ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କ ‘ରୁଦ୍ରସୁଧାନିଧି’ ପରି, ଏହା ଏକ ପଦ୍ୟଧର୍ମୀ ଗଦ୍ୟ ରଚନା । ଷୋଡ଼ଶ ଶତାବ୍ଦୀର ବୈଷ୍ଣବ କବି ଶରଣ ଦାସଙ୍କର ଏକ ପ୍ରସିଦ୍ଧ ଗ୍ରନ୍ଥ ‘ଚାଚେରୀ ଲୀଳା’ । ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଦୋଳ ଉତ୍ସବର ସବିଶେଷ ବର୍ଣ୍ଣନା ଏହି ଗ୍ରନ୍ଥରୁ ମିଳେ । ଶ୍ରୀଜଗନ୍ନାଥଙ୍କ ଷୋଡ଼ଶ ଶତାବ୍ଦୀର ଦୋଳଯାତ୍ରାର ସୁନ୍ଦର ଚିତ୍ର ଏଥିରୁ ମିଳେ ।
ଶ୍ରୀଜଗନ୍ନାଥଙ୍କ ଦୋଳଯାତ୍ରାର ସବିଶେଷ ବର୍ଣ୍ଣନା ସହିତ ‘ଚାଚେରୀ ଲୀଳା’ରେ ଏହି ଉତ୍ସବ ସଂପର୍କରେ ଏକ କାଳ୍ପନିକ ଉପାଖ୍ୟାନର ଅବତାରଣା କରାଯାଇଛି । କବିଙ୍କ ଅନୁସାରେ- ରାଧାଙ୍କ ସହିତ ମିଳିତ ହେବା ଉଦ୍ଦେଶ୍ୟରେ ଏହା ଥିଲା ଶ୍ରୀକୃଷ୍ଣଙ୍କର ଏକ ପରିକଳ୍ପନା । ରାଧାଙ୍କର ଏକ କର୍ଣ୍ଣ ଅଳଙ୍କାର (ତଡ଼କି) ହଜି ଯାଇଥିଲା । ତେଣୁ ତାହା ମାଧ୍ୟମରେ, ରାଧାଙ୍କ ସହିତ ମିଳିତ ହେବା ଲାଗି ଶ୍ରୀକୃଷ୍ଣ ଏହି ଅଭିନବ ଉତ୍ସବର ଆୟୋଜନ କରିଥିଲେ । ଏ ବାବଦରେ ସଖାମାନଙ୍କୁ ସେ କହିଲେ “ଏବେ ଆମ୍ଭେ ଉପାୟେ କରିବା । ଦୋଳଯାତ କରି ଆମ୍ଭେ ଯାତେ ଭିଆଇବା । ରାତ୍ର ଚାଚେରୀ ବୁଲିବା । ଦୀପ ଦିହୁଡ଼ି ହୁଳା ଜାଳିବା । ଏ ତଡ଼କି ନେତେ ବାନ୍ଧି ଛାମୁରେ ଥିବା । ଯେ ମୋହର ବୋଲିବ ଦେଖି ଜାଣିବା ।” କବି ଶରଣ ଦାସଙ୍କ ଅନୁସାରେ, ଏହିପରି ଶ୍ରୀକୃଷ୍ଣ ଆରମ୍ଭ କରିଥିଲେ ଏହି ଦୋଳଯାତ ।
‘ଚାଚେରୀ ଲୀଳା’ ପରି, ଷୋଡ଼ଶ ଶତାବ୍ଦୀର ‘ଚାଚେରୀ ଭୋଗ’ ସଂପର୍କରେ ବର୍ଣ୍ଣନା ମଧ୍ୟ ଏହି ଗ୍ରନ୍ଥରୁ ମିଳେ । ସେଥିରୁ ଜଣାଯାଏ- ପଣା, ଫେଣା, ସାକର, ଲଡ଼ୁ, ସିଙ୍ଗଡ଼ା, ଖଇ, ଦହି, ଘଷାପାଣି, ଅଦା ପାଚେଳି, ସରଅଧାମ, ଦୁଗୁଣି, ତିଗୁଣି, ବହୁଳ, ଗୋଟିକା, ତାଗରା, ଛେନାମଣ୍ଡା, ନବାତଗୁଣ୍ଡ, ଡାଳୁଅ ଚୁଡ଼ା, ଅମୃତ କୁଣ୍ଡ, ଅମୃତମଣ୍ଡା, କୋରା, ମାଣ୍ଡୁଅ, ମନୋହର, ଖଜା, ଡାଳିମ୍ବଗଜା, ଖଣ୍ଡି ଖଣ୍ଡି ଅଦା, ଆମ୍ବ କଷି, ଟଭା, ନାରଙ୍ଗ, କମଳା, କରମଙ୍ଗା, ଦାରାକ୍ଷ ଫଳ, ଖଣ୍ଡ କଦଳୀ, ଇକ୍ଷୁ, କର୍ପୂର ଏବଂ ନାନା ଜାତିର ଫଳ ଓ ପାକଭୋଗ ସେତେବେଳେ ଶ୍ରୀଜଗନ୍ନାଥଙ୍କୁ ‘ଚାଚେରୀ ଭୋଗ’ରେ ଲାଗି କରାଯାଉଥିଲା ।
Discover more from bnslive.in
Subscribe to get the latest posts sent to your email.