ନବୀନଙ୍କ ୨୨ ବର୍ଷର ଶାସନ… ନା କମିଛି ଲୋକପ୍ରିୟତା ନା ଛୁଇଁଛି ପରାଜୟ

ଆଜିକୁ ଠିକ୍ ୩ ବର୍ଷ ତଳେ … ମେ’ ୨୯, ୨୦୨୨ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଲଗାତାର ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ନବୀନ ପଟ୍ଟନାୟକ । ବିଶାଳ ଜନସମାବେଶ ଭିତରେ ନବୀନ ରେକର୍ଡ ୫ମ ଥର ପାଇଁ ଧରିଥିଲେ ଓଡ଼ିଶା ଶାସନର ମଙ୍ଗ । ୧୧୨ ଆସନରେ ବିଜେଡିର ନିରଙ୍କୁଶ ବିଜୟ ସହ ଓଡ଼ିଶାର ଶାସନ ଗାଦିରେ ବସିଥିଲେ ନବୀନ । ବିରୋଧୀ କେବଳ ମାତ୍ ଖାଇନଥିଲେ ବରଂ ସରକାର ଗଢିବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ଭାଙ୍ଗିଥିଲେ ବିଜେଡି ସୁପ୍ରିମୋ । ଆଉ ଏସବୁ ଭିତରେ ଆଜି ନବୀନଙ୍କ ପଞ୍ଚମ ପାଳିକୁ ତୃତୀୟ ବର୍ଷ ପୁରିଛି । କିନ୍ତୁ ଲଗାତାର ୨୨ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ କମିନି ନବୀନଙ୍କ କ୍ରେଜ । ପୂର୍ବପେକ୍ଷା ଲୋକପ୍ରିୟତା ବଢିଛି ଆଉ ତା ସାଙ୍ଗକୁ ରାଜ୍ୟବାସୀଙ୍କ ଭରସା ଓ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଛନ୍ତି ନବୀନ ।

Advertisement
Naveen Patnaik: The man who transformed Odisha - Special Report News -  Issue Date: Dec 30, 2013

ଯାହାର ଝଲକ ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ଉଭୟ ନିର୍ବାଚନରେ ଦଳର ବୃହତ ବିଜୟ ହିଁ ସଂକେତ ଦେଇଛି ଯେ, ଏବେ ବି ଓଡ଼ିଶାବାସୀଙ୍କ ପ୍ରଥମ ପସନ୍ଦର ଚେହେରା ହେଉଛନ୍ତି ନବୀନ । ଓଡ଼ିଶା ରାଜନୀତି ଇତିହାସରେ ଗତ ୨୨ ବର୍ଷ ହେବ ଲମ୍ବା ରେସର ଘୋଡା ସାଜି ଉଭା ହୋଇଛନ୍ତି ନବୀନ । ନା ଲୋକପ୍ରିୟତା କମିଛି ନା ପରାଜୟ ଛୁଇଁଛି । ଓଡ଼ିଶା ରାଜନୀତିର ଜଣେ ଅପରିଚିତ ଚେହେରା ଥିବା ନବୀନ ଏହି ୨୨ ବର୍ଷ ଭିତରେ ରାଜ୍ୟର ପ୍ରତିଟି ଘରେ ଜଣେ ପରିଚିତ ନାଁ ପାଲଟି ସାରିଛନ୍ତି । ତେବେ ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କର କାହିଁକି ଏତେ ବିଶ୍ୱାସ? କାହିଁକି ବାରମ୍ବାର ନବୀନଙ୍କୁ ବିଜୟ ଭେଟି ଦେଉଛନ୍ତି ଓଡ଼ିଶାବାସୀ? ଆଉ ଏଭଳି ପ୍ରଶ୍ନର ଉତ୍ତର ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଓ ଜନକଲ୍ୟାଣକାରୀ ଯୋଜନା ଭିତରେ ଲୁଚି ରହିଛି ।

ଅପରିଚିତରୁ ଅପ୍ରତିଦ୍ୱନ୍ଦୀ, ଅପରାଜେୟ ଓ ଅଦ୍ୱିତୀୟ । ଦୀର୍ଘ ୨୨ ବର୍ଷ ହେବ ରାଜ୍ୟବାସୀଙ୍କ ଠାରୁ ନବୀନ ପାଇଥିବା ସବୁଠୁ ବଡ ପ୍ରମାଣପତ୍ର । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିଲେ ନବୀନ । ମହାବାତ୍ୟା ମାଡରେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିପଡିଥିବା ବେଳେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଉ ନେଉ ବିକାଶର ବୀଜ ବୁଣିଥିଲେ ନବୀନ । ଯାହା ତାଙ୍କର ଆଗାମୀ ରାଜନୈତିକ କ୍ୟାରିୟର ପାଇଁ ବିଜୟର ରାସ୍ତା ଖୋଲିଥିଲା । ନିଜ ଶାସନର ପ୍ରଥମ ପାଳିରେ ବିକାଶମୂଳକ ଯୋଜନା ମାଧ୍ୟମରେ ନୂଆ ଓଡ଼ିଶାର ନିଅଁ ଖୋଳିଥିଲେ ନବୀନ । ଏହାଛଡା ପ୍ରଥମ ପାଳିରେ ଦୁନୀତିଗ୍ରସ୍ତ ନେତାଙ୍କୁ ଦଳରୁ ଆଉଟ କରି ରାଜ୍ୟବାସୀଙ୍କ ବିଶ୍ୱାସ ଜିଣିଥିଲେ ନବୀନ । ଯେଉଁଥିପାଇଁ ୨୦୦୪ରେ ପୁଣିଥରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ଶାସନଭାର ସମର୍ପି ଦେଇଥିଲେ ରାଜ୍ୟବାସୀ । ୨୦୦୪ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଓଡ଼ିଶା ଉପରେ ଲାଗିଥିବା ଭୋକିଲା ରାଜ୍ୟର ଟ୍ୟାଗ୍ ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ନବୀନ । ରାଜ୍ୟର ଗରିବ ଲୋକଟିଏ ଯେପରି ଭୋକରେ ନ ରହୁ ସେଥିପାଇଁ ୨୦୦୮ରେ ନବୀନ ଆରମ୍ଭ କରିଥିଲେ ୨ ଟଙ୍କିଆ ଚାଉଳ ଯୋଜନା । ଆଉ ଏଭଳି ନିଷ୍ପତି ନବୀନଙ୍କ ତୃତୀୟ ପାଳି ପାଇଁ ବାଟ କଢାଇ ନେଇଥିଲା ।

ବିଜେପି ସହ ଥିବା ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ୨୦୦୯ ନିର୍ବାଚନରେ ନବୀନ ଓ ବିଜେଡିକୁ ମିଳିଥିଲା ବଡ ବିଜୟ । ଆଉ ଏହିଠାରୁ ନବୀନ ଆପଣାଇଥିଲେ ସମଦୂରତ୍ୱ ଫର୍ମୁଲା । ଯାହା ପରବର୍ତ୍ତୀ ସମୟରେ ନବୀନଙ୍କ ଶାସନଗାଦି ପାଇଁ ସବୁଠୁ ବଡ ସୁରକ୍ଷାକବଚ ସାଜି ଛିଡା ହୋଇଥିଲା । ତୃତୀୟ ଥର ଶାସନ ଗାଦିରେ ବସିବା ପରେ ଜନକଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ ନବୀନ । ଜରାୟୁରୁ ଜୁଇ ଯାଏଁ ବିଭିନ୍ନ ଯୋଜନା ଆଣି ଜନତାଙ୍କ ଭରସା ଜିତିଥିଲେ ନବୀନ । ଆଉ ଏହି ପାଳିରେ ନବୀନଙ୍କ ସବୁଠୁ ବଡ ଉପଲବ୍ଧି ଥିଲା ଏସଏଚଜି ଗ୍ରୁପ୍ ଗଠନ । ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ନବୀନ ଯେଉଁ ଐତିହାସିକ ପଦକ୍ଷେପ ନେଇଥିଲେ ତାହାର ଫାଇଦା ଏବେ ୭୦ ଲକ୍ଷ ମହିଳାଙ୍କୁ ମିଳୁଛି । ସେହିଭଳି ମମତା ଯୋଜନାରେ ଗର୍ଭବତୀଙ୍କୁ ଆର୍ଥିକ ସହାୟତା ପ୍ରଦାନ, ନବୀନଙ୍କ ପାଇଁ ବଡ ମହିଳା ଭୋଟବ୍ୟାଙ୍କ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା । ଆଉ ଏହି ମହିଳା ଭୋଟବ୍ୟାଙ୍କ ହିଁ ୨୦୧୪ ନିର୍ବାଚନରେ ରାଜ୍ୟରେ ମୋଦି ଲହରକୁ ଅଟକାଇବାରେ ଯଥେଷ୍ଟ ସହାୟକ ହୋଇଥିଲା । କାମ କରିନଥିଲା ମୋଦି ମ୍ୟାଜିକ, ଫେଲ୍ ମାରିଥିଲା ବିଜେପି ଚାଣକ୍ୟଙ୍କ ରଣନୀତି ।

ଯେଉଁଥିପାଇଁ ପୁଣିଥରେ ୨୦୧୪ରେ ଚତୁର୍ଥ ଥର ପାଇଁ ବିଜୟ ବାନା ଉଡାଇଥିଲେ ନବୀନ ।୨୦୧୪ରେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଆଉ ଚୁପ୍ ବସିନଥିଲେ ନବୀନ । ନୂଆ ନୂଆ ଯୋଜନା ସାମ୍ନାକୁ ଆଣି ପ୍ରତିଟି ପରିବାର ପାଖରେ ସେ ପହଞ୍ଚିବାକୁ ଆରମ୍ଭ କରିଥିଲେ ପ୍ରୟାସ । ଭୋକିଲାଙ୍କ ଭୋକ ଦୂର କରିବାକୁ ଆହାର, ସୁସ୍ଥ ଓଡ଼ିଶା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଚାଷୀଙ୍କ ପାଇଁ କାଳିଆ ଯୋଜନା ଆଣି ନବୀନ ଯେଉଁ ମାଷ୍ଟରଷ୍ଟ୍ରୋକ ମାରିଥିଲେ ତାହା ବିରୋଧୀଙ୍କ ନିଦ ହଜାଇ ଦେଇଥିଲା । ନବୀନଙ୍କ ଏହି ନିଷ୍ପତି ଯୋଗୁଁ ଗରିବ ରୋଗୀ, ଚାଷୀ ଓ ଭୋକିଲା ଉପକୃତ ହୋଇଥିଲେ ଆଉ ବିରୋଧୀ ମାତ୍ ଖାଇଥିଲେ । ସେହିଭଳି ବିପର୍ଯ୍ୟୟ ମୁକାବିଲା ଉପରେ ଫୋକସ କରି ବାତ୍ୟା, ବନ୍ୟା ସମୟରେ ଜିରୋ କାଜୁଆଲିଟିର ସଂକଳ୍ପ ନେଇ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲେ । କିଛି ଏଭଳି ନିଷ୍ପତି ଯୋଗୁଁ ନବୀନଙ୍କ ପ୍ରତି ଥିବା ଲୋକଙ୍କ ଭରସା ଓ ବିଶ୍ୱାସ ଆହୁରି ଦୃଢ ହୋଇଥିଲା । ଯେଉଁଥିପାଇଁ ୨୦୧୯ରେ ପଞ୍ଚମଥର ପାଇଁ ନବୀନଙ୍କ ସପକ୍ଷରେ ଭରସାର ଭୋଟ ଦେଇଥିଲେ ରାଜ୍ୟବାସୀ । ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ । ଆଉ ପଞ୍ଚମ ପାଳିକୁ ଆଜି ୩ ବର୍ଷ ପୂରିଛି । କିନ୍ତୁ ଏହି ୩ ବର୍ଷ ମଧ୍ୟରେ ନବୀନ ଏମିତି ଅନେକ ଐତିହାସିକ ପଦକ୍ଷେପ ଓ ନିଷ୍ପତି ନେଇଛନ୍ତି ଯାହା ତାଙ୍କର ଲୋକପ୍ରିୟତାକୁ ଆହୁରି ବଢାଇ ଦେଇଛି ।

ମହାମାରୀ ମୁକାବିଲା କ୍ଷେତ୍ରରେ ଓଡ଼ିଶା ମଡେଲକୁ ପୂରା ଦେଶ ଅନୁକରଣ କରିବା ସହ ନବୀନଙ୍କର ଭୂରି ଭୂରି ପ୍ରଂଶସା କରିଥିଲା । ଏପରିକି ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ଦରବାରରେ ଉଦାହରଣ ସାଜି ଉଭା ହୋଇଥିଲା ଓଡ଼ିଶା । ସେହିଭଳି ମନ୍ଦିରର ନବକଳେବର ଠାରୁ ମୋ ସରକାର, କଳା ଠାରୁ କ୍ରୀଡା ପ୍ରତି କ୍ଷେତ୍ରରେ ଦେଖିବାକୁ ମିଳିଛି ନବୀନ ସରକାରର ପାରଦର୍ଶିତା । ଯେଉଁଥିପାଇଁ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମିଳିଛି ଅଦ୍ଭୁତପୂର୍ବ ସଫଳତା । ଏହାବାଦ୍ ଦୁର୍ନୀତିଗ୍ରସ୍ତ ନେତା ଓ ବାବୁଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ତ ପୁଣି କେତେବେଳେ ମନ୍ଦିରର ସୌନ୍ଦଯ୍ୟକରଣ ତ ଆଉ କେତେବେଳେ ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ମେଡିକାଲ ନିର୍ମାଣର ପ୍ରତିଶ୍ରୁତି ଦେଇ ନବୀନ ନିଜର ଷଷ୍ଠ ପାଳି ପାଇଁ ମାର୍ଗ ପ୍ରଶସ୍ତ କରୁଥିବା କୁହାଯାଉଛି । ଲୋକପ୍ରିୟ ଓ ଦୁର୍ନୀତିମୁକ୍ତ ସରକାର, ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା, ମହିଳାଙ୍କୁ ଗୁରୁତ୍ୱ, କ୍ରିୟାଶୀଳ ପ୍ରଶାସନ, ସ୍ୱଚ୍ଛ ଶାସନ । ନବୀନଙ୍କ ଲଗାତାର ବିଜୟ ପଛର ସବୁଠୁ ବଡ ପୁଞ୍ଜି । ଦୀର୍ଘ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ନିଜ ପଲିଟିକାଲ କ୍ୟାରିୟର ଆରମ୍ଭରୁ ଏଯାଏଁ ପରାଜୟ କଣ ଜାଣିନାହାନ୍ତି । ଯେଉଁଥିପାଇଁ ସେ ଅପରାଜୟ ଓ ଅପ୍ରତିଦ୍ୱନ୍ଦୀ ନେତାର ଟ୍ୟାଗ୍ ପାଇଛନ୍ତି । ସେହିଭଳି ନିଜ ଶାସନ କାଳ ଭିତରେ ନବୀନ ଏମିତି କିଛି ନିଷ୍ପତି ନେଇଛନ୍ତି ଯାହାକୁ ଆପଣାଇଛି ପୂରା ଦେଶ । ଯାହା ତାଙ୍କୁ ଅଦ୍ୱିତୀୟ ନେତା ଭାବେ ଗଢିତୋଳିଛି । ଏସବୁ ବାଦ୍ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନିଜର ପରିବାର କହି ଆସୁଥିବା ନବୀନଙ୍କୁ ରାଜ୍ୟବାସୀ ବିକାଶର ବିନ୍ଧାଣୀ ତଥା ଜନପ୍ରିୟ ନେତାର ପରିଚୟ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!