ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ମଙ୍ଗଳା ବଜାର ରେ ଥିବା ଏକ ମୋବାଇଲ ଦୋକାନର ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗତ ୨୦ ତାରିଖ ସନ୍ଧ୍ୟାରେ ତିନିଜଣ ଯୁବକ ମୋବାଇଲ, ଟଙ୍କା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ନେଇଯାଇଥିବା ନେଇ ତିଗିରିଆ ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଆଜି ଏହି ଘଟଣାରେ ଚୋରି ସାମଗ୍ରୀ ନିକଟରେ ଥିବା ଏକ ବିଦ୍ୟାଳୟର ତାଜା ଉପରୁ ଉଦ୍ଧାର କରାଯାଇଥିବା ଥାନା ଆଇଆଇସି ଶ୍ରୀମତୀ ଜେନା ସୂଚନା ଦେଇଛନ୍ତି।ଘଟଣାରୁ ପ୍ରକାଶ ଯେ ତିଗିରିଆ ଥାନା ଅନ୍ତର୍ଗତ ବାଲିପୁଟ ପଞ୍ଚାୟତ ସ୍ଥିତ ବିରିପୁଟ ଗ୍ରାମର ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ ଗତ ୨୦ ତାରିଖ ରାତି ପ୍ରାୟ ସାଢ଼େ ୮ ଟା ସମୟରେ ସେ ନିଜର ମୋବାଇଲ ଦୋକାନ ଯାହାକି ଜେମାଦେଇପୁର ପଞ୍ଚାୟତ ସ୍ଥିତ ମଙ୍ଗଳା ବଜାରରେ ଅବସ୍ଥିତ ଉକ୍ତ ଦୋକାନ ରେ ଥିଲେ।
ଏହି ସମୟରେ ଜଣେ ଯୁବକ ଆସି ସୂର୍ଯ୍ୟ ନାରାୟଣଙ୍କୁ ମୋବାଇଲ ବିକ୍ରି କରୁଛ କି ନାହିଁ ବୋଲି ପଚାରିଥିଲା।ସୂର୍ଯ୍ୟ ନାରାୟଣ ବିକ୍ରି କରୁଥିବା କହିବାରୁ ଆଉ ଦୁଇଜଣ ଯୁବକ ଦୋକାନ ଭିତରକୁ ପଶିଆସି ତାକ ମୁଣ୍ଡରେ ବନ୍ଧୁକ ଲଗାଇ ଦୋକାନର କର ଚାବି ମାଗିବା ସହ ଧରିଥିବା ଖଣ୍ଡାରେ ଦୋକାନର ବିଭିନ୍ନ ଆସବାବପତ୍ର କୁ ହାଣି ପକାଇ ଥିଲେ। ପରେ ଦୋକାନର ସଟର ବନ୍ଦ କରି ୧୧ ଟି ନୂଆ ମୋବାଇଲ, ଲକରରେ ଥିବା ୧୨ ହଜାର ଟଙ୍କା ଓ ପର୍ସରେ ଥିବା ୭ ହଜାର ଟଙ୍କା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଓ ପରିଚୟ ପତ୍ର ନେଇ ପଳାଇ ଥିଲେ।ଏ ନେଇ ତିଗିରିଆ ଥାନାରେ ୧୭/୨୩ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରାଯିବା ସହ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଥଲେ। ଘଟଣାର ଗୁରୁତ୍ୱକୁ ଦେଖି ଅଭିଯୁକ୍ତ ମାନେ ଛାନିଆ ହୋଇ ଚୋରି ସାମଗ୍ରୀ ମଧ୍ୟରେ ୩ ଟି ବଡ଼ ଓ ୪ ଟି ଛୋଟ ମୋବାଇଲ,୧୫ ହଜାର ୪ ଶହ ଟଙ୍କା, ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଗୋଟିଏରେ ବ୍ୟାଗରେ ରଖି ଓ ଘଟଣାରେ ବ୍ୟବହୃତ ଖଣ୍ଡାକୁ ନିକଟରେ ଥିବା କେଏମସି ନୋଡାଲ ବିଦ୍ୟାଳୟର ପରିସରରେ ଥିବା ଏକ ଛାତ ଘର ବାହାର ତାଜାରେ ରଖି ଦେଇଥିଲେ। ଆଜି ଅପରାହ୍ନ ପ୍ରାୟ ୧ ଟା ବେଳେ ବିଦ୍ୟାଳୟର ଛାତ୍ର ତାଜା ଉପରେ ଥିବା ବ୍ୟାଗକୁ ଦେଖି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜେଶ ମହାନ୍ତିଙ୍କୁ ସୂଚନା ଦେଇଥିଲେ। ପରେ ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ଘଟଣା ସମ୍ପର୍କରେ ତିଗିରିଆ ଥାନା ଆଇଆଇସି ଶ୍ରୀମତୀ ଜେନାଙ୍କୁ ସୂଚନା ଦେଇଥିଲେ। ପରେ ଶ୍ରୀମତୀ ଜେନା ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବ୍ୟାଗକୁ ଉଦ୍ଧାର କରିଥିଲେ।