ମାର୍ଚ୍ଚ ୨୦ତାରିଖରେ ଆସୁଛି ବାତ୍ୟା, ଆସନ୍ତୁ ଜାଣିବା ଓଡିଶାରେ କେଉଁ କେଉଁ ଜିଲ୍ଲାରେ ରହିବ ପ୍ରଭାବ

ଭୁବନେଶ୍ୱର -: ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ଏହା କେତେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ, ସେ ନେଇ କୈାଣସି ସ୍ପଷ୍ଟ ସୂଚନା ନାହିଁ । ତେବେ ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟା ରୂପ ନେଇପାରେ । ଅନ୍ୟପକ୍ଷେ ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିବ କି ନାହିଁ, ତାହା ଏବେଠାରୁ ଆକଳନ କରିବା କଷ୍ଟକର । ବିଗତ ବର୍ଷମାନଙ୍କରେ ମଧ୍ୟ ମାର୍ଚ୍ଚରେ ସୃଷ୍ଟ କୈାଣସି ଘୂର୍ଣ୍ଣିଝଡ଼ ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିନାହିଁ । କିନ୍ତୁ ଜଳବାୟୁ ପରିବର୍ତ୍ତନରେ ଏହି ସାମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତ ଉପକୂଳ ଛୁଇଁବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି କହିଛନ୍ତି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ । ଯଦି ଲଘୁଚାପଟି ବାତ୍ୟାର ରୂପ ନେବ ଓ ଭାରତ ଉପକୂଳ ସ୍ପର୍ଶ କରିବ, ତେବେ ଏହା ଗତ ୧୨୧ ବର୍ଷରେ ମାର୍ଚ୍ଚ ମାସର ୭ମ ବାତ୍ୟା ହେବ । କାରଣ ୧୯୦୧ ମସିହାଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ମାର୍ଚ୍ଚରେ ମାତ୍ର ୬ଟି ବାତ୍ୟା ସୃଷ୍ଟି ହୋଇଛି ବୋଲି ଡ. ପଶୁପାଳକ ସୂଚନା ନେଇଛନ୍ତି । ଅବଶ୍ୟ ଏନେଇ ଆଇଏମ୍‌ଡି ପକ୍ଷରୁ କୈାଣସି ସୂଚନା ମିଳିନାହିଁ ।

Advertisement

ଡ. ପଶୁପାଳକ ବିଭିନ୍ନ ମଡେଲ ଅନୁଧ୍ୟାନ କରି କହିଛନ୍ତି ଯେ ଏନ୍‌ସିଇପି ଜିଏଫ୍‌ଏସ୍ ମଡେଲ ଅନୁଯାୟୀ ସମ୍ଭାବ୍ୟ ଘୂର୍ଣ୍ଣଝଡ଼ଟି ଦିଗ ବଦଳାଇବାର ସମ୍ଭାବନା ରହିଥିବାରୁ ଭାରତ ଉପକୂଳକୁ ସ୍ପର୍ଶ କରିବ ନାହିଁ । ବିଗତ କିଛି ବର୍ଷ ହେଲା ମାର୍ଚ୍ଚରେ ଭାରତରେ ବାତ୍ୟା ହୋଇନାହିଁ । ଏଣୁ ଏଥର ମଧ୍ୟ ଏହା ଭାରତରେ ସ୍ଥଳଭାଗ ନ ଛୁଇଁବାର ଅଧିକ ସମ୍ଭାବନା ରହିଛି । କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏହାର ଭାରତ ଉପକୂଳମୁହାଁ ହୋଇପାରେ । ତଥାପି ଆସନ୍ତା ୨୦ ତାରିଖ ଆଡ଼କୁ ଏନେଇ ସ୍ପଷ୍ଟତା ଆସିଯିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ରାଜ୍ୟର ପାରଦ ଏବେ ଉପରମୁହାଁ ହେବାରେ ଲାଗିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୨ରୁ ୩ ଦିନ ଭିତରେ ୪୦ ଡିଗ୍ରି ଛୁଇଁବ । ବଲାଙ୍ଗୀର, ସୋନପୁର, ମାଲକାନଗିରି, ବୈାଦ୍ଧ, ଅନୁଗୁଳ ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହର ଆକଳନ କରାଯାଉଛି । ଆସନ୍ତା ୧୦ ଦିନ ପୂର୍ବରୁ ଗରମ କମିବାର ସମ୍ଭାବନା କମ୍ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ୧୬ତାରିଖ ସୁଦ୍ଧା ଆଉ ୨ରୁ ୩ ଡିଗ୍ରି ବଢ଼ିବା ଯୋଗୁଁ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଛୁଇଁପାରେ । ୧୭ତାରିଖରୁ ବଙ୍ଗେପସାଗରୀୟ ପବନ ବହିବା ହେତୁ ସର୍ବାଧିକ ତାପମାତ୍ରା ପ୍ରାୟ ୪ ଡିଗ୍ରି କମି ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ବୋଲି ଡ. ପଶୁପାଳକ ସୂଚନା ଦେଇଛନ୍ତି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୫ ଓ ୧୬ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ସୋନପୁର, ବୈାଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼ ଓ ଖୋର୍ଧା ଜିଲ୍ଲାରେ ଅତ୍ୟଧିକ ଖରା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟର ତାପମାତ୍ରା ୪ ଡିଗ୍ରି ବଢ଼ିଯିବ । ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଛୁଇଁବ ଓ ଖରାର ପ୍ରକୋପ ଅଧିକ ରହିବ । ଏହି ସମୟରେ ଅଂଶୁଘାତର ସମ୍ଭାବନା ଥିବାରୁ ଖରାକୁ ନ ବାହାରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଅନ୍ୟନ୍ତ ଜରୁରୀ ହେଲେ ପାଣି ବୋତଲ, ଓଦା ଗାମୁଛା ଓ ଛତା ଧରି ଖରାକୁ ଯିବାକୁ ପରାମର୍ଶ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!