ଗାନ୍ଧିନଗର -:
୨୦୨୨ ଏକ ଏପରି ବର୍ଷ ଯେଉଁ ବର୍ଷରେ ମୋ ମାଆଙ୍କ ଜନ୍ମର ଶତାବ୍ଦୀ ବର୍ଷ ଆରମ୍ଭ ହେଉଛି ଓ ମୋ ବାପାଙ୍କର ଶତାବ୍ଦୀ ବର୍ଷ ପୂରିଯାଉଛି। ମୋ ମାଆଙ୍କ ଜନ୍ମ ମେହେଶାଣା ଜିଲ୍ଲାର ବିସନଗରରେ ହୋଇଥିଲା। ବଡ଼ନଗରଠାରୁ ଏହା ବେଶି ଦୂର ନୁହେଁ। ମୋ ମାଆକୁ ନିଜ ମାଆ ଅର୍ଥାତ ମୋ ଆଈଙ୍କ ସ୍ନେହ ମିଳିପାରିନଥିଲା। ୧୦୦ ବର୍ଷ ତଳେ ଆସିଥିବା ମହାମାରୀରେ ମୋ ଆଈ ଚାଲି ଯାଇଥିଲେ। ମାଆଙ୍କୁ ସେତେବେଳେ କିଛି ଦିନ ମାତ୍ର ହୋଇଥିବ। ତାଙ୍କୁ ତାଙ୍କ ମାଆଙ୍କ କୋଳ, ମାଆଙ୍କ ଚେହେରା କିଛି ବି ମନେ ନାହିଁ। ଥରେ ଭାବନ୍ତୁ ମୋ ମାଆଙ୍କ ପିଲାଦିନ ତାଙ୍କ ମାଆଙ୍କ ବିନା କଟିଛି। ସେ ତାଙ୍କ ମାଆଙ୍କ ପଣତରେ ମୁଣ୍ଡ ରଖିନାହାନ୍ତି, ମାଆଙ୍କ ଆଗରେ ଜିଦି କରିପାରିନାହାନ୍ତି। ମୋ ମାଆ ସ୍କୁଲ୍ର ଦୁଆର ମୁହଁ ବି ଦେଖିନାହାନ୍ତି।
ସେ କେବଳ ଦାରିଦ୍ରତା ଦେଖିଛନ୍ତି। ପିଲାଦିନର ସଂଘର୍ଷ ହିଁ ତାଙ୍କୁ ମଜବୁତ କରି ଦେଇଥିଲା। ତାଙ୍କ ଘରେ ଥିଲେ ସ ବଡ଼ ଝିଅ, ବିବାହ ପରେ ହେଲେ ବଡ଼ ବୋହୂ। ଘରେ ଯେପରି ସମସ୍ତ ଦାୟିତ୍ବ ମାଆଙ୍କ ମୁଣ୍ଡରେ ଥିଲା, ଶାଶୂ ଘରେ ବି ସେହି ସମାନ କଥା ଘଟିଲା। ବଡ଼ନଗରର ଯେଉଁ ଘରେ ଆମେ ରହୁଥିଲୁ ତାହା ଖୁବ୍ ଛୋଟ ଥିଲା। ସେହି ଘରେ କୌଣସି କବାଟ, ଗାଧୁଆଘର ଓ ପାଇଖାନା ନଥିଲା। ଏକ ମାଟି ଘରେ ବାପାମାଆଙ୍କ ସହ ଆମେ ଭାଇଭଉଣୀ ରହୁଥିଲୁ। ଘର ଚଳାଇବା ପାଇଁ ବାପା ଉପାର୍ଜନ କରୁଥିବା ଟଙ୍କା ଯଥେଷ୍ଟ ହେଉନଥିବାରୁ ମାଆ ପର ଘରେ ଯାଇ ବାସନ ବି ମାଜୁଥିଲେ।’