ବିଜେଡିରେ ଅନ୍ତଃକନ୍ଦଳ, ଫାଇଦା ଆଶାରେ କଂଗ୍ରେସ ।

ଥୁଆମୂଳ ରାମପୁର,(ପ୍ରଦୀପ ପଣ୍ଡା) -: ଦିନକ ପରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଭୋଟ୍ ଗ୍ରହଣ।ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ଚାଲିଛି ରଣକୌଶଳ।ଦଳୀୟ ସମର୍ଥନର ଶକ୍ତି ବଳରେ ପଦବୀ ହାତେଇବାରେ ଉଦ୍ୟମ ଚଳାଇଛନ୍ତି ନିର୍ବାଚିତ ସମିତି ସଭ୍ୟ।ଆଶାୟୀ ପ୍ରାର୍ଥୀ ମାନେ ନିଜ ସପକ୍ଷରେ ସଂଖ୍ୟାଗରିଷ୍ଠତା ପାଇଁ ବ୍ଲକର ଅନ୍ୟ ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ମାନଙ୍କୁ ମନାଇବାରେ ଜୋରଦାର ପ୍ରୟାସ କରୁଛନ୍ତି।

Advertisement

ହେଲେ ଅଙ୍କ କଷିବାରେ କଠିଣ ପରିଶ୍ରମ କରୁଛନ୍ତି ଆଶାୟୀ ପ୍ରାର୍ଥୀ।ନିଜ ସପକ୍ଷରେ ଆବଶ୍ୟକୀୟ ସଂଖ୍ୟା ରଖିବା ପାଇଁ ଦଳୀୟ ସମର୍ଥନ ଓ ସହଯୋଗର ଆଶା ବାନ୍ଧି ବସିଛନ୍ତି ଆଶାୟୀ ପ୍ରାର୍ଥୀ।ଏଠାରେ ସୂଚନାଯୋଗ୍ୟ ଯେ ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ନିର୍ବାଚନକୁ ନେଇ ଯେତିକି ଗୁରୁତ୍ୱ ରହିଥିଲା ଉପାଧ୍ୟକ୍ଷ ପଦବୀ ଉପରେ ମଧ୍ୟ ସେତିକି ଗୁରୁତ୍ୱ ବଢିଯାଇଛି।ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ଦୟାନିଧି ମାଝୀ ନିର୍ବାଚିତ ହୋଇସାରିଛନ୍ତି।ବ୍ଲକର ତଲାମପଦର ପଞ୍ଚାୟତର ସମିତି ସଭ୍ୟ ଆସନ ଉପରେ ନିର୍ଦ୍ବନ୍ଦ ଭାବେ ନିର୍ବାଚିତ ହୋଇଥିଲେ।କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ଜଣେ ଯୁବନେତାକୁ ଏହି ପଦବୀରେ ବସାଇବାକୁ ବିଜେଡିର ସମର୍ଥନ ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ସହଯୋଗ ରହିଥିଲା।ଥୁଆମୂଳ ରାମପୁର ବ୍ଲକର ବିକାଶ ପଛର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ସୁଚାରୁ ରୂପେ ସମ୍ପାଦନ କରିବା ସହିତ ଶୃଙ୍ଖଳିତ ପରିଚାଳନା ପାଇଁ ଅଧ୍ୟକ୍ଷ,ଉପାଧ୍ୟକ୍ଷ,ସମସ୍ତ ନିର୍ବାଚିତ ସମିତି ସଭ୍ୟ ସଭ୍ୟା ଓ ବ୍ଲକ ପ୍ରଶାସନ ମଧ୍ୟରେ ଉଚିତ ସମନ୍ୱୟ ରଖିବାକୁ ନେଇ ଉପାଧ୍ୟକ୍ଷ ପଦବୀ ଉପରେ ମଧ୍ୟ ବିଜେଡି ନଜର୍ ରଖିଛି।

ଏଥିପାଇଁ କେଉଁ ଆଶାୟୀ ପ୍ରାର୍ଥୀ ଉଚିତ ହେବ ଏବଂ କାହାକୁ ସମର୍ଥନ ଓ ସହଯୋଗ କରିବ ଦ୍ବନ୍ଦରେ ଦଳ।ଯାହାକୁ ନେଇ ଦଳ ଭିତରେ କନ୍ଦଳ ରହିଥିବା ସୂଚନା ମିଳିଛି।ଅଧ୍ୟକ୍ଷ ପଦବୀ ପାଇଁ ବଡଛତ୍ରଙ୍ଗ ପଞ୍ଚାୟତରୁ ନିର୍ଦ୍ବନ୍ଦରେ ସମିତି ସଭ୍ୟ ଆସନରେ ନିର୍ବାଚିତ ହୋଇଥିବା ଜୟନ୍ତୀ ମାଝୀ ମଧ୍ୟ ଅଧ୍ୟକ୍ଷ ପଦବୀ ପାଇଁ ବିଜେଡିର ସମର୍ଥନ ପାଇବାରେ ବିଫଳ ହୋଇଥିଲେ।ଦଳ ତାଙ୍କୁ ଉପାଧ୍ୟକ୍ଷ ପଦବୀ ପାଇଁ ସାନ୍ତ୍ବନା ଦେଇଥିବା ଚର୍ଚ୍ଚା ହେଉଛି।ଅପରପକ୍ଷରେ ତଳନାଗୀ ପଞ୍ଚାୟତର ସମିତି ସଭ୍ୟା ରେଣୁକା ମାଝୀ ଓ କାଣିଗୁମା ପଞ୍ଚାୟତର ସମିତି ସଭ୍ୟା ସୁରେନ୍ଦ୍ରୀ ନାଏକ ଆଶାୟୀ ଦୌଡରେ ରହିଥିବା ବେଳେ ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ ଯୋଗାଯୋଗ ରଖୁଥିବା ସୂଚନା ମିଳୁଛି।ହେଲେ ବିଧାୟକ ଓ ବ୍ଲକ ବିଜେଡିର ନେତୃବୃନ୍ଦ କାହା ସପକ୍ଷରେ ସହଯୋଗ କରିବେ ତାହା ଏକ ବଡ ପ୍ରଶ୍ନ।ଅନ୍ୟ ପକ୍ଷରେ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ପ୍ରତିଦ୍ବନ୍ଦିତା କରିଥିବା ବ୍ଲକର ବରିଷ୍ଠ କଂଗ୍ରେସ ନେତ୍ରୀ ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦ୍ରୌପଦୀ ମାଝୀ ପରାଜୟର ସାମ୍ନା କରିଥିଲେ।ଯେଉଁଥିରେ କଂଗ୍ରେସର ଦୁର୍ବଳତା ପ୍ରଦର୍ଶନ ହୋଇଥିବା ଚର୍ଚ୍ଚା ହେଉଛି।ଏଭଳି ପରିସ୍ଥିତିରେ କଂଗ୍ରେସ ବ୍ଲକରେ ନିଜ ସମ୍ମାନ ପାଇଁ ଏହି ଉପାଧ୍ୟକ୍ଷ ପଦବୀ ହାତେଇବା ନେଇ ପ୍ରୟାସ ଜାରି ରଖିଥିବା ସୂଚନା ମିଳୁଛି।ଯଦି ବିଜେଡିରେ ଗୋଷ୍ଠୀ କନ୍ଦଳ ଏଭଳି ଜାରି ରୁହେ ତେବେ କଂଗ୍ରେସ ଏଭଳି ପରିସ୍ଥିତିର ସୁଯୋଗ ନେଇ ଉପାଧ୍ୟକ୍ଷ ପଦବୀ ପାଇଁ ଏମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ସମର୍ଥନ ଓ ସହଯୋଗ କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!