ଆଜି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ୨୦ରୁ ଅଧିକ ସଙ୍ଗଠନର ପ୍ରତିବାଦ

ବାଲେଶ୍ବର -: ବାଲେଶ୍ବରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଆଜି ସକାଳ ୬ଟାରୁ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ ପାଳନ କରାଯାଉଛି। ଆଜି ସହରର ବିଭିନ୍ନ ଛକରେ ରାସ୍ତାବନ୍ଦ କରାଯାଇଥିବାର ଦେଖିବାକୁ ମିଳିଛି। ଏଣେ ବାଲେଶ୍ବରରେ ଦୋକାନବଜାର ବନ୍ଦ ରହିଛି। ତା’ଛଡ଼ା ବସ୍ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିବା ପରିଲକ୍ଷିତ ହୋଇଛି। ସୂଚନାଯୋଗ୍ୟ, ଗତ ୨ ଦିନ ଧରି ସହରରେ ପ୍ରଚାରପତ୍ର ବଣ୍ଟନ ଓ ପଥପ୍ରାନ୍ତ ସଭାରେ ଗୁରୁବାର ଅର୍ଥାତ୍‌ ୧୬ ତାରିଖ ଦିନ ୧୨ଘଣ୍ଟିଆ ବନ୍ଦକୁ ସମର୍ଥନ ଓ ସହଯୋଗ ଯୋଗାଇ ଦେବାକୁ ବିଭିନ୍ନ ଗଣସଂଗଠନ ପକ୍ଷରୁ ନିବେଦନ କରାଯାଇଥିଲା। ବାଲେଶ୍ବର ଜିଲ୍ଲାରେ ଲଗାତାର ଚୋରି, ଡକାୟତି, ହତ୍ୟା, ରାହାଜାନୀ ସମେତ ମଦ, ଗଞ୍ଜେଇ ଓ ବ୍ରାଉନନସୁଗାର ଭଳି ମାରାତ୍ମକ ନିଶା କାରବାର ସାଧାରଣ ଜନଜୀବନ ପ୍ରତି ବିପଦ ସୃଷ୍ଟି କଲାଣି। ସବୁ ସମୟରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

Advertisement

ତେବେ ଅପରାଧ ଦମନରେ ଜିଲ୍ଲା ପୁଲିସ୍‌ର ସ୍ଥାଣୁତା ଓ ନିଷ୍କ୍ରିୟତାକୁ ଦାୟୀ କରି ବିଭିନ୍ନ ଗଣସଂଗଠନ ଓ ରାଜନୈତିକ ଦଳ ତରଫରୁ ଏହି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ଜିଲ୍ଲା ଓକିଲ ସଂଘ ଓ ବାଲେଶ୍ବର ସିଭିଲ୍ ସୋସାଇଟି ତରଫରୁ ଜନଗଣଙ୍କୁ ଅବଗତ କରାଯାଇଛି। ଏହି ଆହ୍ବାନକୁ ସମର୍ଥନକରି ଜିଲ୍ଲାର ୫୦ରୁ ଊର୍ଦ୍ଧ୍ବ ଗଣସଂଗଠନ, ସାମାଜିକ ସଂଗଠନ, ଶ୍ରମିକ ଓ ମହିଳା ସଂଗଠନ ପ୍ରଭୃତିଙ୍କ ସମେତ ବହୁ ରାଜନୈତିକ ଦଳ ବାଲେଶ୍ବର ବନ୍ଦକୁ ସେମାନଙ୍କର ଅକୁଣ୍ଠ ସମର୍ଥନ ଜ୍ଞାପନ କରିଛନ୍ତି। ଗତକାଲି ପୂର୍ବାହ୍ନରେ ବିଭିନ୍ନ ସଂଗଠନ ପକ୍ଷରୁ ବଙ୍କାଖଜୁରୀ ଛକ, ସୁନହଟ ଛକ, ଗୋଳାପୋଖରୀ ଛକ, ମଣ୍ତଳ ମାର୍କେଟ୍‌,  ସିନେମା ଛକ, ଫାଣ୍ଡିଛକ, ଫକୀରମୋହନ ଗୋଲେଇ, ଆଇଟିଆଇ ଛକ, ପୁଲିସ ଲାଇନ ଓ ଷ୍ଟେସନ ଛକ ଆଦି ସ୍ଥାନରେ ବ୍ୟାପକ ପ୍ରଚାର ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଅପରାହ୍‌ଣ ସମୟରେ ଶତାଧିକ ମୋଟର ସାଇକଲ ଆରୋହୀ ସହର ପରିକ୍ରମା କରି ଆସନ୍ତାକାଲି ବାଲେଶ୍ବର ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିବା ଦେଖାଯାଇଥିଲା। ଆଜିର ପଥପ୍ରାନ୍ତ ସଭା ଓ ପ୍ରଚାର ଅଭିଯାନରେ ଜିଲ୍ଲା ଓକିଲ ସଂଘର ସଭାପତି ମନୋଜ ନାୟକ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସମେତ ବିଭିନ୍ନ ସଂଗଠନ ତରଫରୁ ଗୌରାଙ୍ଗ ପାଣିଗ୍ରାହୀ, ଜୟନ୍ତ ଦାସ, ଅବଦୁଲ ରଫିକ୍, ବିକ୍ରମ ପଣ୍ତା, ବନ୍ଦନା ପାତ୍ର, ଶ୍ୟାମସୁନ୍ଦର ଜେନା, ଆଇନଜୀବୀ ସଞ୍ଜିତ ପତି, ବିଚିତ୍ରାନନ୍ଦ ଦାସ, କମଳାକାନ୍ତ ଗ୍ରହାଚାର୍ଯ୍ୟ, ଅଭୟ କୁମାର ସ୍ବାଇଁ, ସନ୍ତୋଷ କୁମାର ସାହୁ ଓ ଯତୀନ ପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ।

ଅନ୍ୟତମ ସଂଗଠନ ଭାବରେ ଭାରତୀୟ ଜନତା ପାର୍ଟି ମଧ୍ୟ ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜିଲ୍ଲା ବନ୍ଦ ଡାକରାରେ ନିଜକୁ ସାମିଲ କରିଛି। ବାଲେଶ୍ବରରେ ଦିନକୁ ଦିନ ହତ୍ୟା, ଛିନ୍‌ତାଇ, ଚୋରି, ଡକାୟତି ସମେତ ଅପରାଧମୂଳକ କାର୍ଯ୍ୟ ବଢ଼ି ଚାଲିଥିବା ବେଳେ ପୁଲିସ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଫଳସ୍ବରୂପ ଜନସାଧାରଣ ଏଭଳି ସମସ୍ୟାର ସମ୍ମୁ୍‌ଖୀନ ହୋଇଆସୁଥିବା ବେଳେ ଏବେ ସରକାରୀ ଅଧିକାରୀ, କର୍ମଚାରୀ ଏପରିକି ପୁଲିସ ବିଭାଗର କର୍ମଚାରୀମାନେ ମଧ୍ୟ ସେଥିରେ ସମ୍ମୁଖୀନ ହେଉଥିବା ଚିନ୍ତାର ବିଷୟ ହୋଇଛି। ବାଲେଶ୍ବର ଏକ ସମ୍ବେଦନଶୀଳ ଜିଲ୍ଲା ହୋଇଥିବା ବେଳେ ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଦୃଷ୍ଟି ଦେବାକୁ ସବୁବେଳେ ଦାବି ହୋଇଆସୁଥିବା ବେଳେ ପୁଲିସ ପ୍ରଶାସନ କେବେ ବି ଏଥିପ୍ରତି ଭ୍ରୁକ୍ଷେପ କରୁନାହାନ୍ତି। ବିଶେଷ କରି ବାଲେଶ୍ବର ସହରରେ ଥାନାଗୁଡ଼ି ଏକ ପ୍ରକାର ଅଚଳ ହୋଇ ପଡ଼ିଥିବା ବେଳେ ଫାଣ୍ଡିଗୁଡ଼ିକ ତାଲା ପକାଇ ଦିଆଯାଇଛି। ଫଳରେ ଏହାର ଫାଇଦା ଉଠାଉଛନ୍ତି ଅପରାଧୀ ଗୋଷ୍ଠୀ। ତେଣୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରେ ତୁରନ୍ତ ସୁଧାର ଆସିବା ପାଇଁ ଦଳ ପକ୍ଷରୁ ଆସନ୍ତାକାଲିର ବନ୍ଦକୁ ସମସ୍ତେ ସମର୍ଥନ ଜଣାଇବାକୁ ଦଳର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତ, ସିପ୍ରା ବାଜପେୟୀ, ସତ୍ୟଜିତ ମିଶ୍ର, ପର୍ଶୁରାମ ବେହେରା, ଆଇନଜୀବୀ ବିଜୟ ପାଣିଗ୍ରାହୀ, କାଉନସିଲର ସତ୍ୟଶିବସୁନ୍ଦର ଦାସ,  ରବିନାରାୟଣ ମହାପାତ୍ର ପ୍ରମୁଖ ନିବେଦନ କରିଛନ୍ତି। ସେହିପରି ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ବାଲେଶ୍ବର ବନ୍ଦ ଡାକରାକୁ ସଫଳ କରିବା ଲାଗି ଆହ୍ବାନ ଦିଆଯାଇଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!