ମହାପ୍ରଭୁଙ୍କ ଚାଚେରୀ ବେଶ, ଶ୍ରୀମନ୍ଦିରରେ ଫଗୁ ଦଶମୀ

ପୁରୀ -: ୧୨ବରଷରେ ତେର ପରବ କେବଳ ଜଗନ୍ନାଥ ସଂସ୍କୃତିରେ ହିଁ ସମ୍ପନ୍ନ ହୋଇଥାଏ । ଶ୍ରୀମନ୍ଦିରରେ ଫଗୁ ଦଶମୀ ସହ ମହାପ୍ରଭୁଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜିଉମାନେ ଝିମିରି ଫଗୁ, ଚନ୍ଦନ ଲାଗି ହୋଇ ବନ୍ଦାପନା ହୋଇଛନ୍ତି । ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁ୍‌ଙ୍କର ଦୋଳ ଉତ୍ସବ ପାଳିତ ହେଉଥିବା ବେଳେ ରବିବାରଠୁ ଏହି ଉତ୍ସବର ଅବସର ସୃଷ୍ଟି ହୋଇଛି । ଶ୍ରୀବିଗ୍ରହମାନଙ୍କୁ ବୋଇରାଣି, ମାଧାବଳୀ ବସ୍ତ୍ର ପରିଧାନ ସହ ଚାଚରୀ ବେଶ କରାଯାଇଛି । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ସ୍ୱର୍ଣ୍ଣ କୁଣ୍ଡଳରେ ଏବଂ ଦେବୀ ସୁଭଦ୍ରାଙ୍କୁ ସୁବର୍ଣ୍ଣ ତଡ଼ଗିରେ ବିଭୂଷିତ କରାଯାଇଛି । ଗୁଣା, ଝୁମ୍ପା ଓ ଅଧରମାଳ ଆଦି ପୁଷ୍ପାଳଙ୍କାରରେ ମଣ୍ଡିତ ହେବା ପରେ ଚାଚେରୀ ଭୋଗ ଲାଗି ହୋଇଛି । ତେବେ ରବିବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ଭକ୍ତମାନେ ଏହି ବେଶ ଦର୍ଶନରୁ ବଞ୍ଚିତ ରହିଛନ୍ତି । ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁ୍‌ଙ୍କ ଆଜ୍ଞାମାଳ ପାଇ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥବଲ୍ଲଭ ମଠରେ ପହଞ୍ଚିଥିଲେ । ସେଠାରେ ଅବିର ଓ ଫଗୁ ଲାଗି କରାଯାଇଥିଲା । ଗବେଷକ ଭାସ୍କର ମିଶ୍ରଙ୍କ ମତ ଅନୁଯାୟୀ, ଚାଚେରୀ ଶବ୍ଦ ସଂସ୍କୃତ ‘ଚର୍ଚରୀ’ ଶବ୍ଦର ଅପଭ୍ରଂଶ । ଚର୍ଚରୀ ହେଉଛି ବସନ୍ତ କାଳରେ ଗାନ କରାଯାଉଥିବା ଗୀତ, ବାଦ୍ୟ, ଆମୋଦପ୍ରମୋଦ ଓ ଆନନ୍ଦୋତ୍ସବକୁ ବୁଝାଏ । ଚାଚେରୀ ବେଶ ହେବା ପରେ ମହାପ୍ରଭୁଙ୍କୁ ଆରିସା, ଧଉଳା, ଘି’ନାଡ଼ି, ଖଇରଚୂଳ ଓ ଖିରି ଭୋଗ ଅର୍ପଣ କରାଯାଇଥିଲା ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!