ବଢ଼ିଲା ଡିଜେଲ ଦର: ଲିଟର ପିଛା ୨୫ ଟଙ୍କା ଅଧିକ ଦେବେ, କାହା ପାଇଁ ଲାଗୁ ହେଲା ଆସନ୍ତୁ ଜାଣିବା


ନୂଆଦିଲ୍ଲୀ -: ବିପୁଳ ମାତ୍ରାରେ ଡିଜେଲ ସିଧାସଳଖ କମ୍ପାନି ଠାରୁ କିଣୁଥିବା ବଡ଼ ବଡ଼ ଶିଳ୍ପ ସଂସ୍ଥା, ରେଳବାଇ ଏବଂ ଠିକାଦାରମାନଙ୍କୁ ସରକାରୀ ତେଲ କମ୍ପାନି ଗୁଡ଼ିକ ଆଜି ବଡ଼ ଧରଣର ଝଟ୍‌କା ଦେଇଛନ୍ତି । ଉପରୋକ୍ତ ବର୍ଗର ଗ୍ରାହକ ଆଜିଠୁ ଲିଟର ପିଛା ୨୫ ଟଙ୍କା ଅଧିକ ଦେଇ ଡିଜେଲ କିଣିବେ । ରୁଷ-ୟୁକ୍ରେନ ଯୁଦ୍ଧ ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଛି । ଏଥିପାଇଁ ସରକାରୀ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ, ଡିଜେଲ ବିକ୍ରିରେ କ୍ଷତି ସହୁଛନ୍ତି । ଉକ୍ତ କ୍ଷତିକୁ ଭରଣା କରିବା ପାଇଁ ତେଲ କମ୍ପାନି ଗୁଡ଼ିକ ଅଧିକ ପରିମାଣରେ ଡିଜେଲ କ୍ରୟ କରୁଥିବା ଉପରୋକ୍ତ ଧରଣର କମ୍ପାନି ବା ସଂସ୍ଥା ଗୁଡ଼ିକ ପାଇଁ ଦର ବଢ଼ାଇଛନ୍ତି ।

Advertisement

କିନ୍ତୁ ପେଟ୍ରୋଲ ପମ୍ପରେ ଡିଜେଲ ଦରରେ କୈାଣସି ପରିବର୍ତ୍ତନ କରାଯାଇନାହିଁ । ସରକାରୀ ତେଳ କମ୍ପାନି ଗୁଡ଼ିକ କ୍ଷତି ଭରଣା ପାଇଁ ଏ ପ୍ରକାର ପନ୍ଥା ଆପଣାଇଛନ୍ତି । ପୂର୍ବରୁ ସାଧାରଣ ଖାଉଟିଙ୍କୁ ଯେତିକି ଦରରେ ଡିଜେଲ ବିକ୍ରି କରାଯାଇଥାଏ ତାହାଠାରୁ ଅପେକ୍ଷାକୃତ କମ୍ ଦରରେ ବଡ଼ ସଂସ୍ଥା ଓ କମ୍ପାନିକୁ ଡିଜେଲ ବିକ୍ରି କରାଯାଇଥାଏ । କିନ୍ତୁ ଆଜି ଏଥିରେ ୨୫ ଟଙ୍କା ବଢ଼ାଇଛନ୍ତି । ଦିଲ୍ଲୀରେ ପେଟ୍ରୋଲ ପମ୍ପଗୁଡ଼ିକରେ ଡିଜେଲ ଦର ଲିଟର ପିଛା ୮୬ ଟଙ୍କା ୬୭ ପଇସା ଆଜି ରହିଛି । କିନ୍ତୁ ଶିଳ୍ପ ଏବଂ ବାଣିଜ୍ୟିକ ଉଦ୍ଦେଶ୍ୟରେ ଡିଜେଲ ସିଧାସଳଖ ଟ୍ୟାଙ୍କର ମାଧ୍ୟମରେ କିଣୁଥିବା ଗ୍ରାହକଙ୍କ ପାଇଁ ଏହି ଦର ଲିଟର ପିଛା ପ୍ରାୟ ୧୧୫ ଟଙ୍କା ହୋଇଯାଇଛି ।ସେହିଭଳି ମୁମ୍ବାଇରେ କମ୍ପାନିରୁ ସିଧାସଳଖ ଡିଜେଲ କିଣୁଥିବା ଗ୍ରାହକଙ୍କ ପାଇଁ ଲିଟର ପିଛା ଦର ୧୨୨ ଟଙ୍କା ୫ ପଇସାକୁ ବୃଦ୍ଧି ପାଇଛି ।

କିନ୍ତୁ ପେଟ୍ରୋଲ ପମ୍ପରେ ଡିଜେଲ ଦର ଲିଟର ପିଛା ୯୪ ଟଙ୍କା ୧୪ ପଇସାରେ ବିକ୍ରି ହେଉଛି । ଡିଜେଲ ଦରରେ ଏହି ବିଶାଳ ପାର୍ଥକ୍ୟ ଦେଖାଦେଇଥିବାରୁ କମ୍ପାନିଙ୍କ ଠାରୁ ସିଧାସଳଖ ଅଧିକ ମାତ୍ରାରେ ଡିଜେଲ କିଣୁଥିବା ସଂସ୍ଥା ବା ଗ୍ରାହକମାନେ ଏବେ ଶସ୍ତାରେ ଡିଜେଲ ପାଇବା ପାଇଁ ପେଟ୍ରୋଲ ପମ୍ପରେ ଭିଡ଼ ଲଗାଉଛନ୍ତି । ଫଳରେ ପେଟ୍ରୋଲ ପମ୍ପଗୁଡ଼ିକର ଡିଜେଲ ବିକ୍ରି ବହୁ ପରିମାଣରେ ବଢ଼ିଯାଇଛି । ସରକାରୀ ତେଲ କମ୍ପାନି ଗୁଡ଼ିକ କ୍ଷତିକୁ କମାଇବା ପାଇଁ ଏଭଳି ପନ୍ଥା ଆପଣାଇ ଥିବାବେଳେ ଉପରୋକ୍ତ ବର୍ଗର ଗ୍ରାହକମାନେ ଆହୁରି ଚାଲାକ ହୋଇଯାଇଛନ୍ତି । ସେମାନେ କମ୍ପାନିରୁ ସିଧାସଳଖ ଟ୍ୟାଙ୍କର ଯୋଗେ ଡିଜେଲ ନଆଣି ପେଟ୍ରୋଲ ପମ୍ପରୁ ଅଧିକ ମାତ୍ରାରେ ଡିଜେଲ କିଣୁଛନ୍ତି । ତେଣୁ ତେଲ କମ୍ପାନିଙ୍କ ଏଭଳି ଯୋଜନା ସେମାନଙ୍କୁ କ୍ଷତି ହ୍ରାସ କରିବାରେ ଏବଂ ସାଧାରଣ ଗ୍ରାହକଙ୍କୁ ଦରବୃଦ୍ଧିର ପ୍ରଭାବରୁ ସୁରକ୍ଷା ଦେବାରେ କେତେ ସହାୟକ ହେବ ତାହା ସନ୍ଦୀହାନ ହୋଇପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଫେବ୍ରୁଆରି ମାସର ପ୍ରଥମ ୧୫ ଦିନ ତୁଳନାରେ ମାର୍ଚ୍ଚ ମାସର ପ୍ରଥମ ୧୫ ଦିନରେ ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଗୁଡ଼ିକର ପେଟ୍ରୋଲ ପମ୍ପରେ ଡିଜେଲ ବିକ୍ରି ୩୨.୮ ପ୍ରତିଶତ ବୃଦ୍ଧି ପାଇ ୩.୫୩ ନିୟୁତ ଟନ୍‌ରେ ପହଞ୍ଚିଛି ।


ଅନ୍ୟପକ୍ଷରେ ସାଧାରଣ ଖାଉଟିଙ୍କ ପାଇଁ ଡିଜେଲର ଖୁଚୁରା ଦର କ୍ରମାଗତଭାବେ ରେକର୍ଡ ୧୩୬ ଦିନ ହେଲା ଅପରିବର୍ତ୍ତିତ ରହିଛି । ୨୦୨୧ ମସିହା ନଭେମ୍ବର ୪ ତାରିଖରୁ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରରେ କୈାଣସି ବୃଦ୍ଧି କରି ନାହାନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବହୁମାତ୍ରାରେ ବଢ଼ିଥିଲେ ମଧ୍ୟ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ତେଲ କମ୍ପାନି ଗୁଡ଼ିକ ଚାପରେ ପଡ଼ି ଦର ସଂଶୋଧନ କରି ନଥିବା କୁହାଯାଉଛି । ବିଧାନସଭା ନିର୍ବାଚନ ଫଳ ଗତ ୧୦ ତାରିଖରେ ପ୍ରକାଶ ପାଇବା ପରେ ପେଟ୍ରୋଲ, ଡିଜେଲ ଦର ବଢ଼ିବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା କୈାଣସି କାରଣରୁ ହୋଇନାହିଁ । ବଡ଼ ଗ୍ରାହକମାନେ କମ୍ପାନିରୁ ସିଧାସଳଖ କିଣୁଥିବାରୁ ସେମାନଙ୍କୁ କମ୍ ଦାମରେ ଡିଜେଲ ପୂର୍ବରୁ ମିଳୁ ଆସୁଥିଲା । କିନ୍ତୁ ପ୍ରଥମ ଥର ପାଇଁ ଏଭଳି ବୋଝ ବଡ଼ ଗ୍ରାହକଙ୍କ ଉପରେ ସରକାରୀ ତେଲ କମ୍ପାନିଗୁଡ଼ିକ ଲଦି କ୍ଷତି ଟାଳିବାକୁ ପ୍ରଚେଷ୍ଟା କରିଛନ୍ତି ।

ସଂକଟରେ ଘରୋଇ ତେଲ କମ୍ପାନି


ଦେଶରେ ନାୟରା ଏବଂ ରିଲାଏନ୍ସ-ବିପି ଭଳି କମ୍ପାନି ଘରୋଇ ତେଲ କମ୍ପାନି ଏହାଦ୍ୱାରା ସଂକଟରେ ପଡ଼ିଛନ୍ତି । ସରକାର ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକୁ କ୍ଷତିଭରଣା ପାଇଁ ଶିଳ୍ପ ଓ ବାଣିଜ୍ୟିକ ଉଦ୍ଦେଶ୍ୟରେ କମ୍ପାନି ଓ ଅନ୍ୟ ଗ୍ରାହକ କିଣୁଥିବା ଡିଜେଲ ମୂଲ୍ୟରେ ୨୫ ଟଙ୍କା ବଢ଼ାଇ ଦେଇଛନ୍ତି । ୨୦୦୮ ମସିହାରେ ବି ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଗୁଡ଼ିକ ଉତ୍ପାଦନ ମୂଲ୍ୟଠାରୁ କମ୍ ଦାମରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଥିବାରୁ ସେମାନଙ୍କୁ ସରକାର କ୍ଷତି ଭରଣା ବାବଦରେ ସବ୍‌ସିଡି ପ୍ରଦାନ କରିଥିଲେ । ଏହାଦ୍ୱାରା ଘରୋଇ କମ୍ପାନି ଗୁଡ଼ିକ ସରକାରୀ କମ୍ପାନିଙ୍କ ସହିତ ପ୍ରତିଯୋଗିତ କରି ନପାରି ସଂକଟରେ ପଡ଼ିଥିଲେ । ବର୍ତ୍ତମାନ ମଧ୍ୟ ସେହିଭଳି ସ୍ଥିତି ସୃଷ୍ଟି ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!