ଛତିଶଗଡର ବଡ ଷଡଯନ୍ତ୍ର ପ୍ରଭାବିତ ହେବ ନୂଆପଡା କଳାହାଣ୍ଡି ସହ ୭ ଜିଲ୍ଲା

Creat A Revolution

କଳାହାଣ୍ଡି/ଭବାନୀପାଟଣା -: ଓଡ଼ିଶା ଉପରେ ଛତିଶଗଡ଼ ସରକାର ଦାଉ ସାଧିବାରେ ଲାଗିଛି । ବର୍ତ୍ତମାନ ଛତିଶଗଡ଼ ପକ୍ଷରୁ ଉଭୟ ତେଲ ଓ ଉଦନ୍ତି ନଦୀରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଓଡ଼ିଶାର ଚିନ୍ତା ବଢ଼ାଇଛି । ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ପାଣି ଓ ବିଜୁଳି ପାଇଁ ଛତିଶଗଡ଼ ବଞ୍ଚିତ ହେଉଥିବା ଯୋଗୁ ଏବେ ପ୍ରତିଶୋଧ ନେବା ପାଇଁ ନୂଆ କୌଶଳ ଆରମ୍ଭ କରିବା ଘଟଣା ଓଡ଼ିଶା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Advertisement

ଛତିଶଗଡ଼ର ଗରିଆବନ୍ଧ ଅନ୍ତର୍ଗତ ପେଣ୍ଡରା ଠାରୁ ଉଦନ୍ତି ନଦୀ ବାହାରିଛି । ସେଠାରୁ ଆସି ଓଡ଼ିଶାର ନୂଆପଡ଼ା ଜିଲ୍ଲା ଦେଇ କଳାହାଣ୍ଡିର ତୁରକେଲ ନିକଟ ବୁଢ଼ୀପଦର ନିକଟରେ ତେଲ ନଦୀ ସହିତ ମିଶିଛି । ବର୍ତ୍ତମାନ ଛତିଶଗଡ଼ ସରକାର ସୀତାନଦୀ ନିକଟ ବ୍ୟାଘ୍ର ଅଭୟାରଣ୍ୟ ଠାରେ ଉଦନ୍ତି ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଏଥିନିମନ୍ତେ ଗତ ଦୁଇ ବର୍ଷ ତଳୁ ବ୍ୟୟ ବରାଦ ମଧ୍ୟ ହୋଇଛି । ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କଲେ ଓଡ଼ିଶାର ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବିଶେଷଭାବରେ ପ୍ରଭାବିତ ହେବ । ତେଲ ନଦୀର ଜଳ ମଧ୍ୟ ହ୍ରାସ ପାଇବ । ଉଦନ୍ତି ଅବବାହିକା ଅଞ୍ଚଳରେ ମଧ୍ୟ ମରୁଭୂମି ସୃଷ୍ଟି ହେବ ।

ଉଭୟ ଚାଷ ଓ ପାନୀୟ ଜଳ ଉପରେ ନିର୍ଭର କରୁଥିବା ଲୋକେ ପାଣି ପାଇଁ ନାକେଦମ ହେବେ । ସେହିଭଳି, ତେଲ ନଦୀ ଓଡ଼ିଶାର ଉମରକୋଟ ତହସିଲ ଅନ୍ତର୍ଗତ ଏଣ୍ଡୁରିଗୁଡ଼ାରୁ ବାହାରି ଛତିଶଗଡ଼ ଦେଇ ପୁନର୍ବାର ଓଡ଼ିଶା ଆସି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଦେଇ ସୋନପୁର ଜିଲ୍ଲାର ମନମୁଣ୍ଡା ଠାରେ ମହାନଦୀ ଠାରେ ମିଶିଛି । ଛତିଶଗଡ଼ ସରକାର ତେଲ ନଦୀ ଉପରେ ଓଡ଼ିଶାର ଚନ୍ଦାହାଣ୍ଡି ସୀମାନ୍ତ ଖପରାଡିହି ନିକଟରେ ବ୍ୟାରେଜ ନିର୍ମାଣ କରୁଛି । ଏଥିନିମନ୍ତେ ଛତିଶଗଡ଼ ପକ୍ଷରୁ ପ୍ରାୟ ୧୮କୋଟି ଟଙ୍କା ମଧ୍ୟ ମଞ୍ଜୁର ମଧ୍ୟ ହୋଇଛି । ଏହାଦ୍ୱାରା ଦେଭୋଗ ଅଞ୍ଚଳରେ ପ୍ରାୟ ୩ ହଜାର ହେକ୍ଟର ଜମି ଜଳସେଚିତ ହେବା ଲକ୍ଷ୍ୟ ରଖାଯାଇଛି । ତେଲ ନଦୀରେ ବ୍ୟାରେଜ ନିର୍ମାଣ ଯୋଗୁଁ ଓଡ଼ିଶାବାସୀ ପର୍ଯ୍ୟାପ୍ତ ପାଣି ପାଇବାରୁ ବଞ୍ଚିତ ହେବେ ।

ତେଲ ନଦୀରେ କେବଳ ହାତୀ ନଦୀ ବ୍ୟାରେଜ ପାଣି ଉପରେ ନିର୍ଭର କରିବ । ତେଲ ନଦୀ ଓ ଉଦନ୍ତୀ ନଦୀରେ ଛତିଶଗଡ଼ ବ୍ୟାରେଜ ଯୋଗୁଁ କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ସୋନପୁର, ଢେଙ୍କାନାଳ, ଅନୁଗୁଳ, ବୈାଦ୍ଧ ଓ କଟକ ଜିଲ୍ଲା ପ୍ରଭାବିତ ହେବ । ମହାନଦୀର ମୁଖ୍ୟ ଫିଡର ଭାବରେ ତେଲ ନଦୀ ଥିବାବେଳେ ତେଲ ନଦୀର ଜଳ ସଙ୍କଟ ଓଡ଼ିଶାବାସୀଙ୍କୁ ଅଡୁଆ ସୃଷ୍ଟି କରିବ । ଛତିଶଗଡ଼ ପକ୍ଷରୁ ଉଦନ୍ତୀ ଓ ତେଲ ନଦୀ ଉପରେ ବ୍ୟାରେଜ ନିର୍ମାଣ କରି ପ୍ରତିଶୋଧ ନେବା ପାଇଁ ସୁପରିକଳ୍ପିତ ଷଡ଼୍‌ଯନ୍ତ୍ର ଆରମ୍ଭ ହୋଇଛି । ଓଡ଼ିଶାର ଅପର ଇନ୍ଦ୍ରାବତୀ ପ୍ରକଳ୍ପରୁ ବାମ କେନାଲ ମାଧ୍ୟମରେ ତେଲ ନଦୀ ଉପରେ ଏକ୍ୱାଡେଟ କରି ନଦୀ ଆରପଟେ ଥିବା ଓଡ଼ିଶାର ସନ୍ଧିକୁଲିହାରୀ ଦେଇ ପୁନର୍ବାର ଗୋଲାମୁଣ୍ଡା ବ୍ଲକକୁ ଜଳସେଚିତ କରାଯାଉଛି ।

ସନ୍ଧିକୁଲିହାରୀ ଠାରୁ ମାତ୍ର ୫୦ ମିଟର ଦୂରରେ ଛତିଶଗଡ଼ ସୀମା ରହିଛି । ଛତିଶଗଡ଼ର ଅନୁରୋଧ କ୍ରମେ ଦେଭୋଗ ଅଞ୍ଚଳକୁ ଜଳସେଚନ ନିମନ୍ତେ ପାଣି ଦିଆଯାଇ ନଥିଲା । ଅନ୍ୟପକ୍ଷରେ ମୁଖିଗୁଡା ପାୱାର ପ୍ରୋଜେକ୍ଟ ପକ୍ଷରୁ ପଶ୍ଚିମବଙ୍ଗର ହଳଦିଆ, ମହାରାଷ୍ଟ୍ର ପ୍ରମୁଖ ଅଞ୍ଚଳକୁ ବିଜୁଳି ଦିଆଯାଉଛି ଅଥଚ ଛତିଶଗଡ଼କୁ ବିଜୁଳି ଦିଆଯାଉନାହିଁ । ଏହାର ପ୍ରତିଶୋଧ ନେବାପାଇଁ ଛତିଶଗଡ଼ ଏବେ ନୂଆ କୈାଶଳ ଆରମ୍ଭ କରିଛି । ମହାନଦୀ ଉପରେ ୫ଟି ବ୍ୟାରେଜ ନିର୍ମାଣ ପରେ ଏବେ ଷଷ୍ଠ ବ୍ୟାରେଜ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଛି । ସେହିପରି, ମହାନଦୀ ପରେ ଉଦନ୍ତୀ ଓ ତେଲ ନଦୀ ଉପରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରି ଓଡ଼ିଶାକୁ ମରୁଭୂମିରେ ପରିଣତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏହାଦ୍ୱାରା ଉଭୟ ଜଳସେଚନ ଓ ପାନୀୟ ଜଳ ବିଶେଷ ଭାବରେ ପ୍ରଭାବିତ ହେବ । ସେହିଭଳି ଉଠା ଜଳସେଚନ ମାଧ୍ୟମରେ ହେଉଥିବା ଚାଷ ମଧ୍ୟ ବହୁଳ ଭାବରେ ପ୍ରଭାବିତ ହେବ । ଓଡ଼ିଶାର ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଭୂତଳ ଜଳ ଫ୍ଲୋରାଇଡ ଥିବା ଯୋଗୁଁ ଉଦନ୍ତୀ ଓ ତେଲ ନଦୀ ପାର୍ଶ୍ୱବର୍ତ୍ତୀ ଗ୍ରାମମାନଙ୍କରେ ନଦୀରୁ ପାଇପ ଜଳଯୋଗାଣ ପ୍ରକଳ୍ପ ମଧ୍ୟ ଚାଲିଛି । ଛତିଶଗଡ଼ ଯୋଗୁଁ ଆଗକୁ ଏମାନେ ମଧ୍ୟ ପାନୀୟ ଜଳ ପାଇଁ ବ୍ୟାପକ ସଙ୍କଟର ସମ୍ମୁଖୀନ ହେବେ । ତୁରନ୍ତ ଓଡ଼ିଶା ସରକାର ଛତିଶଗଡ଼ ସରକାର ଉପରେ ଚାପ ପ୍ରୟୋଗ କରି ଉଦନ୍ତୀ ଓ ତେଲ ନଦୀ ବ୍ୟାରେଜ ନିର୍ମାଣରୁ ନିବୃତ ନକଲେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights