ଭୁବନେଶ୍ବର -: ଦୁଇ ବର୍ଷ ପରେ ସ୍କୁଲ ଖୋଲିଛି। ଖରାକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ୯ଟା ଯାଏ ପିଲାଙ୍କ ପାଠପଢ଼ା ଚାଲିଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଇଛି। ତା’ପରେ ବି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ହୋଇପାରୁ ନାହିଁ। ବ୍ଳକସ୍ତରୀୟ ଉପସ୍ଥାନ ଯାଞ୍ଚ ସମୟରେ ବହୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁ ନ ଥିବା ଜଣାପଡ଼ିଛି। ରାଜ୍ୟସ୍ତରୀୟ ସମୀକ୍ଷାରୁ ଜଣାପଡ଼ିଛି ଯେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୦% ରହୁଛି। ଅର୍ଥାତ୍ ୩୦ ପ୍ରତିଶତ ଛାତ୍ରଛାତ୍ରୀ କ୍ଲାସରୁମ୍ ଶିକ୍ଷା ଗ୍ରହଣ କରିବାକୁ ଆସୁନାହାନ୍ତି। ଏଭଳି ଏକ ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି। ୧୨ଟି ଶ୍ରେଣୀର ପାଖାପାଖି ୬୦ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢ଼ୁଛନ୍ତି। ଯଦି ରାଜ୍ୟ ସରକାରଙ୍କ ହିସାବକୁ ଦେଖାଯାଏ ତେବେ ୩୦% ଅର୍ଥାତ୍ ୧୮ ଲକ୍ଷ ପିଲା ଆଦୌ ସ୍କୁଲ ଯାଉ ନାହାନ୍ତି।
ହାଇସ୍କୁଲ ଓ ଯୁକ୍ତ୨ରେ ବହୁ ପିଲା ଡ୍ରପ୍ଆଉଟ୍
୮ମ ପାସ୍ ପରେ ୯ମରେ ନାଁ ଲେଖାଇନାହାନ୍ତି
ଘରକୁ ଘର ବୁଲି ପିଲାଙ୍କୁ ଖୋଜିବେ କନିଷ୍ଠ ଶିକ୍ଷକ
ଏତେ ସଂଖ୍ୟକ ପିଲା କୁଆଡ଼େ ଗଲେ? ଅଧାରୁ ପାଠ ଛାଡ଼ିଦେଲେ କି? ଯଦି ପାଠପଢ଼ା ଛାଡ଼ିଲେ ତେବେ ଏବେ ସେମାନେ କେଉଁଠି କ’ଣ କରୁଛନ୍ତି। ଏଭଳି ଆଶଙ୍କା ପ୍ରକାଶ ପାଇଥିବାରୁ ଗଣଶିକ୍ଷା ବିଭାଗ ତନାଘନା ଆରମ୍ଭ କରିଛି। ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଡ୍ରପ୍ଆଉଟ୍ ହୋଇଥିବା ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଶ୍ରୀ ସେଠୀ ଦର୍ଶାଇଛନ୍ତି ଯେ ମାଲକାନଗିରି, ବୌଦ୍ଧ, ଗଜପତି, ସମ୍ବଲପୁର, ନୂଆପଡ଼ା ଜିଲ୍ଲାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରାଜ୍ୟ ହାରଠାରୁ କମ୍ ରହିଛି।
ଗଣଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା କରାଯିବା ସମୟରେ ଜଣାପଡ଼ିଛି ଯେ ୮ମ ଶ୍ରେଣୀ ପାସ୍ କରିବା ପରେ ବହୁ ପିଲା ୯ମ ଶ୍ରେଣୀରେ ନାମ ଲେଖାଇନାହାନ୍ତି। ଅର୍ଥାତ୍ ସେମାନେ ଡ୍ରପ୍ ଆଉଟ୍ ହୋଇଛନ୍ତି। ସେମାନଙ୍କୁ ପୁଣିଥରେ ସ୍କୁଲକୁ ଫେରାଇ ଆଣିବା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବିଦ୍ୟାଳୟକୁ ଆସୁ ନଥିବା ଛାତ୍ରଛାତ୍ରୀଙ୍କୁ ତାଲିକାଭୁକ୍ତ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଏକ ମାଇକ୍ରୋ ସ୍ତରୀୟ ସର୍ଭେ କରାଯାଇପାରେ। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଜାଣିବା ପାଇଁ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକଙ୍କୁ ସେମାନଙ୍କୁ ଘରକୁ ପଠାଯାଇପାରେ। ଏହି କନିଷ୍ଠ ଶିକ୍ଷକମାନେ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କୁ ଉତ୍ସାହିତ କରିବା ଉଚିତ। ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ପଠାଇବାର ଲାଭ ଏବଂ ଛାତ୍ରଛାତ୍ରୀଙ୍କୁ ମାଗଣା ବହି, ୟୁନିଫର୍ମ, ମଧ୍ୟାହ୍ନଭୋଜନ ଓ ସ୍କଲାରସିପ୍ ଯୋଗାଇବା ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରିବା ଆବଶ୍ୟକ। ଯଦି ଆବଶ୍ୟକ ହୁଏ ସ୍କୁଲ ପରିଚାଳନା କମିଟି, ଏସ୍ଏମ୍ଡିସି, ପିଆରଆଇଏସ୍, ଡବ୍ଲୁଏସ୍ଏଚ୍ଜିର ସଦସ୍ୟଙ୍କ ସହାୟତା ନିଆଯାଇପାରେ। ଏହି ପରିପ୍ରେକ୍ଷୀରେ ସମ୍ପ୍ରଦାୟସ୍ତରୀୟ କାର୍ଯ୍ୟକଳାପ ଆରମ୍ଭ କରାଯାଇପାରେ। ଶିକ୍ଷଣ ପୁନରୁଦ୍ଧାର ଯୋଜନା(ଏଲ୍ଆରପି)ର ଲାଭ ଛାତ୍ରଛାତ୍ରୀଙ୍କ ସହିତ ପ୍ରତ୍ୟେକସ୍ତରରେ ବ୍ୟାଖ୍ୟା କରାଯିବାର ଆବଶ୍ୟକତା ରହିଥିବା ନେଇ ଶ୍ରୀ ସେଠୀ ଚିଠିରେ ଉଲ୍ଲେଖ କରିଛନ୍ତି।
Discover more from bnslive.in
Subscribe to get the latest posts sent to your email.