ଆଜି ପବିତ୍ର ଚୈତ୍ର ଶୁକ୍ଳ ନବମୀ ତିଥୀ । ଏହି ଦିନ ସମଗ୍ର ମାନବଜାତି ପାଇଁ ଏକ ଅତି ମହତ୍ୱପୂର୍ଣ୍ଣ ଦିନ । ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଧରାବତରଣ ସହିତ ଧରଣୀମାତା ଧନ୍ୟ ହୋଇଥିଲା ଆଜିର ତିଥିରେ । ଏ ଘଟଣାତ କେଉଁ ହାଜର ହଜାର ବର୍ଷ ତଳର । ତଥାପି ଏହି ଘଟଣା ଆଜି ଭାରତୀୟଙ୍କ ପାଇଁ ଏତେ ପ୍ରାସଙ୍ଗିକ କାହିଁକି । ଜଣେ ଆଦର୍ଶ ପୁତ୍ର, ଆଦର୍ଶ ପତି, ଆଦର୍ଶ, ପିତା ଏବଂ ସର୍ବୋପରି ଜଣେ ପ୍ରଜାବତ୍ସଳ ରାଜା ଭାବେ ଭଗବାନ ଶ୍ରୀରାମ ଯେଉଁ ଅନନ୍ୟ ଉଦାହରଣ ପ୍ରତିଷ୍ଠା କରିଯାଇଛନ୍ତି ତାହା ଆଜିବି ମାନବ ସମାଜ ପାଇଁ ଅନୁକରଣୀୟ ହୋଇ ରହିଛି । ଆଜି ବି ଆମେ ଝୁରୁଛେ ରାମ ରାଜ୍ୟକୁ । ତେବେ କେମିତି ଥିଲା ଏହି ରାମ ରାଜ୍ୟ । ଯାହାକୁ ନେଇ ଗାନ୍ଧିଜୀଙ୍କଠାରୁ ନେଇ ବହୁ ରାଷ୍ଟ୍ରନାୟକ ସ୍ୱପ୍ନ ଦେଖିଆସିଛନ୍ତି । ଦେଖିବା ଏହି ରିପୋର୍ଟରେ ।
ଭଗବାନ ଶ୍ରୀରାମ ଆମ ପାଇଁ କେବଳ ଏକ ପୌରାଣିକ ଚରିତ୍ର ନୁହନ୍ତି । କେବଳ ଏକ କାହାଣୀର ନାୟକ ନୁହନ୍ତି । ଯିଏକି ତ୍ରେତେୟାରେ ଦୂରାଚାରୀ ରାବଣକୁ ବଦ୍ଧ କରି ପୃଥିବୀବାସୀଙ୍କୁ ଆସୁରୀକ ଦୈରାତ୍ମ୍ୟରୁ ମୁକ୍ତି ଦେଇଥିଲେ । ଯଦି ଆମେ ଏହା ବୁଝିଥାଏ ତାହାଲେ ଆମେ ଭଗବାନ ଶ୍ରୀରାମଙ୍କର ପ୍ରକୃତ ପରିଚୟ ଆଜିଯାଏ ଜାଣିପାରିନେ । ପ୍ରକୃତରେ ରାମଙ୍କର ମହିମା ଅବର୍ଣ୍ଣନୀୟ, ଅକଳ୍ପନୀୟ । ଆଜିଯାଏ ଯେତେ ମହାପୁରୁଷ ଯେତେ ମନିଷୀ ମାନବ ସମାଜ ପାଇଁ ଯେଉଁ ଆଦର୍ଶର ତାଲିକା ତିଆରି କରିଛନ୍ତି ସେ ସବୁର ଶ୍ରେଷ୍ଠ ଉଦାହରଣ ହୋଉଛନ୍ତି ଭଗବାନ ଶ୍ରୀରାମ । ସେଥିପାଇଁତ ତାଙ୍କ ଜନ୍ମର ହଜାର ହଜାର ବର୍ଷ ପରେ ବି ଆଜି ସେ ଆମପାଇଁ ପ୍ରସଙ୍ଗିକ ହୋଇ ରହିଛନ୍ତି । ଆଉ ଯେତେବେଳେ ବି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି ରାମ ରାଜ୍ୟ କଥା ଚର୍ଚ୍ଚା ଭିତରକୁ ନିଶ୍ଚିତ ଆସିଛି । ଆଜି ବି ଲୋକେ ସ୍ୱପ୍ନ ଦେଖୁଛନ୍ତି ରାମ ରାଜ୍ୟ ପାଇଁ । ମହାତ୍ମା ଗାନ୍ଧି ବି ସ୍ୱପ୍ନ ଦେଖୁଥିଲେ ରାମ ରାଜ୍ୟ ପାଇଁ । ତେବେ ରାମ ରାଜ୍ୟରେ ଏପରି କଣ ଅଛି । ଆଜିର ସମୟରେ ଯଦି ରାମ ରାଜ୍ୟର ସ୍ଥାପନା ହୋଇଯାଏ ସେ ରାଜ୍ୟ ଦେଖିବାକୁ କିପରି ହେବ । କଣ ପରିବର୍ତ୍ତନ ଆସିବ ସେହି ରାଜ୍ୟରେ । ରାମ ରାଜ୍ୟ ଏକ ଏପରି ବ୍ୟବସ୍ଥାର ରାଜ୍ୟ ଯେଉଁଠାର ପ୍ରତ୍ୟେକ ବ୍ୟକ୍ତି ଧର୍ମର ପାଳନ କରନ୍ତି । ଏଠାରେ ଧର୍ମର ଅର୍ଥ ସମ୍ପ୍ରଦାୟ କିମ୍ବା ପୂଜାପାଠ ନୁହେଁ । ଧର୍ମର ଅର୍ଥ କର୍ମ । ଅର୍ଥାତ ରାମ ରାଜ୍ୟରେ ସମସ୍ତେ ନିଜ କର୍ମ ନିଷ୍ଠାର ସହିତ କରିବେ । ରାମ ରାଜ୍ୟ ଏପରି ଏକ କଳ୍ପନା ଯେଉଁଠାରେ ସମସ୍ତ ଆନନ୍ଦର ସହ ଜୀବନ ବିତାନ୍ତି । ରାମ ରାଜ୍ୟର ଲୋକେ ରୋଗ ଶୋକରେ ଘାଘଣ୍ଟି ହୁଅନ୍ତି ନାହିଁ । କାହାକୁ ଦରିଦ୍ରତା ସ୍ପର୍ଶ କରେ ନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାମ ରାଜ୍ୟର ସମସ୍ତ ପ୍ରଜା ଚରିତ୍ରବାନ ଅଟନ୍ତି । ସେମାନ ନିଜ ଚରିତ୍ରକୁ କେବେହେଲେ ଦୂଷିତ ହେବାକୁ ଦିଅନ୍ତି ନାହିଁ । ରାମ ରାଜ୍ୟରେ ସବୁ ନାଗରିକ ସଦଭାବର ସହ ମିଳିମିଶି ବାସ କରନ୍ତି । ଏଠାରେ ସମସ୍ତେ ଧର୍ମର ୪ ଟି ସିଦ୍ଧାନ୍ତ ପାଳନ କରନ୍ତି । ସେଗୁଡ଼ିକ ହେଲା ସତ୍ୟ, ସୁଦ୍ଧତା , ଦୟା ଓ ଦାନ ।
ରାମ ରାଜ୍ୟରେ କେହି ନିଜ ସ୍ୱପ୍ନରେ ବି ପାପ କରିବା କଥା ଚିନ୍ତା କରେ ନାହିଁ । ଏଠାରେ କୌଣସି ବ୍ୟକ୍ତି କାମ ନକରି ବସି ରହେନି । ଅର୍ଥାତ ରାମ ରାଜ୍ୟରେ ଅଳସୁଆଙ୍କ ପାଇଁ କୌଣସି ସ୍ଥାନ ନାହିଁ । ସମସ୍ତଙ୍କୁ ପୁରୁଷାର୍ଥ କରିବାକୁ ପଡିଥାଏ । ଆଉ ରାମ ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ବି ସମାନ ଭାଗିଦାରୀ ମିଳିଥାଏ । ସେଥିପାଇଁ ଗାନ୍ଧିଜୀ ଶେଷ ଯାଏ ଏହି ରାମ ରାଜ୍ୟର ସ୍ୱପ୍ନ ଦେଖିଥିଲେ । ମହାତ୍ମା ଗାନ୍ଧି ୧୯୨୯ରେ ସାପ୍ତାହିକ ପତ୍ରିକା ୟଙ୍ଗ ଇଣ୍ଡିଆରେ ଲେଖିଥିଲେ – ତାଙ୍କ କଳ୍ପନାର ରାମ କେବେ ଥିଲେ ଏହା ତାଙ୍କୁ ଜଣାନାହିଁ କିନ୍ତୁ ସେ ଏତିକି ଜାଣନ୍ତି ରାମ ରାଜ୍ୟକୁ ନେଇ ପ୍ରାଚୀନ ଅବଧାରଣା ହିଁ ଗଣତନ୍ତ୍ରର ପ୍ରକୃତ ବାଖ୍ୟା । ଯେଉଁଠାରେ ଗରିବରୁ ଗରିବ ଲୋକଟିଏକୁ ବି ସହଜରେ ନ୍ୟାୟ ମିଳିଥାଏ । ରାମ ରାଜ୍ୟ ଏପରି ଏକ ବ୍ୟବସ୍ଥା ଯେଉଁଠାରେ ରାଜା ଓ ରଙ୍କ ଉଭୟଙ୍କୁ ସମାନ ଅଧିକାର ପ୍ରାପ୍ତ ହୋଇଥାଏ । ଗାନ୍ଧିଜୀ କହୁଥିଲେ ପ୍ରତ୍ୟେକ ବ୍ୟକ୍ତି ଭଗବାନ ରାମଙ୍କର ଜୀବନ ଆଦର୍ଶକୁ ନିଜ ଜୀବନରେ ଉତାରିବା ଦରକାର ।
Discover more from bnslive.in
Subscribe to get the latest posts sent to your email.