ଭୁବନେଶ୍ବର -: କରୋନା କାଳରେ କୋଭିଡ ସାମଗ୍ରୀ କିଣା କେଳେଙ୍କାରୀକୁ ନେଇ ଚର୍ଚ୍ଚାକୁ ଆସିଥିଲା ରାଜ୍ୟ ଔଷଧ ନିଗମ। ଲୋକାୟୁକ୍ତ କ୍ଲିନ୍ଚିଟ୍ ଦେଇଥିଲେ ବି ଏହି ପ୍ରସଙ୍ଗ ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ। ଠିକ୍ ଏମିତି ସମୟରେ ହିମୋଗ୍ଲୋବିନମିଟର, ଟେଷ୍ଟ ଷ୍ଟ୍ରିପ୍ ଓ ଅଟୋ ଡିଜାବଲ ଲାନସେଟ୍ କିଣାରେ କେଳେଙ୍କାରୀ ନେଇ ଗୋଟିଏ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସବୁ ସାମଗ୍ରୀ କିଣାରେ ଏକ ନିର୍ଦ୍ଦିଷ୍ଟ କମ୍ପାନିକୁ ନିଗମ ପକ୍ଷରୁ ଅହେତୁକ ଅନୁକମ୍ପା ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ଏଇଥିପାଇଁ ଯେ ସଂପୃକ୍ତ କମ୍ପାନି ଅନ୍ୟ ରାଜ୍ୟରେ ଯେଉଁ ସାମଗ୍ରୀକୁ କମ୍ ମୂଲ୍ୟରେ ଯୋଗାଇବା ଲାଗି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଛି, ଓଡ଼ିଶାରେ ସେହି ସମାନ ସାମଗ୍ରୀ ପାଇଁ ଅଧିକ ଟଙ୍କା ନେଇଛି। ଫଳରେ ରାଜକୋଷ କୋଟି କୋଟି ଟଙ୍କା କ୍ଷତି ସହିଛି। କଥା କେବଳ ଏଇଠି ଅଟକିନି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଠାରୁ ଲାଇସେନ୍ସ ପାଇନଥିବା ଗୋଟିଏ ସଂସ୍ଥା ହିମୋଗ୍ଲୋବିନମିଟର ସହିତ ଷ୍ଟ୍ରିପ ଓ ଲାନସେଟ୍ ଟେଣ୍ଡର ଭାଗ ନେଲା କେମିତି? ରାଜ୍ୟ ସରକାର ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାକୁ ପୁଣି ଥରେ ଟେଣ୍ଡର ପ୍ରକ୍ରିୟାରେ ସାମିଲ କଲେ କେମିତି?
ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ମସିହା ନଭେମ୍ବର ୧୧ତାରିଖରେ ରାଜ୍ୟ ଔଷଧ ନିଗମ ଜିଇଏମ୍ ବିଡ୍ ନମ୍ବର ଜିଇଏମ୍/୨୦୧୯/ବି/୪୩୦୪୮୧ରେ ରାଜ୍ୟ ପାଇଁ ୧୩ହଜାର ହିମୋଗ୍ଲୋବିନ ମିଟର କିଣିବା ଲାଗି ନିଷ୍ପତ୍ତି ନେଇଥିଲା। ଗୋଟିଏ ହିମୋଗ୍ଲୋବିନମିଟର ସହିତ ୨ଶହ ଟେଷ୍ଟ ଷ୍ଟ୍ରିପ୍ ଓ ୨ଶହ ଅଟୋ ଡିଜାବଲ ଲାନସେଟ ଦେବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ସେବେ ୧୩ହଜାର ହିମୋଗ୍ଲୋବିନମିଟର ସହିତ ୨୬ଲକ୍ଷ ଟେଷ୍ଟ ଷ୍ଟ୍ରିପ୍ ଓ ୨୬ଲକ୍ଷ ଲାନସେଟ୍ ପାଇଁ ମୋଟ ମୂଲ୍ୟ ରହିଥିଲା ୩କୋଟି ୧୮ଲକ୍ଷ ୩୭ହଜାର। ରାଜ୍ୟ ବାହାରର କଂପାନି ବାୟୋସେନ୍ସ ଟେକ୍ନୋଲୋଜି ଏଲ-୧ରେ ଟେଣ୍ଡରକୁ ହାତେଇଥିଲା। ଅର୍ଥାତ୍ ଗୋଟିଏ ହିମୋଗ୍ଲୋବିନମିଟର ସହିତ ୨ଶହ ଟେଷ୍ଟ ଷ୍ଟ୍ରିପ୍ ଓ ୨ଶହ ଅଟୋ ଡିଜାବଲ ଲାନସେଟର ମୂଲ୍ୟ ହେଉଛି ୨୪୪୯ ଟଙ୍କା। ଯଦି ହିମୋଗ୍ଲୋବିନମିଟରର ମୂଲ୍ୟକୁ ବାଦ୍ ଦିଆଯାଏ ତାହାଲେ ଗୋଟିଏ ଷ୍ଟ୍ରିପର ମୂଲ୍ୟ ହେଉଛି ୧୨ଟଙ୍କା। ଏହି ସଂସ୍ଥା ଏସବୁ ଦେଉ ଦେଉ ୨୦୨୦ ହେଇଗଲା।
ଅହେତୁକ ଅନୁକମ୍ପା ଦେଖାଇଛି ରାଜ୍ୟ ଔଷଧ ନିଗମ
କୋଭିଡ୍ ଦୁର୍ନୀତି ପରେ ବି କେହି ଚେତିନାହାନ୍ତି
ପରବର୍ତୀ ସମୟରେ ନିଗମ ପକ୍ଷରୁ ପୁଣି ଥରେ ୨୦୨୦ ଡିସେମ୍ବର ୪ ତାରିଖରେ ଆହ୍ବାନ କରାଗଲା। ଏହା ଚୂଡାନ୍ତ ରୂପ ନେବା ବେଳକୁ ୨୦୨୧ ମସିହା ଜାନୁଆରି ୨୯ତାରିଖ ହୋଇଯାଇଥିଲା। ଜିଇଏମ୍ କଣ୍ଟ୍ରାକ୍ଟ ନମ୍ବର ଜିଇଏମ୍ସି-୫୧୧୮୭୭୬୧୯୦୭୨୫୯ରେ ସମାନ କମ୍ପାନିଠାରୁ ୯୯,୬୦,୮୦୦ ଟେଷ୍ଟ ଷ୍ଟ୍ରିପ୍ ଯୋଗାଇବା ଲାଗି ପିଏସି ବା ପ୍ରୋପାଏଟାରି ଆର୍ଟିକିଲ ସାର୍ଟିଫିକେଟ୍ ଜରିଆରେ ଟେଣ୍ଡର ଡକାଗଲା। ଷ୍ଟ୍ରିପ୍ର ମୋଟ ମୂଲ୍ୟ ହେଉଛି ୧୬କୋଟି ୬୩ଲକ୍ଷ ୫ହଜାର ୫୧୬ଟଙ୍କା; ଗୋଟିଏ ଷ୍ଟ୍ରିପର ମୂଲ୍ୟ ୧୭ଟଙ୍କା। ପୂର୍ବରୁ ନିଗମ ଗୋଟିଏ ଷ୍ଟ୍ରିପ୍ କିଣା ବାବଦରେ ୧୨ଟଙ୍କା ଖର୍ଚ କରିଥିବା ବେଳେ ମାତ୍ର ବର୍ଷକ ଅନ୍ତରରେ ଏଥିପାଇଁ ୧୭ଟଙ୍କା ଖର୍ଚ୍ଚ କଲା।
ଏଇଠି ଗୋଟିଏ ବଡ ପ୍ରଶ୍ନ ଉଠିପାରେ ଯେ ସମ୍ଭବତଃ ଏହାର ମୂଲ୍ୟ ବୃଦ୍ଧି ଘଟିଥାଇପାରେ। କିନ୍ତୁ କୌତୂହଳ କଥା ହେଲା, ଅନ୍ୟ ରାଜ୍ୟରେ ମଧ୍ୟ ଏହି କଂପାନି ସାମଗ୍ରୀ ଯୋଗାଣ କରିଛି। ନିକଟରେ ରାଜସ୍ଥାନ ସରକାର ହିମୋଗ୍ଲୋବିନମିଟର ଟେଷ୍ଟ ଷ୍ଟ୍ରିପ୍ ପାଇଁ ଟେଣ୍ଡର କରିଥିଲେ। ଓଡ଼ିଶାକୁ ସାମଗ୍ରୀ ଯୋଗାଇଥିବା କମ୍ପାନି ବି ଏଥିରେ ସାମିଲ ହୋଇଥିଲେ। ସେଠାରେ କିନ୍ତୁ ଏହି କଂପାନି ୧୦ଟଙ୍କାରୁ କମ୍ ମୂଲ୍ୟରେ ଯୋଗାଇବା ପାଇଁ ଆବେଦନ କରିଥିଲା। ତଥାପି ରାଜସ୍ଥାନରେ ସଂସ୍ଥା ଟେଣ୍ଡର ହାସଲ କରିପାରିଲା ନାହିଁ, ବରଂ ଏଲ-୨ ରହିଥିଲା। ଯଦି ରାଜସ୍ଥାନରେ ଏହି କଂପାନି ୧୦ ଟଙ୍କାରୁ କମ୍ ଦରରେ ଯୋଗାଣ ପାଇଁ ଆଗ୍ରହ ଦେଖାଉଛି, ସେବେ ଓଡ଼ିଶାରେ ୭ଟଙ୍କା ଅଧିକ କାହିଁକି? ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏକଥା ଜାଣିପାରିଲେ ନାହିଁ ନା ଜାଣି ଅଜଣା ରହିଲେ?
ଗୋଟିଏ ହିସାବ କହୁଛି ଯେ ଷ୍ଟ୍ରିପ୍ କିଣାରେ ରାଜକୋଷରୁ ୪କୋଟିରୁ ଅଧିକ ଟଙ୍କା ବରବାଦ ହୋଇଛି। ଏହାସହ ଆଉ ଗୋଟିଏ ପ୍ରସଙ୍ଗ ବି ସାମ୍ନାକୁ ଆସିଛି। ତାହା ହେଲା, ଲାନସେଟ୍ ପାଇଁ ନିଗମ ଅଲଗା ଏକ ଟେଣ୍ଡର ଆହ୍ବାନ କରିଥିଲା। ଏଥିରେ ୯୯,୬୦,୮୦୦ ଲାନସେଟ୍ ପାଇଁ ୨.୧୯ ଟଙ୍କା ହିସାବରେ ମୋଟ ମୂଲ୍ୟ ରହିଥିଲା ୨କୋଟି ୧୮ଲକ୍ଷ ୧୪ହଜାର ୧୫୨ ଟଙ୍କା। ପୂର୍ବରୁ ଗୋଟିଏ କମ୍ପାନିଠାରୁ ହିମୋଗ୍ଲୋବିନମିଟର, ଟେଷ୍ଟ ଷ୍ଟ୍ରିପ୍ ଓ ଲାନସେଟ୍ କିଣା ଯାଇଥିବା ବେଳେ ପରବର୍ତୀ ସମୟରେ ଏଥିପାଇଁ ଅଲଗା ଅଲଗା ଟଙ୍କା କାହା ସ୍ବାର୍ଥରେ ଖର୍ଚ୍ଚ ହେଲା। ସେହିପରି କଳାହାଣ୍ଡି ଜିଲ୍ଲା ପକ୍ଷରୁ ହିମୋଗ୍ଲୋବିନ୍ ଷ୍ଟ୍ରିପ୍ କିଣିବା ଲାଗି ଟେଣ୍ଡର ଆହ୍ବାନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ତାରିଖରେ ବିଡ୍ ଆହ୍ବାନ କରାଯାଇଥିଲା ଇତିମଧ୍ୟରେ ତାହାକୁ ଜିଇଏମ୍ ପୋର୍ଟାଲରୁ ହଟାଇ ଦିଆଯାଇଛି। ସିଡିଏମ୍ଓ କସ୍ତୁରୀ ମିଶ୍ର ଏ ସଂକ୍ରାନ୍ତରେ କହିଛନ୍ତି ଯେ ହିମୋଗ୍ଲୋବିନମିଟର ଷ୍ଟ୍ରିପ୍ କିଣା ନେଇ ପ୍ରକ୍ରିୟା ଜାରି ରହିଛି। ଏ ପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇନାହିଁ।
ଏଠାରେ ଉଲ୍ଲେଖଥାଉକି, ହିମୋଗ୍ଲୋବିନମିଟର ସହିତ ଷ୍ଟ୍ରିପ ଓ ଲାନସେଟ୍ ଯୋଗାଇବା ପାଇଁ ଟେଣ୍ଡର ପାଇଥିବା କମ୍ପାନିକୁ ୨୦୨୦ ମସିହା ମାର୍ଚ ୩ତାରିଖରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା ସିଡିଏସ୍ସିଓ ପକ୍ଷରୁ ମାନୁଫାକ୍ଚରିଂ ଲାଇସେନ୍ସ ଦିଆଯାଇଛି। ହେଲେ ଲାଇସେନସ ପାଇବା ପୂର୍ବରୁ ରାଜ୍ୟ ଔଷଧ ନିଗମ ଜାନୁଆରି ମାସରୁ ସଂପୃକ୍ତ କମ୍ପାନି ସହିତ ଏସବୁ ସାମଗ୍ରୀ ଯୋଗାଇବା ଲାଗି ଚୁକ୍ତି କରିଥିଲା। ଗୋଟିଏ କମ୍ପାନି ହିମୋଗ୍ଲୋବିନମିଟର ପ୍ରସ୍ତୁତି କରିବାର ଲାଇସେନ୍ସ ନ ଥିବା ବେଳେ ନିଗମ କିଭଳି ତାହା ସହିତ ଚୁକ୍ତି କଲା ତାହା ଗୋଟିଏ ବଡ ଅନୁସନ୍ଧାନର ଅପେକ୍ଷା ରଖୁଛି। ଗତବର୍ଷ ୯୯ଲକ୍ଷ ଷ୍ଟ୍ରିପ୍ କିଣା ପାଇଁ ନିଗମର ଟେଣ୍ଡର ପ୍ରକ୍ରିୟାରେ ୨ଟି କମ୍ପାନି ଆବେଦନ କରିଥିଲେ ଓ ତହିଁରୁ ଗୋଟିଏ କମ୍ପାନି ସହିତ ନିଗମ ଚୁକ୍ତି କରିଥିଲା। ମାତ୍ର ଟେଣ୍ଡରରେ ସାମିଲ ହୋଇଥିବା ଦୁଇଟିଯାକ କମ୍ପାନିର ମାଲିକ ହେଉଛି ଏକ ବହୁରାଷ୍ଟ୍ରୀୟ କମ୍ପାନି। ଏହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। କେଉଁ ଆଧାରରେ ଏହି କଂପାନିକୁ ଚୟନ କରାଗଲା; ତାହା କେତେ ସ୍ବଚ୍ଛ, ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ। ଏ ନେଇ ରାଜ୍ୟ ଔଷଧ ନିଗମର ଅପରେସନ୍ ଇକ୍ୟୁପମେଣ୍ଟ(ଜିଏମ୍) ସୌଭାଗ୍ୟ ରଂଜନ ରଣସିଂହଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ।