ସୋଫିଆ ଆଜି ପ୍ରତି ଘରେ ପରିଚିତ, ଅଭିନୟରେ ପାଦ ଥାପିବା ପାଇଁ ସେ ଏଭଳି କରିଥିଲେ …

ବାପା ସିକନ୍ଦର ଆଲମ୍‌ ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ। ସାନ ଭଉଣୀ ନାଜିଆ ଆଲମ୍‌ ବି ବାପାଙ୍କ ପଦାନୁକରଣ କରି ଜଣେ ସ୍ବନାମଧନ୍ୟା କଣ୍ଠଶିଳ୍ପୀ। କିନ୍ତୁ ପରିବାରର ଏ ଶୃଙ୍ଖଳକୁ ଭାଙ୍ଗି ସେ ଓଡ଼ିଶାର ଘରେ ଘରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ବିଭିନ୍ନ ଟେଲି-ଧାରାବାହିକରେ ଚରିତ୍ର ଅଭିନୟ କରି ରାଜ୍ୟବାସୀଙ୍କ ମନ ଜିଣିଥିବା ଏହି ଅଭିନେତ୍ରୀ ଏବେ ନିଜର ଦ୍ବିତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ମଞ୍ଚ ନାଟକ ‘ଆହେ ନୀଳଶଇଳ’ରେ ମହାରାଣୀ ଲଳିତା ପାଟଦେଈ ଭୂମିକାରେ ଅବତୀର୍ଣ୍ଣ ହୋଇ ପୁଣିଥରେ ନିଜ ଦମ୍‌ଦାର୍ ଅଭିନୟର ବଳିଷ୍ଠ ପ୍ରମାଣ ଦେଇଛନ୍ତି। ୧୯୯୯ ମସିହାରେ ମାତ୍ର ୧୮ବର୍ଷ ବୟସରେ ସେ ଦୂରଦର୍ଶନର ଧାରାବାହିକ ‘ବିଧାତାର ଖେଳ’ ମାଧ୍ୟମରେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ ‘ଦୁହିତା’, ‘ମହାଯଜ୍ଞ’, ‘ଭାଗ୍ୟ ବିଧାତା’, ‘ଗାୟତ୍ରୀ’ ଓ ‘ସଂସ୍କାର’ ଭଳି ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରି ଓଡ଼ିଶାର ପ୍ରତି ଘରର ସଦସ୍ୟ ପାଲଟି ଯାଇଥିଲେ। ୨୦୦୯ରେ ‘ଡ୍ରିମ୍‌ ଗର୍ଲ’ ଓ ‘ସୁନା ଚଢ଼େଇ ମୋ ରୁପା ଚଢ଼େଇ’ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଟିଭି ପରଦାର ଏହି ‘କାନ୍ଦୁରି ଝିଅ’ ଓ ନାଟକ ଦୁନିଆର ‘ମହାରାଣୀ’ ସୋଫିଆ ଆଲମ୍‌ଙ୍କ ସହ ‘BNS’ ପକ୍ଷରୁ ସସ୍ମିତା ସାହୁଙ୍କ ସ୍ବତନ୍ତ୍ର ସାକ୍ଷାତକାର…

Advertisement

ଚଳଚ୍ଚିତ୍ର ପାଇଁ ଆପଣଙ୍କ ଅନାଗ୍ରହର କାରଣ ?
୧୯୯୯ ମହାବାତ୍ୟା ପରେ ଯେତେବେଳେ ଚଳଚ୍ଚିତ୍ର ବିଶେଷ ସୁଟିଂ ହେଉନଥିଲା, ‘ବିଧାତାର ଖେଳ’ ଧାରାବାହିକରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ବିପକ୍ଷରେ ନାୟିକା ସାଜି ମୋ ଅଭିନୟ ଯାତ୍ରା ଆରମ୍ଭ କରିଥିଲି। ଏହାପରେ ଅନେକଗୁଡ଼ିଏ ଧାରାବାହିକ ମୋତେ ଲୋକପ୍ରିୟତା ଦେଇଥିଲା। ସେତେବେଳେ ଚଳଚ୍ଚିତ୍ରରୁ ବି ବହୁତ ଅଫର୍‌ ଆସୁଥିଲା। ବାପା ଧାରାବାହିକ ପାଇଁ ଅନୁମତି ଦେଇଥିଲେ, କିନ୍ତୁ ସିନେମା ପାଇଁ ସମ୍ପୂର୍ଣ୍ଣ ବାରଣ କରିଥିଲେ। ସେ କାହିଁକି ମନା କଲେ, ମୁଁ କେବେ ତା’ର କାରଣ ଜାଣିବାକୁ ଚାହିନି। ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ସିନେମା ଆଡ଼କୁ ବେଶି ମନ ବଳାଇନାହିଁ।

ସାନ ଭଉଣୀ ବାପାଙ୍କୁ ଅନୁସରଣ କଲେ, ଆପଣ ‘ଅଭିନୟ’କୁ ବାଛିବା ପଛରେ କିଛି ବିଶେଷ କାରଣ ଥିଲା ?
ବାପା, ପ୍ରସିଦ୍ଧ କଣ୍ଠଶିଳ୍ପୀ ସିକନ୍ଦର ଆଲମ୍‌ଙ୍କ ପାଇଁ ସଙ୍ଗୀତ ଖାଲି ସାଧନା ନୁହେଁ, ପୂଜା ଥିଲା। ନାଜିଆ ପାଖରେ ଛୋଟ ବେଳୁ ସେ କଳା ଥିଲା। କିନ୍ତୁ ମୋତେ ଭଲ ଗୀତ ବୋଲି ପାରେନା। ମୋତେ ଅଭିନୟ କରିବାକୁ ଭଲ ଲାଗେ। ତେଣୁ ବାପାଙ୍କ ଅନୁମତିରେ ମୁଁ ଅଭିନୟକୁ ବାଛିଥିଲି। ଅଭିନୟକୁ ମୁଁ ମୋ ଜୀବନ ବ୍ରତ କରିଛି।

ନାଟକରୁ ଦ୍ବିତୀୟ ଇନିଂସ୍‌ ଆରମ୍ଭ କଲେ। ଏତେ ସଫଳତା ମିଳିବ ବୋଲି ଆଶା ଥିଲା ?
ମନରେ ମୋର କିଛି ବି ଦ୍ବ୍ଦ୍ବ ନଥିଲା। ବାସ୍ତବରେ ମୁଁ ନାଟକରେ ଅଭିନୟ କରିବାକୁ ବହୁ ଦିନ ହେଲା ସୁଯୋଗ ଖୋଜୁଥିଲି। ଚକ୍‌ଲେଟ୍‌ ପ୍ରଡକ୍ସନ୍‌ ଯେତେବେଳେ ମୋତେ ଏ ସୁଯୋଗ ଦେଲା ଓ ନାଟକଟି ‘ଜଗନ୍ନାଥ’ଙ୍କ ଲୀଳାଖେଳା ଉପରେ ଆଧାରିତ ବୋଲି ଜାଣିବାକୁ ପାଇଲି, ମୁଁ ସାଙ୍ଗେ ସାଙ୍ଗେ ରାଜି ହୋଇଗଲି। ତେବେ ରାଣୀ ପାଟଦେଈଙ୍କ ଭୂମିକା ମୋ ପାଇଁ ଟିକେ ଆହ୍ବାନପୂର୍ଣ୍ଣ ଥିଲା, ପ୍ରଡକ୍ସନ୍‌ କର୍ତ୍ତୃପକ୍ଷଙ୍କ ବି ମୋ ଉପରେ ଟିକେ ସନ୍ଦେହ ଥିଲା। କିନ୍ତୁ ନିଷ୍ଠା, କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ମୋ କାମକୁ ସହଜ କରିଦେଲା।

କାନ୍ଦୁରି ଝିଅ ଓ ଜଣେ ପାଟରାଣୀ; ଦୁଇ ପ୍ରକାର ଚରିତ୍ରକୁ ଆପଣ କେମିତି ଦେଖନ୍ତି?
‘ଦୁହିତା’ ଧାରାବାହିକ ମୋତେ ଜଣେ ‘କାନ୍ଦୁରି ଝିଅ’ର ପରିଚୟ ଦେଇଥିଲା। ୟା’ ପରେ ମୁଁ ଯେତେ ବି ଧାରାବାହିକ କରିଥିଲି, ସବୁଠି ମୁଁ ମୁଖ୍ୟ ଭୂମିକାରେ ଥିଲି ଓ ସେସବୁ ମୋ ପାଇଁ ଅତି ସରଳ ଥିଲା। ‘ଆହେ ନୀଳଶଇଳ’ ମୋର ସେ ସରଳତାକୁ ଭାଙ୍ଗିଦେବ ବୋଲି ମୋର ଭୟ ଥିଲା। କିନ୍ତୁ ମହାରାଣୀ ଲଳିତା ପାଟଦେଈଙ୍କ ଚରିତ୍ରକୁ ବୁଝିବା ପ‌ରେ ତାହା ମୋତେ ଆକୃଷ୍ଟ କରିଥିଲା। ସ୍ବାମୀ ପ୍ରତାରିତ ନାରୀର ବେଦନା, ପ୍ରଜାଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ଜଣେ ମହାରାଣୀ ଓ ସର୍ବୋପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ବ୍ୟଥିତ ଜଣେ ରାଷ୍ଟ୍ରମୁଖ୍ୟଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ କ’ଣ ହେବା ଦରକାର; ତାହା ସେ ଚରିତ୍ରରେ ଠିକ୍‌ ଭାବେ ଫୁଟାଇ ପାରିଥିବାରୁ ମୁଁ ଭାରି ଖୁସି।

ପ୍ରଥମଥର ପାଇଁ ଦର୍ଶକଙ୍କ ଆଗରେ ସିଧାସଳଖ ଅଭିନୟ କଲେ। ବିଚଳିତ ଲାଗିଲା ?
ମାଟ୍ରିକ୍‌ ପରୀକ୍ଷା ଦେଲା ବେଳେ ବି ମୁଁ ଏତେ ବିଚଳିତ ହୋଇନଥିଲି। ଖୋଲା ମଞ୍ଚ ଚଢ଼ିବା ସମୟରେ ମୋର ହାତ, ଗୋଡ଼ ହେମାଳ ହୋଇଯାଉଥିଲା, ଦେହ ଥରୁଥିଲା। ‌ଏତେ ବର୍ଷ ଅଭିନୟ ପରେ ବି ଦର୍ଶକଙ୍କ ସମ୍ମୁଖରେ ସିଧାସଳଖ ଅଭିନୟ କରିବା କଷ୍ଟକର ଥିଲା। ମହାପ୍ରଭୁ ଜଗନ୍ନାଥ ‌ବୋଧେ ମୋ ଶକ୍ତିର ଉତ୍ସ ଥିଲେ। ନ ହେଲେ ମୁଁ କରିପାରିନଥା’ନ୍ତି।

ନାଟକରେ ରାମଚନ୍ଦ୍ରଦେବଙ୍କ ପାଇଁ ଯେତେବେଳେ ଶ୍ରୀମନ୍ଦିର ପ୍ରବେଶ ନିଷେଧ ହେଉଛି, ଜଣେ ମୁସଲମାନ୍‌ ଧର୍ମାବଲମ୍ବୀ ହିସାବରେ ଆପଣଙ୍କ ମନରେ ବିଦ୍ରୋହ ଆସୁଥିଲା? ରାସ୍ତାରେ ଗଲା ବେଳେ ଆମକୁ ବେଳେବେଳେ ଟ୍ରାଫିକ୍‌ ନିୟମ ଭାଙ୍ଗି ରଙ୍ଗରୁଟ୍‌ରେ ଚାଲିଯିବାକୁ ଇଚ୍ଛା ହୁଏ। କିନ୍ତୁ ଆମେ କ’ଣ ତାହା କରିପାରୁ? ଠିକ୍‌ ସେହିଭଳି, ଆମ ସମାଜ ଗୋଟିଏ ନିୟମକାନୁନ୍‌ ଓ ଶୃଙ୍ଖଳାକୁ ନେଇ ଗତିଶୀଳ। ତେଣୁ ନିଜକୁ ସେ ନିୟମରେ ବାନ୍ଧି ରଖିପାରିଲେ ଜୀବନ ଅଧିକ ଶୃଙ୍ଖଳିତ ହୁଏ। ମୁଁ ଜଣେ ଓଡ଼ିଆ, ଜଗନ୍ନାଥଙ୍କୁ ମୁଁ ବି ବହୁତ ଭଲ ପାଏ, ଭକ୍ତି କରେ। କିନ୍ତୁ ମୁଁ ସବୁ ଧର୍ମର ନିୟମ ଓ ଭାବନାକୁ ସମ୍ମାନ ଦିଏ। ନିୟମ ପାଳନରେ ବିଶ୍ବାସ ରଖେ।

Advertisement

Leave a Reply

Your email address will not be published. Required fields are marked *