ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାର ମୁଖ୍ୟ ଦେବତା ହେଉଛନ୍ତି ଶ୍ରୀମଦନମୋହନ। ଶ୍ରୀଜଗନ୍ନାଥଙ୍କଠାରୁ ଏହିଯାତ୍ରା ପାଇଁ ସେ ଆଜ୍ଞାମାଳ ପାଇଥାଆନ୍ତି। ଏଣୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ବା ଉତ୍ସବ ପ୍ରତିମା ଭାବରେ ସେ ଏହି ଲୀଳା କରନ୍ତି। ତତ୍ତ୍ୱବିତ୍ମାନେ ଈଶ୍ୱରଙ୍କର ଯେଉଁ ଦୁଇଟି ରୂପ ନିର୍ଣ୍ଣୟ କରିଛନ୍ତି, ତାହା ହେଉଛି- ଈଶ୍ୱରରୂପ ଓ ବ୍ରହ୍ମରୂପ। ତାହା ଅନୁସାରେ ଶ୍ରୀଜଗନ୍ନାଥ ବ୍ରହ୍ମରୂପ ଓ ଶ୍ରୀମଦନମୋହନ ଈଶ୍ୱରରୂପ। ବ୍ରହ୍ମରୂପରେ ଶ୍ରୀଜଗନ୍ନାଥ ସ୍ୱୟଂ ଦୁଇଟି ଯାତ୍ରା- ସ୍ନାନ ଓ ଶ୍ରୀଗୁଣ୍ଡିଚା ଯାତ୍ରା କରିଥାନ୍ତି। ଏଣୁ ଏହି ଦୁଇଯାତ୍ରା ତାଙ୍କର ‘ସ୍ୱୟଂଲୀଳା’ ।
ଅନ୍ୟ ସମସ୍ତ ଯାତ୍ରା, ସେ ଆଜ୍ଞାମାଳ ମାଧ୍ୟମରେ ବିଭିନ୍ନ ଉତ୍ସବ ପ୍ରତିମା ବା ଅର୍ଚ୍ଚା ବିଗ୍ରହମାନଙ୍କ ମାଧ୍ୟମରେ କରନ୍ତି। ଚନ୍ଦନଯାତ୍ରାର ଶ୍ରୀମଦନମୋହନ ଅର୍ଚ୍ଚା ବିଗ୍ରହ। ଶ୍ରୀମଦନମୋହନ ତପ୍ତ କାଞ୍ଚନ ବର୍ଣ୍ଣର ଦ୍ୱିଭୁଜ ବଂଶୀଧାରୀ ମୂର୍ତ୍ତି। ଭକ୍ତକବି ବଳରାମ ଦାସଙ୍କ ଅନୁସାରେ, ଚନ୍ଦନଯାତ୍ରା ତାଙ୍କର ବ୍ରଜଲୀଳା। ବହୁ ବୈଷ୍ଣବ ଭକ୍ତକବି ଏହି ବ୍ରଜଲୀଳାର ଉଚ୍ଛ୍ୱସିତ ବର୍ଣ୍ଣନା କରିଛନ୍ତି। ସେମାନଙ୍କ ଅନୁସାରେ, ଶ୍ରୀମଦନମୋହନ ଏହି ଯାତ୍ରାରେ ଗୋପାଳ ଚୂଡ଼ାମଣି ଭାବରେ, ଗୋପାଳ ବେଶରେ ନରେନ୍ଦ୍ର ପୁଷ୍କରିଣୀକୁ ଜଳକ୍ରୀଡ଼ା ନିମନ୍ତେ ଗମନ କରିଥାନ୍ତି। ସାଙ୍ଗରେ ଥାଆନ୍ତି ଶ୍ରୀଦେବୀ, ଭୂଦେବୀ ଏବଂ ରାମ, କୃଷ୍ଣ ଓ ପଞ୍ଚ ମହାଦେବ।
ଏହି ଚନ୍ଦନ ଯାତ୍ରା ବାହାର ଚନ୍ଦନ ୨୧ ଦିନ ଓ ଭିତର ଚନ୍ଦନ ୨୧ ଦିନ- ଏହିପରି ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏଥିମଧ୍ୟରୁ ବାହାର ଚନ୍ଦନର ୨୧ ଦିନରୁ ୨୦ ଦିନ ଶ୍ରୀମଦନମୋହନଙ୍କର ଭିନ୍ନ ଭିନ୍ନ ୨୦ଟି ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶଗୁଡ଼ିକ ହେଉଛି- ନଟବର ବେଶ, ବିଷ୍ଣୁଜନ୍ମବେଶ, ଖଟଦୋଳିବେଶ, ରାଜାଧିରାଜ ବେଶ, ବତ୍ସାଚାରଣ ବେଶ, ବତ୍ସାହରଣ ବେଶ, ଗୋମତୀକୃଷ୍ଣ ବେଶ, ଅଘାସୁର ବଧ ବେଶ, ଚକ୍ରନାରାୟଣ ବେଶ, ନାବକେଳି ବେଶ, ରାସମଣ୍ଡଳୀ ବେଶ, ନୃସିଂହ ବେଶ, କନ୍ଦର୍ପରଥ ବେଶ, ଷଡ଼ଭୁଜ ଗୌରାଙ୍ଗ ବେଶ, ରଘୁନାଥ ବେଶ, ବସ୍ତ୍ରହରଣ ବେଶ, ଗିରିପୂଜା ବେଶ, ଗିରିଧାରଣ ବେଶ, ଗଜ ଉଦ୍ଧାରଣ ବେଶ ଓ କୁଞ୍ଜଦୋଳି ବେଶ। ଏହା ସୂଚାଏ, ଯେ ବଂଶୀଧାରୀ ଶ୍ରୀକୃଷ୍ଣ ଭାବରେ ଶ୍ରୀମଦନମୋହନ ବହୁ କୃଷ୍ଣଲୀଳାତ୍ମକ ବେଶ ହେଉଥିଲେ ମଧ୍ୟ, ସେ ଚକ୍ର ନାରାୟଣ, ସେ ରଘୁନାଥ ଓ ସେ ନୃସିଂହ।