୨ ସନ୍ତାନଙ୍କ ସହ ୩ ଭଉଣୀ କଲେ ଆତ୍ମହତ୍ୟା, ୨ ଜଣ ଥିଲେ ଗର୍ଭବତୀ

ଜୟପୁର -: ବିବାହ ଭଳି ଏକ ପବିତ୍ର ସମ୍ପର୍କ ଭିତରେ ଯୌତୁକ ରାକ୍ଷସ ଆଜି ବି ଥମି ନାହିଁ । କେଉଁଠି ନା କେଉଁଠି ଯୌତୁକ ପାଇଁ ଆଜି ବି ଆତ୍ମ ହତ୍ୟା କରୁଛନ୍ତି ମହିଳା । ହେଲେ ଯୌତୁକ ପାଇଁ ରାଜସ୍ଥାନରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା । ଯୌତୁକ ଜୁଇରେ ଏକ ସଂଗରେ ଜଳିଛନ୍ତି ୩ ଭଉଣୀ ବା ଗୋଟିଏ ପରିବାରର ୩ ବୋହୂ । ଏହି ୩ ଭଉଣୀଙ୍କ ସହ ତାଙ୍କର ୨ ଟି ସନ୍ତାନ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ୩ ଭଉଣୀଙ୍କ ଭିତରୁ ୨ ଜଣ ଗର୍ଭବତୀ ଥିବା ମଧ୍ୟ ଜଣାଯାଇଛି ।

Advertisement

ରାଜସ୍ଥାନର ଗୋଟିଏ ପରିବାରରେ ଏହି ୩ ଭଉଣୀ ବିବାହ କରିଥିଲେ ।ଝିଅଙ୍କ ବାପ ଘର ଲୋକ ଅଭିଯୋଗ ଆଣିଛନ୍ତି ଯେ ଯୌତୁକ ପାଇଁ ଶାଶୁ ଘର ଲୋକେ ତାଙ୍କ ଝିଅକୁ ମାରି ଦେଇଛନ୍ତି । ମୃତ ମହିଳାମାନେ ହେଲେ କାଲୁ ମିନା(୨୫), ମମତା(୨୩) ଓ କମଳେଶ(୨୦) । ଏହି ୩ ଭଉଣୀ ରାଜସ୍ଥାନର ଡୁଡୁ ଜୟପୁର ଜିଲ୍ଲାର ଚାପିଆ ଗ୍ରାମରେ ଗୋଟିଏ ପରିବାରର ୩ ଭାଇଙ୍କୁ ବିବାହ କରିଥିଲେ । ତେବେ କିଛି ବର୍ଷ ପରେ ଯୌତୁକ ପାଇଁ ଭଉଣୀମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା ବୋଲି ମୃତକ ପରିବାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।ମଇ ମାସ ୨୫ ରେ ୩ ଭଉଣୀ ଲାପତା ହେବା ପରେ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା । ହେଲେ ପୋଲିସ ଶିଥିଳତା ଅବଲମ୍ବନ କରିଥିଲା ବୋଲି ମୃତକଙ୍କ ପରିବାର ପ’ରୁ ଅଭିଯୋଗ ହୋଇଛି । ଯଦିଓ ମୃତ ଭଉଣୀଙ୍କ କୌଣସି ହାତ ଲେଖା ଚିଠି ମିଳିନାହିଁ ତେବେ ସାନ ଭଉଣୀର ହ୍ଵାଟସଆପ ଷ୍ଟାଟସରେ ଦିଆଯାଇଥିବା ଏକ ଚିଠିରେ ଆତ୍ମ ହତ୍ୟା ସମ୍ପର୍କରେ ତଥ୍ୟ ଜାଣିବାକୁ ମିଳିଛି ।

ସାନ ଭଉଣୀ ଲେଖିଛନ୍ତି  

‘‘ ଆମେ ଏବେ ଛାଡ଼ି ଚାଲି ଯାଉଛୁ, ଭଲରେ ରୁହ, ଆମ ମୃତ୍ୟୁର କାରଣ ଆମ ଶ୍ୱଶୁର ଘର ଲୋକ, ପ୍ରତିଦିନ ମରି ମରି ରହିବା ଅପେକ୍ଷା ଏକାଥରେ ସବୁ ଦିନ ପାଇଁ ମରିଯିବା ଭଲ ।  ତେଣୁ ଆମେ ନିଷ୍ପତ୍ତି ନେଲୁ ଏକାଠି ମରିବାକୁ, ଏହି ଆଶାରେ ଯେ ପୁଣି ଥରେ ଆମେ ପର ଜନ୍ମରେ ୩ ଜଣ ଏକାଠି ହେବୁ । ଆମେ ମରିବାକୁ ଚାହୁଁ ନଥିଲୁ ହେଲେ ଆମ ଶାଶୁ ଘର ଲୋକେ ଆମକୁ ବହୁତ ହାରାସ କରୁଛନ୍ତି । ଆମ ମୃତ୍ୟୁ ପାଇଁ ଆମ ପିତା ମାତାଙ୍କୁ ଅପନିନ୍ଦା ଦେବ ନାହିଁ । ‘‘ 

ପୋଲିସ ୩ ଭଉଣୀଙ୍କ ମୃତ ଦେହ ସହ ୨ ଶିଶୁଙ୍କ ମୃତ ଦେହ ଏକ କୂଅରୁ ଜବତ କରିଛି । ପୋଲିସ ଶ୍ୱଶୁର ଘର ଲୋକଙ୍କ ନାମରେ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ମୃତ ୩ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ ଜେରା କରୁଛି । ଏହି ଘଟଣାରେ ମହିଳା ସମାଜସେବୀମାନେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!