ନୂଆପାଟଣାରେ ଢେଙ୍କାନାଳ ସଦର ପୋଲିସକୁ କାଠଫାଳିଆରେ ଭୟଙ୍କର ମାଡ଼, ଜଣେ ଗୁରୁତର

କଟକ/ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ପଙ୍କାଳ ଗ୍ରାମକୁ ଗୋଟିଏ ଝିଅ ଅପହରଣ କେସର ତଦନ୍ତ ପାଇଁ ଆସିଥିବା ଢେଙ୍କାନାଳ ସଦର ଥାନାର କର୍ମଚାରୀଙ୍କୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଓ ତାର ସହଯୋଗୀଙ୍କ ତରଫରୁ ମାଡ଼ ମରାଯାଇଥିବା ଜଣାପଡିଛି ।ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଢେଙ୍କାନାଳ ସଦର ଥାନାର ଗୋଟିଏ ଝିଅ ଅପହରଣ କେସରେ ଉକ୍ତ ଅପହୃତ ଝିଅ ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ପଙ୍କାଳ ଗ୍ରାମର ବାସିନ୍ଦା ଜଗାଙ୍କ ଘରେ ଥିବାର ସୂଚନା ପାଇ ଆଜି ଅପରାହ୍ନରେ ଢେଙ୍କାନାଳ ସଦର ଥାନାର ୬ ଜଣ କର୍ମଚାରୀ ଗୋଟିଏ ବେସରକାରୀ ଗାଡ଼ିରେ ଆସି ଅଭିଯୁକ୍ତ ଜଗା ନୂଆପାଟଣା ସ୍ଥିତ ଶ୍ରୀଲକ୍ଷ୍ମୀ ଦୋକାନ ଆଗରେ ରହିଥିବା ସୂଚନା ପାଇଥିଲେ ।

Advertisement

ପରେ ଉକ୍ତ ପୋଲିସ ମାନେ ଜଗାକୁ ଉକ୍ତ ସ୍ଥାନରେ ଦେଖି ଗାଡ଼ିରେ ବସିବା ପାଇଁ କହିବାରୁ ଜଗା ଓ ଉକ୍ତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଅଭିଯୁକ୍ତ ଜଗା ଫୋନ ଯୋଗେ ନିଜର ସହଯୋଗୀ ମାନଙ୍କୁ ଘଟଣା ସ୍ଥଳକୁ ଡାକି ଦେଇଥିଲା । ପରେ ଘଟଣା ସ୍ଥଳରେ ଜଗାର ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ସହଯୋଗୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ସେଠାରେ ଉକ୍ତ ସହଯୋଗୀ ମାନେ ଜଗା କୁ ପୋଲିସ କବଳରୁ ଛଡାଇ ନେବା ସହ ଚଢ଼ାଉ ପାଇଁ ପୋଲିସ ଆଣିଥିବା ବେସରକାରୀ ଗାଡିକୁ ବାଡେଇ ତାର ଆଗ କାଚକୁ ଭାଙ୍ଗି ଦେଇଥିଲେ । ପରେ ଉକ୍ତ ଅଭିଯୁକ୍ତ ମାନେ ପୋଲିସକୁ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଏହି ସମୟରେ ଉକ୍ତ ୬ ଜଣିଆ ପୋଲିସ ଟିମର ଢେଙ୍କାନାଳ ସଦର ଥାନା ଏସଆଇ ଚନ୍ଦ୍ରକାନ୍ତ ସେଠୀଙ୍କୁ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଅମାନୁଷିକ ଭାବେ ପିଟିଥିଲେ ।

ଫଳରେ ଶ୍ରୀ ସେଠୀ ମୁଣ୍ଡରେ ଗୁରୁତର ଭାବେ ଆଘାତ ପାଇଥିବା ଜଣାପଡିଛି । ଅଭିଯୁକ୍ତ ଜଗା ଘଟଣା ସ୍ଥଳରୁ ପୋଲିସ ଏସଆଇ ଶ୍ରୀ ସେଠୀଙ୍କର ସର୍ଭିସ ବନ୍ଧୁକଟି ଛଡାଇ ନେଇ ପଳାଇଥିବା ଜଣାପଡିଛି । ଏ ଘଟଣାରେ ଚଢାଉ ପାଇଁ ସ୍ଥାନୀୟ ତିଗିରିଆ ପୋଲିସର ସହଯୋଗ ମିଳିନଥିବା ଗୁରୁତର ଅଭି ଯୋଗ ଆସିଛି । ଏ ସଂକ୍ରାନ୍ତରେ ତିଗିରିଆ ଆଇଆଇସି ସୁଚିତ୍ରା ଜେନା କୈାଣସି ଉତ୍ତର ଦେଇନାହାନ୍ତି । ଘଟଣା ଘଟି ସାରିବା ପରେ ତିଗିରିଆ ଆଇଆଇସି ସୁଚିତ୍ରା ଜେନା ଓ ଏସଆଇ ସନ୍ତୋଷ କୁମାର ପ୍ରଧାନ ଘଟଣା ସମ୍ପର୍କରେ ସୂଚନା ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଆହତ ପୋଲିସ ଏସଆଇ ଶ୍ରୀ ସେଠୀଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ । ଘଟଣା ପରେ ଆଠଗଡ ଉପଖଣ୍ଡ ଅଧିକାରୀ ବିଜୟ କୁମାର ବିଶିଙ୍କ ସମେତ ଢେଙ୍କାନାଳ ସଦର ଥାନା ଆଇଆଇସି ଓ ଏସଡିପିଓ ଆସି ତିଗିରିଆ ଥାନା ରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!