ଥରେ ଚିନ୍ତାକଲେ ଯଦି ଦୋଳବେଦୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନୁହେଁ, ମହାପ୍ରଭୁ ସ୍ୱୟଂ ଦୋଳି ଖେଳନ୍ତେ କେଡେ ବଢିଆ ଦିଶନ୍ତା । ରଥଯାତ୍ରା ଭଳି ଭାବାନ୍ତର ସୃଷ୍ଟି ହୁଅନ୍ତା ମନରେ । ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଆଉ ରଥରେ ବାମନଙ୍କୁ ଦର୍ଶନ କଲେ ମଣିଷ ସାଯୁଜ୍ୟ ମୁକ୍ତିଲାଭ କରେ ବୋଲି କୁହାଯାଏ । କାଳିଆ ଦେହରେ ଅବିର ପକାଇ ଭକ୍ତ ନାଚି ଯାଆନ୍ତେ । ହେଲେ ସେ ଇତିହାସର ଆଉ ପୁନରାବୃତ୍ତି ହେବନାହିଁ । ଇଚ୍ଛିହାସ ପୃଷ୍ଠାରୁ କିଛି କଥା ଆସନ୍ତୁ ଜାଣିବା ।
ଏ ତିନୋଟି ପ୍ରମୁଖ ଯାତ୍ରା ଓଡ଼ିଆ ଜାତୀର ପ୍ରାଣ ଶ୍ରୀ ଜଗନ୍ନାଥଙ୍କୁ ହିଁ ସମର୍ପିତ ହୋଇଛି । ଆଜି ହେଉଛି ପବିତ୍ର ଦୋଳ ଉତ୍ସବ । କାଳିଆ ଠାକୁର ରଙ୍ଗ ଖେଳିବେ, ଦେହରେ ମାଖିହେବେ ଝିମିରି ଫଗୁ । ମା’ ଭୁଦେବୀ, ଶ୍ରୀଦେବୀଙ୍କ ସହ ମିଶି ଦୋଳବେଦିରେ ଦୋଳି ଖେଳିବେ ।
ଇତିହାସର କଥା ଶୁଣିଲେ ଆପଣ ଚମକି ପଡିବେ । ଦିନ ଥିଲା ଯେତେବେଳେ ଆମ କାଳିଆ ସାଆନ୍ତ ନିଜେ ଦୋଳ ବେଦୀକୁ ବିଜେ କରୁଥିଲେ । ବଡ଼ ଦୋଳୀରେ ବସି ଦାରୁ ଦିଅଁ ଝୁଲୁଥିଲେ । ହେଲେ ୧୪୮୨ ଶକାବ୍ଦରେ ଘଟିଲା ବଡ଼ ଅଘଟଣ । ଉତ୍କଳରେ ଗଉଡ଼ିଆ ଗୋବିନ୍ଦ ଦେବଙ୍କ ଶାସନ କାଳର ଏ କଳା ଇତିହାସ ଆଜି ବି ପ୍ରତି ଓଡ଼ିଆକୁ ଦୁଃଖରେ ମ୍ରିୟମାଣ କରି ପକାଇବ ।
ସାରା ଶ୍ରୀକ୍ଷେତ୍ର ଅବିର ରଙ୍ଗରେ ରଙ୍ଗମୟ ହୋଇଥାଏ । ବଡ଼ ଦେଉଳରେ ସବୁ ଉପକ୍ରମ ସାରି ଦିଅଁ ଦୋଳମଣ୍ଡପ ସାହିକୁ ପହଣ୍ଡି ବିଜେ କରନ୍ତି । ଦୋଳିରେ ବସି ଝୁଲନ୍ତି କାଳିଆ ହାତୀ । ହେଲେ କଥାରେ ଅଛି
‘ସାତଗୋଟି ପର୍ବତରୁ ଅଟଇ ଯେ ଗରୁ, ନାମ ବହିଛନ୍ତି ଯେ ଅଚଳ ମହାମେରୁ’ । ସେଦିନ ସେଇଆ ହେଲା । ଦୋଳି ସମ୍ଭାଳି ପାରିଲାନି ଦାରୁ ଦିଅଁଙ୍କ ଭାର । ମହାପ୍ରଭୁ ଖସିପଡିଲେ ଦୋଳୀରୁ । ଶ୍ରୀ ବିଗ୍ରହଙ୍କ ଶ୍ରୀହସ୍ତ ଭଗ୍ନ ହେଲା । ଖାଲି ଶ୍ରୀକ୍ଷେତ୍ର ନୁହେଁ, ସାରା ଉତ୍କଳରେ ଚହଳ ପଡିଗଲା । ଏ ଜାତିର ମଉଡମଣୀଙ୍କ ଶ୍ରୀହସ୍ତ ବିଘ୍ନ ହୋଇଛି । ଦୋଳପୂର୍ଣ୍ଣିମାରେ ଘଟିଛି ମହା ଅଘଟଣ ।
ପରେ ଦଇତା ଭଗାରିଏ, ମଣିମାଙ୍କ ଅଙ୍ଗଲାଗି ହୋଇ ସୁସ୍ଥ କରାଇବା ପରେ ବଡ଼ ଦେଉଳକୁ ବିଜେ କଲେ ବଳିଆରଭୂଜ । ଆଉ ସେବେଠାରୁ ଦାରୁ ଦିଅଁ ଦୋଳକୁ ବିଜେ କଲେନାହିଁ । ଅର୍ଚ୍ଚା ପ୍ରତିମା ଦୋଳଗୋବିନ୍ଦ, ମା’ ଭୂଦେବୀ, ଶ୍ରୀଦେବୀ ସେହିଦିନଠାରୁ ଦୋଳବେଦୀକୁ ବିଜେ କରୁଛନ୍ତି ।