ଟଙ୍କା ଖେଳୁଅଛି ଗଣତନ୍ତ୍ରକୁ …

ନିରଞ୍ଜନ ତ୍ରିପାଠୀ (ବରିଷ୍ଠ ସାମ୍ବାଦିକ)


ଗଣତନ୍ତ୍ର ହେଉଛି ଲୋକମାନଙ୍କର ଶାସନ ବା ସରକାର । ଗଣତନ୍ତ୍ର ଏକ ଲୋକପ୍ରିୟ ଶାସନ ବ୍ୟବସ୍ଥା , ଯାହା ସର୍ବଦା ଜନକଲ୍ୟାଣ ବା ଜନମଙ୍ଗଳ ବା ସମୂହ କଲ୍ୟାଣ ପାଇଁ ଚେଷ୍ଟା କରିଥାଏ । ଗଣତନ୍ତ୍ର ଏକ ଲୋକ ପ୍ରିୟ ଶାସନ ବ୍ୟବସ୍ଥା , ଯାହା ସର୍ବଦା ଜନକଲ୍ୟାଣ ବା ଜନମଙ୍ଗଳ ବା ସମୂହ କଲ୍ୟାଣ ପାଇଁ ଚେଷ୍ଟା କରିଥାଏ   । ଗଣତନ୍ତ୍ର ସମ୍ପର୍କରେ ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନ ଯଥାର୍ଥରେ ଯାହା କହିଥିଲେ   , ତା’ର ଓଡିଆ ଭାଷାନ୍ତର ହେଲା ଗଣତନ୍ତ୍ର ହେଉଛି ଲୋକମାନଙ୍କର , ଲୋକମାନଙ୍କ ଦ୍ଵାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାର   ।

Advertisement


ଅଖଣ୍ଡ ଭାରତରସୀମା କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଛି । ଭାରତ ପରି ସାର୍ବଭୌମ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ସବୁଆଡ଼େ ବିରଳ । ଗଣତନ୍ତ୍ର ହେଉଛି ୧୪୦ କୋଟି ଭାରତୀୟଙ୍କ ଆଶା ଏବଂ ସ୍ୱପ୍ନ । ଭାରତୀୟ ସମ୍ବିଧାନ ପ୍ରଣୟନ ସଂସ୍ଥା ପ୍ରତିଷ୍ଠା ପରେ ଏହାର ଜନକ ହେଉଛନ୍ତି ଡାକ୍ତର ଭୀମରାଓ ଆମ୍ବେଦକର । ଦେଶର ସୁଶାସନ ପାଇଁ ସମ୍ବିଧାନ ପ୍ରସ୍ତୁତ କରି ଆଜି ବିଶ୍ୱ ଇତିହାସରେ ଚିରସ୍ମରଣୀୟ ହୋଇପାରିଛନ୍ତି ଆମ୍ବେଦକର । କିନ୍ତୁ ତାଙ୍କ ପ୍ରଣୀତ ପବିତ୍ର ଗଣତନ୍ତ୍ର ରେ କାଳିମା ଲାଗିଗଲାଣି କ୍ଷମତା ଲୋଭ ରେ ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରୟୋଗ ଯେଉଁଭଳି ଭାବରେ ହେଉଛି, ସେଥିରେ ଜଣେ ସାଧାରଣ/ଭଦ୍ରବ୍ୟକ୍ତି/ସଚ୍ଚୋଟ ବ୍ୟକ୍ତି ନିର୍ବାଚନ ଲଢ଼ିବା ଅସମ୍ଭବ ହୋଇପଡ଼ିଲାଣି । ଧନୀ, ମାଫିଆ, କଳାବଜାରୀ, ଅପରାଧିମାନେ କେବଳ ନିର୍ବାଚନ ଲଢ଼ିବାର ଭିତ୍ତିଭୂମି ତିଆରି ହୋଇସାରିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ସାଧାରଣ/ଭଦ୍ରବ୍ୟକ୍ତି/ସଚ୍ଚୋଟ ବ୍ୟକ୍ତି ଶାସନ ଗାଦିକୁ ଯାଇପାରିବ ନାହିଁ । କେବଳ ଧନୀ, ମାଫିଆ, କଳାବଜାରୀ, ଅପରାଧିମାନେ କ୍ଷମତାକୁ ଆସିବାର ବାଟ ପରିଷ୍କାର ହେବାରେ ଲାଗିଛି, ଯାହା ଗଣତନ୍ତ୍ର ପ୍ରତି ବିପଦ ।ଏଠାରେ କହିବା ବାହୁଲ୍ୟ ହେଲାଣି “ଟଙ୍କା ଖେଳୁଅଛି ଗଣତନ୍ତ୍ର କୁ ” ଏହି ପ୍ରକ୍ରିୟା ଜାରି ରହିଲେ ଆଗାମି ଦିନରେ ଭାରତୀୟ ଗଣତନ୍ତ୍ର ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ଯିବାର ସମ୍ଭାବନା ଦେଖାଦେଇଛି । ତେଣୁ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ହେଲେ ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରୟୋଗକୁ ବନ୍ଦ କରିବା ସହିତ ଭଦ୍ର ବ୍ୟକ୍ତିମାନେ କିପରି ଶାସନ ଗାଦିକୁ ଆସିପାରିବେ ସେ ଦିଗରେ ନିର୍ବାଚନ କମିଶନ ତତ୍ପରତା ପ୍ରକାଶ କରି କଠୋର ଆଇନ ଆଣିବା ଉଚିତ l ଆଉ ଏକ ବ୍ୟାଧି ହେଲା ଦଳ ବଦଳ, ଏହି ଦଳ ତ୍ୟାଗ ବ୍ୟାଧି କେନ୍ଦ୍ର ରାଜନୀତି ହେଉ କି ରାଜ୍ୟ ରାଜନୀତି ହେଉ ସମ୍ପୂର୍ଣ ବ୍ୟାପି ଗଲାଣି ।ଯାହା ଦେଶ ର ପ୍ରଗତି ପାଇଁ ଶୁଭଙ୍କର ନୁହେଁ l ଅତି ନିର୍ଲ୍ଲଜ ଭାବରେ ପ୍ରତ୍ୟେକ ରାଜନୈତିକ ଦଳ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି । ବହୁ ଜାକଜମକରେ ଦଳ ତ୍ୟାଗୀ ମାନଙ୍କୁ ଫୁଲମାଳ,ଫୁଲତୋଡା ଓ ଚାଦର ପକାଇ ସ୍ୱାଗତ ଜଣାଉଛନ୍ତି । କେତେବେଳେ ଏହାକୁ ଘର ବାହୁଡ଼ା ତ କେତେବେଳେ ମିଶାଣ ଫେଡ଼ାଣ ବୋଲି କୁହାଯାଉଛି । ଆମ ନେତା ମାନେ ମଧ୍ୟ ନିର୍ଲ୍ଲଜ ଭାବରେ ନିଜ ମୁହଁର ଭାଷା ବଦଳାଇ ଦେଉଛନ୍ତି । କାଲି ଯାହାର ନିନ୍ଦା କରୁଥିଲେ, ଆଜି ଶତମୁଖରେ ତା’ର ପ୍ରଶଂସା ଗାନ କରୁଛନ୍ତି । ନିଜର ପୁରୁଣା ଦଳ ଓ ପୁରୁଣା ସାଙ୍ଗକୁ ଗାଳି ଦେଉଛନ୍ତି । ଏହି ଦଳ ତ୍ୟାଗୀ ମାନେ ଅନ୍ୟ ଦଳରେ ଯୋଗ ଦେଇ କେବେ ବି ମାନସିକ ଶାନ୍ତି ପାଇପାରିବେ ନାହିଁ, ଏହା ଏକପ୍ରକାର ନିଶ୍ଚିତ । ସାମୟିକ ଭାବେ କିଛି ପଦ ପଦବୀ ପାଇ ସେମାନେ ହୁଏତ ଥଇଥାନ ହୋଇ ପାରନ୍ତି, ହେଲେ ପରବର୍ତ୍ତୀ କାଳରେ ନୂତନ ଦଳରେ ସେମାନେ ଅଲୋଡ଼ା ଓ ଅବାଂଛିତ ହେବା ନିଶ୍ଚିତ ଏହା ସହ ଏଭଳି ଦଳତ୍ୟାଗୀ ନେତା ଙ୍କ ଠୁଁ ସୁଶାସନ କଳ୍ପନା ଅସମ୍ଭବ ମନେହୁଏ l କଥାରେ ଅଛି, ସ୍ୱଧର୍ମେ ନିଧନଃ ଶ୍ରେୟ, ପରଧର୍ମଃ ଭୟାବହଃ । ତଥାପି ମଣିଷ ସଂକୀର୍ଣ୍ଣ ସ୍ୱାର୍ଥ କେଇଟା ଟଙ୍କା ପାଇଁ ଅର୍ଥ ସର୍ବସ୍ବ ଭାବି ନିଜ ଦଳ ଓ ଜାତି ପ୍ରତି ବିଶ୍ୱାସ ଘାତକତା କରେ ଏତିକି ନୁହେଁ, ପବିତ୍ର ଗଣତନ୍ତ୍ର କୁ ନିଲାମ କରିବାକୁ ପଛାଏ ନାହିଁ । ସେଇଥିପାଇଁ ଏ ମାଟିରେ ଜୟଚନ୍ଦ୍ର ଓ ମୀରଜାଫର୍ ସୃଷ୍ଟି ହୁଅନ୍ତି । ଏହି ଦଳ ବଦଳ ଯୋଗୁଁ ସରକାର ସବୁବେଳେ ଅସ୍ଥିର ରହୁଛି । ନୀତି ଆଦର୍ଶ ଅପେକ୍ଷା ପଦ ପଦବୀର ମୋହ ଦେଖାଇ ଅନ୍ୟ ମାନଙ୍କୁ ଆକୃଷ୍ଟ କରା ଯାଉଛି ।ଦଳ ତ୍ୟାଗ ଓ ଦଳବଦଳ ରାହୁ ଓ କେତୁ ଭଳି ଭାରତୀୟ ଗଣତନ୍ତ୍ରକୁ ଗ୍ରାସ କରିସାରିଲାଣି । ନିର୍ଲଜ, ପ୍ରବଞ୍ଚନାପୂର୍ଣ୍ଣ, ସ୍ୱାର୍ଥଖୋର ହୀନ ରାଜନୀତି କରୁଥିବା ନେତାଙ୍କୁ ବାରମ୍ବାର ନିର୍ବାଚିତ ନକରି ସରକାରୀ ଚାକରିଆ ଙ୍କ ଭଳିଆ ପଦୋନ୍ନତି(ପ୍ରମୋଶନ) ଦିଆଯିବା ଭଳି ବିଚାର କଲେ ଏମାନେ ସାଦରେ ଗ୍ରହଣ କରିନେବେ l ଦେଶ ତଳକୁ ଯାଉ, ଗଣତନ୍ତ୍ର ବିପନ୍ନ ରେ ଥାଉ ଏମାନଙ୍କ କିଛି ଯାଏ ଆସେ ନାହିଁ ।ଅର୍ଥ ହିଁ ସର୍ବସ୍ବ ବୋଲି ଏମାନେ ସ୍ଥିର କରିସାରିଲେଣି l ଟଙ୍କା ର ଖେଳରେ ଗଣତନ୍ତ୍ର ସଉଦା ଦ୍ରବ୍ୟ ହୋଇଗଲାଣି l ବାସ୍ତବ ଚିତ୍ର ଦେଖିଲେ ଟଙ୍କା ହିଁ ଗଣତନ୍ତ୍ର କୁ ଖେଳୁଛି l ଭଗବାନ କ୍ଷମତା ଓ ଅର୍ଥ ପିପାସୁ ଙ୍କୁ ସଦବୁଦ୍ଧି, ସତବିଚାର ଦିଅନ୍ତୁ l ଗଣତନ୍ତ୍ର ର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହୁ ବିଶ୍ୱନିୟନ୍ତା ଙ୍କୁ ଏତିକି ପ୍ରାର୍ଥନା l

ପଦ୍ମପୁର, ବରଗଡ (ଓଡିଶା)

Advertisement

Leave a Reply

Your email address will not be published. Required fields are marked *