ମହଙ୍ଗାମାଡରେ କଲବଲ ଜନତା, କେବେ ଭାଙ୍ଗିବ ସରକାରଙ୍କ ନିଦ …

ଭୁବନେଶ୍ବର -: ପେଟ୍ରୋଲ, ଗ୍ୟାସ୍‌ ଦାମ୍ ବଢ଼ୁଛି ବୋଲି ହୋହଲ୍ଲା ହେଉଛି। ହେଲେ ଗତ ତିନିରୁ ୪ଦିନ ମଧ୍ୟରେ ଆଳୁ, କଖାରୁରୁ ଆରମ୍ଭ କରି ସାବୁନ୍, ପେଷ୍ଟ, ସର୍ଫ, ବିସ୍କୁଟ ପର୍ଯ୍ୟନ୍ତ ସବୁର ଦାମ୍ ବଢ଼ିଯାଇଛି। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଖାଦ୍ୟ ଉପରେ ମହଙ୍ଗା ମାଡ଼ ହୋଇଛି। ନଡ଼ିଆ ତେଲରୁ ଆରମ୍ଭ କରି ସାବୁନ୍, ସାମ୍ପୋ ଦାମ୍‌ ବି ବଢ଼ି ଯାଇଛି। ରୋଷେଇ ଘରେ ମହଙ୍ଗା ମାଡ଼ ନେଇ ଚର୍ଚ୍ଚା ହେଉଥିବା ବେଳେ ଏ‌ହା ଏବେ ସବୁ ବର୍ଗର ଲୋକଙ୍କର ଦୈନନ୍ଦିନ ଜୀବନ ଉପରେ ସିଧା ପ୍ରଭାବ ପକାଇଛି। ସାଧାରଣରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ପ୍ରତିବାଦର ସ୍ବର ଶୁଭୁଛି

Advertisement

। କିନ୍ତୁ ଦରଦାମକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ କୌଣସି ରଣନୀତି ପ୍ରସ୍ତୁତ ହେଉ ନ ଥିବାରୁ ଲୋକେ କଲବଲ ହେଲେଣି। ତେବେ ମହଙ୍ଗା ମାଡ଼ରେ ଏବେ ପିଲା ଅଧିକ ପ୍ରଭାବିତ ହେଲେଣି। ସବୁ ବିସ୍କୁଟ ପ୍ୟାକେଟ୍ ପିଛା ୫ଟଙ୍କା ଲେଖାଏଁ ବଢ଼ିଯାଇଛି। ମ୍ୟାରିଗୋଲ୍ଡ, ଥିନ୍ ଆରାରୁଟ୍ ବିସ୍କୁଟ ପ୍ୟାକେଟକୁ ୩୫ଟଙ୍କା ଥିବାବେଳେ ଏହା ୪୦ଟଙ୍କା, ବ୍ରିଟାନିଆ ଫିପ୍ଟି-ଫିପ୍ଟି ବିସ୍କୁଟ ପ୍ୟାକେଟ୍ ୨୦ଟଙ୍କାରୁ ୨୫ଟଙ୍କାକୁ ବଢ଼ିଯାଇଛି। ଏପରିକି ଛୋଟ ପିଲା ଖାଉଥିବା ନାନ୍‌, ଲାକ୍ଟୋଜେନ୍ ଭଳି ପାଉଡର୍‌ ଦାମ୍ ମାସକରେ ୩୦ଟଙ୍କା ପାଖାପାଖି ବଢ଼ିଗଲାଣି। ଅମୁଲ୍‌ କେଜି ୩୭୫ଟଙ୍କା ଥିବାବେଳେ ୧୫ଟଙ୍କା ବଢ଼ି ୩୯୦ଟଙ୍କା‌ ହୋଇଛି। ଚଳିତ ମାସର ପ୍ରଥମ ସପ୍ତାହରେ ରିଫାଇନ୍ ଲିଟର ୧୫ଟଙ୍କା ବଢ଼ି ୨୦୦ଟଙ୍କା ହୋଇଯାଇଥିବା ବେଳେ ସର୍ଫ କେଜି ପିଛା ୪ରୁ ୫ଟଙ୍କା, ପେଷ୍ଟ ୮ରୁ ୧୦ଟଙ୍କା ବଢ଼ିଯାଇଛି। କେବଳ ଏତିକି ନୁହେଁ। ପରିବା ଦର ବି କେଜି ପିଛା ୧୦ରୁ ୩୦ଟଙ୍କା ବଢ଼ିଯାଇଛି।

ଆଳୁ କେଜି ସପ୍ତାହକ ତଳେ ୨୦ଟଙ୍କା ଥିବାବେଳେ ଏହା ଏବେ ୮ରୁ ୧୦ଟଙ୍କା ବଢ଼ିଯାଇଛି। ୫୦କେଜି ଆଳୁ ପ୍ୟାକେଟ୍‌ର ଦାମ୍‌ ୯୫୦ଟଙ୍କା ଥିବାବେଳେ ଏବେ ୧୦୬୦ଟଙ୍କା ହୋଇଯାଇଛି। କଖାରୁ କେଜି ୩୦ଟଙ୍କା ବିକ୍ରି ହେଉଥିବା ବେଳେ ଆଜି ୪୦ଟଙ୍କା ହୋଇଛି। ଟମାଟୋ କେଜି ୮୦ଟଙ୍କା, ସାରୁ କେଜି ୬୦ଟଙ୍କାରେ ବିକ୍ରି ହେଉଛି। ଏନେଇ ଦୀପ୍ତି ରଞ୍ଜନ ସାହୁ ନାମକ ଜଣେ ବ୍ୟବସାୟୀ କହିଛନ୍ତି ଯେ ସବୁ ସାମଗ୍ରୀ ଦାମ୍ ହଠାତ୍ ବଢ଼ିଯାଇଛି। ଯେଉଁ ମ୍ୟାଗି, ବିସ୍କୁଟ, ଚକଲେଟ୍, କେକ୍ ଆଦି ୧୦ଟଙ୍କା, ୫ଟଙ୍କାରେ ବିକ୍ରି ହେଉଥିଲା ତାର ଦାମ୍ ବଢ଼ିନଥିଲେ ବି ଆମର ଲାଭ ପ୍ରତିଶତ କମିଯାଇଛି। ଛୋଟ ପ୍ୟାକେଟ୍‌ରେ ବିକ୍ରି ହେଉଥିବା ସାବୁନ୍, ସର୍ଫର ଦାମ୍ ସମାନ ଥିଲେ ବି ଏହାର ପରିମାଣ କମିଯାଇଛି। ୨୦୨୦ ମାର୍ଚ୍ଚ ବେଳକୁ ଦରଦାମ ଯେଉଁସ୍ତରରେ ଥିଲା ଏବେ ତାହା ବହୁ ଅଧିକ ହୋଇଯାଇଛି।

ସେହିବର୍ଷ ମାର୍ଚ୍ଚରେ ହରଡ଼ ଡାଲି କି‌ଲୋଗ୍ରାମ ପିଛା ୮୫ ଟଙ୍କା ଥିଲା। ସେହିଭଳି ସୂର୍ଯ୍ୟମୁଖୀ ରିଫାଇନ୍ ତେଲ ଦାମ ଲିଟର ପିଛା ୧୦୦ ଟଙ୍କା ଥିବା ‌ବେଳେ ସୋରିଷ ତେଲ ଦାମ ୧୧୦ ଟଙ୍କା ରହିଥିଲା। କିନ୍ତୁ ବର୍ତ୍ତମାନ ବଜାରରେ ଡାଲି କି‌ଲୋ ୧୧୦ ଟଙ୍କା, ସୋରିଷ ତେଲ ୨୦୦ ଟଙ୍କା ଏବଂ ରିଫାଇନ୍ ତେଲ ୨୦୦ ଟଙ୍କା ଭଳି ଉଚ୍ଚମୂଲ୍ୟରେ ବିକ୍ରି ହେଉଛି। ପେଟ୍ରୋଲ୍‌, ଡିଜେଲ୍‌ ଦରରେ ମଧ୍ୟ ଲଗାମ ରହୁନି। ଏବେ ତାହା ସହ ଯୋଡ଼ି ହୋଇଯାଇଛି ରନ୍ଧନ ଗ୍ୟାସ। ସାଧାରଣ ଖାଉଟି ଏବେ କଲବଲ ହେଲେଣି। କୌଣସି ସାମଗ୍ରୀର ଦର ଖସିବାର ନାଁ ଧରୁନି। କରୋନା ମାଡ଼ରେ ରୋଜଗାର କମିଥିଲା ବେଳେ ଦରଦାମ ଏବେ ଲୋକଙ୍କୁ କନ୍ଦାଇବାରେ ଲାଗିଛି। କିନ୍ତୁ ଦରଦାମକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ କୌଣସି ରଣନୀତି ପ୍ରସ୍ତୁତ ହେଉ ନ ଥିବାରୁ ଲୋକ ଅଧିକ ବିବ୍ରତ ହୋଇପଡ଼ୁଛନ୍ତି। ଦରଦାମକୁ ନେଇ ସରକାରୀ ଭାବେ କିଛି ପ୍ରତିକ୍ରିୟା ଦେଖିବାକୁ ମିଳୁନି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି। ସବୁଠାରୁ ଅଭାବନୀୟ ଘଟଣା ହେଉଛି ଯେ ବିରୋଧୀଙ୍କର ରହସ୍ୟଜନକ ନିରବତା।

Advertisement

Leave a Reply

Your email address will not be published. Required fields are marked *

error: Content is protected !!