ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମାଆ ବିମଳାଙ୍କ ପୀଠରେ ଆଜିଠାରୁ ଷୋଡ଼ଶ ଉପଚାର ପୂଜା …

ପୁରୀ -: ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମାଆ ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ୨୩ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିବେ। ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିବେ । ମାଆ ବିମଳାଙ୍କ ପୀଠ ନିମନ୍ତେ ପୂଜକ, ଜଣେ ପରୀଚ୍ଛା, ଚଣ୍ଡୀପାଠ, ମନ୍ତ୍ରଯାପକ, ସହସ୍ରନାମ ପାଠକଙ୍କୁ ବରଣ କରାଯିବ । ଏଥିସହ ଶ୍ରୀମନ୍ଦିର ଭିତର ବେଢା ପରିସରରେ ମାଆ ଭୁବନେଶ୍ୱରୀ, ମା ବାଟମଙ୍ଗଳା, ଓ ମା ଉତ୍ତରାୟଣୀ ପୀଠ ପାଇଁ ପୂଜକ ଏବଂ ଚଣ୍ଡୀପାଠକ ବରଣ ହେବେ ।

Advertisement

ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତୀପୀଠ ଯଥା ଦକ୍ଷିଣକାଳୀ, ଆଲମଚଣ୍ଡୀ ଓ କପିଳେଶ୍ୱର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ, ଚଣ୍ଡୀପାଠକ ମାନଙ୍କୁ ମଧ୍ୟ ଆଜି ବରଣ କରାଯିବାର ପରମ୍ପରା ରହିଛି । ସେପଟେ ଆଗ କାଳରେ ପ୍ରତି ଘରର ଦ୍ୱାର ମାନଙ୍କରେ ଦୁର୍ଗାମାଧବ ପଟିରେ ଜଗନ୍ନାଥ ଓ ବିମଳାଙ୍କ ପ୍ରତିମୂର୍ତ୍ତି , ଚତୁର୍ଭୁଜା ଦୁର୍ଗା, ଜୟଦୁର୍ଗା ଶୋଭା ପାଉଥିଲେ । ଭାରତବର୍ଷରେ ସର୍ବତ୍ର ଶିବଦୁର୍ଗା ଉପାସିତ ହେଉଥିବା ବେଳେ ପୁରୁଷୋତ୍ତମ କ୍ଷେତ୍ରରେ ବିମଳା ଓ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ପରମ୍ପରା ଦେଖାଯାଇଥାଏ । ଶାରଦୀୟ ଷୋଡଶ ଦିନାତ୍ମକ ପୂଜାରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିରରେ ବିଜେ କରିଥାନ୍ତି । ପ୍ରଥମ ୮ ଦିନ ସକାଳ ଧୂପ ସମ୍ପନ୍ନ ହେବା ପରେ ଦୁର୍ଗା ମାଧବ ଭଣ୍ଡାର ଘର ନିକଟରୁ ବିମଳା ମନ୍ଦିରକୁ ବିଜେ ହୋଇଥାନ୍ତି । ସନ୍ଧ୍ୟା ଧୂପ ନୀତି ବଢିବା ପରେ ପୁନଃ ଭଣ୍ଡାର ଘର ନିକଟକୁ ବାହୁଡ଼ିଥାନ୍ତି । ତେବେ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ରଥରେ ରଥଯାତ୍ରା କରିଥାନ୍ତି । ଏହାକୁ ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା କୁହାଯାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!