିଭାଗ ଚାହିଲେ ସଂପୃକ୍ତ ଦୋକାନର ଲାଇସେନ୍ସ ବି ରଦ୍ଦ କରିଦେଇପାରିବ।

କିନ୍ତୁ ଏହି ମଦ ଦୋକାନୀଙ୍କୁ ସବୁ ମାଫ୍‌। ଜାତୀୟ ରାଜପଥ ହୋଇଥିବାରୁ ପ୍ରତିଦିନ ହାଜାର ହଜାର ଗାଡ଼ି ଯାତାୟାତ କରୁଛି। ପୁରୀକୁ ହଜାର ହଜାର ପର୍ଯ୍ୟଟକ ଏହି ବାଟ ଦେଇ ଯାଉଛନ୍ତି। ହେଲେ ଦିନରାତି ଏଠି ସର୍ବସାଧାରଣ ସ୍ଥାନରେ ମଦୁଆଙ୍କ ଭିଡ଼ ଜମୁଛି। ସ୍ଥାନୀୟ କିଛି ବ୍ୟବସାୟୀଙ୍କ କହିବାନୁସାରେ, ମଦ ଦୋକାନ ଆଗରେ ଦିନ ୧୦ଟାରୁ ମଦୁଆଙ୍କ ଆସର ଜମି ଯାଉଛି। ନିଶା ହୋଇଗଲେ ସେମାନେ ରାଜପଥ ଉପରକୁ ଚାଲି ଆସି ହଙ୍ଗାମା କରୁଛନ୍ତି। କିଛି ଦିନ ତଳେ ଏଠାରେ ଜଣେ ମଦୁଆ ରାସ୍ତା ଉପରକୁ ହଠାତ୍‌ ଚାଲିଯିବା ଫଳରେ ଏକ କାର୍‌ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ବାଡ଼େଇ ହୋଇଯାଇଥିଲା। କାର୍‌ ଚାଳକ ବରିଷ୍ଠ ନାଗରିକ ହୋଇଥିବାରୁ ମଦ୍ୟପମାନେ ତାଙ୍କୁ ନାଲି ଆଖି ଦେଖାଇ ବିଦା କରି ଦେଇଥିଲେ।

ମଦ ଦୋକାନ ଯୋଗୁଁ ନିକଟରେ ଥିବା ଅନ୍ୟ ଦୋକାନକୁ ମହିଳାମାନେ ଆସିବାକୁ ଭୟ କରୁଥିବା ସେ କହିଛନ୍ତି। କେବଳ ଏହି ଗୋଟିଏ ଦୋକାନ ନୁହେଁ, ଭୁବନେଶ୍ବରର ଅଧିକାଂଶ ଠିପି ବନ୍ଦ ମଦ ଦୋକାନ ନିକଟରେ ମଦର ଆସର ଜମୁଛି। ବିଳମ୍ବିତ ରାତି ଯାଏ ଦୋକାନ ଖୋଲା ରହୁଛି। କିନ୍ତୁ ଅବକାରୀ ବିଭାଗ ସବୁ ଦେଖି ନଦେଖିଲା ଭଳି ଚୁପ୍‌ ରହୁଛି। କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି। ପୁଲିସ୍‌ ପାଟ୍ରୋଲିଂ ମଧ୍ୟ ଉତ୍ସାହଜନକ ନୁହେଁ। କେବଳ ଲୋକଦେଖାଣିଆ ଭାବେ ପିସିଆର୍‌ ଭ୍ୟାନ୍‌ ବୁଲୁଛି। ଏନେଇ ଭୁବନେଶ୍ବର ଅବକାରୀ ଅଧିକାରୀ ବିକାଶ ନାୟକ ପ୍ରତିକ୍ରିୟାରେ କହିଛନ୍ତି, ଏ ସଂକ୍ରାନ୍ତରେ ଯାଞ୍ଚ କରି ପଦକ୍ଷେପ ଗ୍ରହଣ କରିବୁ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights