ବିକାଶର ବାଟ ଓଗାଳିଛି ନାଗାବଳୀ ନଦୀ : ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ବାସୀ

ଥୁଆମୂଳ ରାମପୁର -: ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ ବିଜୁଳି ଓ ପାନୀୟଜଳ ଭଳି ସାଧାରଣ ମୌଳିକ ସୁବିଧା ହିଁ ଅଞ୍ଚଳର ବିକାଶ ପଛର ବିଶେଷ ମହତ୍ତ୍ଵ ହୋଇଥାଏ।ଯହା ଏକ ସ୍ବାଧିନ ରାଷ୍ଟ୍ରର ସୁସ୍ଥ ଓ ସମୃଦ୍ଧ ସମାଜ ଗଠନର ପରିକଳ୍ପନା ହୋଇଥାଏ। କିନ୍ତୁ ଆମ ଦେଶ ସ୍ବାଧୀନତାର ସାତ ଦଶନ୍ଧି ମଧ୍ୟରେ ପ୍ରଗତିଶୀଳ ରାଷ୍ଟ୍ର ଭାବରେ ଆଗେଇ ଚାଲିଛି । କିନ୍ତୁ ଆଜିବି ସ୍ବାଧୀନ ରାଷ୍ଟ୍ରର ସ୍ବାଧିନତା ସ୍ବାଦ ବାରି ପାରିନାହାନ୍ତି ଅନେକ ଅଞ୍ଚଳବାସୀ। ଏବେବି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ମୌଳିକ ସୁବିଧା ଅପହଞ୍ଚ । ଅନେକ ସମସ୍ୟାରେ ଜର୍ଜରିତ ଏଠାକାର ଅସହାୟ ମଣିଷ।ସତେ ଯେମିତି ଏକ ଅଭିଶପ୍ତ ଜୀବନ ମଧ୍ୟରେ ବଞ୍ଚିବାକୁ ବାଧ୍ୟ ଏଠାକାର ସରଳ ନିରୀହ ମଣିଷ।ଅସହାୟ ବୃଦ୍ଧ ବୃଦ୍ଧା,ବିଧବା ତଥା ଭିନ୍ନକ୍ଷମ ଲୋକେ କାଟୁଛନ୍ତି ଦୁର୍ବିସହ ଜୀବନ। ଯୋଜନ ଯୋଜନ ଦୂରରେ ଏହି ଅଞ୍ଚଳ ବାସୀଙ୍କ ପାଇଁ ସରକାରଙ୍କ ସରକାରୀ ଯୋଜନା।ପ୍ରତ୍ୟେକ ଯୋଜନା ଏସବୁ ଅଞ୍ଚଳ ପାଇଁ ପାଲଟିଛି ସାତସପନ।କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ନବଗଠିତ ଦୁର୍ଗମ ସିଲେଟ ଗ୍ରାମ ପଞ୍ଚାୟତ ମଧ୍ୟରେ ବିକାଶର ବାଟ ଓଗାଳିଛି ନାଗାବଳୀ ନଦୀ ।

Advertisement

ଏହି ଗ୍ରାମ।ପଞ୍ଚାୟତର ଦୁର୍ବେଲଗୁଡା, ଝାଞ୍ଜି, ମାଳତୀପଦର, ମାରଗୁମା, ପାଜିଖାଲ, କୁଟଖାଲ ଏବଂ କାରବାଲି ପଡା ଏହି ସବୁ ଗ୍ରାମ ଉପଗ୍ରାମ ହେଉଛି ଏଭଳି ଏକ ଉଦାହରଣ।ଦୁର୍ବେଲଗୁଡାରେ ପ୍ରାୟ ୫୦ ପରିବାର ବସବାସ କରୁଥିବା ବେଳେ ଝାଞ୍ଜି ଗ୍ରାମରେ ୩୨, ମାଳତୀପଦରରେ ୪୨, ମାରଗୁମାରେ ୪୫, ପାଜିଖାଲରେ ୩୨, କୁଟଖାଲରେ ୧୩ ଏବଂ କାରବାଲି ପଡାରେ ୧୨ ପରିବାର ବସବାସ କରିଛନ୍ତି। ଏଭଳି ଭାବରେ ପ୍ରାୟ ୨୨୬ ପରିବାର ବସବାସ କରୁଥିବା ଏହି ଅଞ୍ଚଳ ନାଗାବଳୀ ନଦୀ ଯୋଗୁଁ ବିଚ୍ଛିନ୍ନାଞ୍ଚଳ ପାଲଟିଛି । ଦୁର୍ବେଲଗୁଡା ଓ ଝାଞ୍ଜିରେ ପ୍ରାୟ ୮୨ ଆଦିବାସୀ ହରିଜନ ପରିବାର ବସବାସ କରୁଥିବା ଏହି ଦୁଇଟି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ନାହିଁ।ଏହି ଦୁଇଟି ଗ୍ରାମ ପାଇଁ ଗୋଟିଏ ଅଙ୍ଗନବାଡି ନିଯୁକ୍ତ ହୋଇଛନ୍ତି କିନ୍ତୁ ପରିତାପର ବିଷୟ ସେଠାରେ ଆଜିଯାଏ ନିର୍ମାଣ ହୋଇପାରିନି ଅଙ୍ଗନବାଡି କେନ୍ଦ୍ର ଗୃହ।ଦୀର୍ଘ ଦିନ ହେବ ଅଙ୍ଗନବାଡି କେନ୍ଦ୍ରର ଗୃହ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି ।

ଏଠିକାର କୋମଳମତୀ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ କ’ଣ ହେବ ତାହା ଅନୁମେୟ । ଏମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ଚୂଲିକୁ ଗଲା ଭଳି।ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଓ.ଟି.ଇ.ଏଲ୍.ପି ପକ୍ଷରୁ ଗ୍ରାଭିଟି ମାଧ୍ୟମରେ ପାଇପ୍ ଯୋଗେ ଗ୍ରାମକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ବର୍ଷା ବିତ୍ପାତ ଯୋଗୁଁ ଅନେକ ସମୟରେ ପ୍ରକଳ୍ପ ଭାଙ୍ଗି ନଷ୍ଟ ହୋଇଥାଏ କିନ୍ତୁ ପରବର୍ତ୍ତୀ ସମୟରେ ଏହାର ମରାମତି ପ୍ରତି ପ୍ରଶାସନର ଦୃଷ୍ଟି ପଡୁନଥିବା ଅଭିଯୋଗ ସାମ୍ନାକୁ ଆସୁଛି।ସେହିଭଳି ପାଜିଖାଲ, କୁଟଖାଲ ଓ କାରବାଲି ପଡା ବାସୀ ମଧ ଅନୁରୂପ ସମସ୍ୟା ଦେଇ ଗତିକରୁଥିବା ଜଣାପଡିଛି । ସିଲେଟ ଗ୍ରାମ ପଞ୍ଚାୟତର ଏହି ବିଚ୍ଛିନ୍ନାଞ୍ଚଳ ରେ ରହିଥିବା ମାରଗୁମା ଓ ମାଳତୀପଦର ଠାରେ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ଅଛି।ହେଲେ ଏଠିକାର ଶିଶୁମାନଙ୍କ ପାଇଁ ଶିକ୍ଷାର କିଭଳି ବ୍ୟବସ୍ଥା ଓ ଅବସ୍ଥା ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି୍।ଏସବୁ ଅଞ୍ଚଳ ପାଇଁ ସ୍ବାସ୍ଥ୍ୟସେବା ନକହିବା ଭଲ ଗର୍ଭବତୀ ମହିଳା କି ରୋଗୀ ଗୁରୁତର ଅବସ୍ଥାରେ ପଡି ଜିବନ ମରଣ ସହ ଛଟପଟ ହେବା ଛଡା ଅନ୍ୟ ଉପାୟ ନାହିଁ।ତଥାପି ବେଳେବେଳେ ଏଭଳି ଅବସ୍ଥାରେ ଖଟିଆରେ ବୁହା ହୋଇ ରାୟଗଡା-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା କଲ୍ୟାଣ ସିଂପୁର ନିକଟରେ ଥିବାରୁ ସେଠାରେ ସ୍ବାସ୍ଥ୍ୟସେବା ପାଇବାକୁ ଯିବାକୁ ପଡିଥାଏ। ପିଡିଏସ୍ ଚାଉଳ, କିରୋସିନ୍ ଓ ଭତ୍ତା ପାଇଁ ଏହି ନଦୀ ପାରି ହୋଇ ଯିବାକୁ ପଡିଥାଏ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ। ବର୍ଷର କେବଳ ଖରା ଚାରିମାସ ଏହି ନଦୀ ଦେଇ ଯାତାୟତ କରିପାରୁଥିବା ବେଳେ ବାକି ୮ ମାସ ଏସବୁ ଅଞ୍ଚଳ ବାସୀଙ୍କ ପାଇଁ ବିପଦ ସାଜିଥାଏ ଏହି ଖରସ୍ରୋତା ନାଗାବଳୀ ନଦୀ।ମୋବାଇଲ ନେଟୱର୍କ କି ଇଣ୍ଟରନେଟ୍ ସେବା କଥା ନକହିବା ଭଲ। ସରକାର ତୁରନ୍ତ ଏହି ଦୁର୍ଗମ ଅଞ୍ଚଳକୁ ସ୍ଥାୟୀ ଗମନାଗମନର ବ୍ୟବସ୍ଥା ପାଇଁ ଏହି ନଦୀରେ ଏକ ପୋଲ ନିର୍ମାଣ ପାଇଁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ତ ସମସ୍ୟାର ସମାଧାନ କରିବାକୁ ଉକ୍ତ ସିଲେଟ୍ ପଞ୍ଚାୟତ ବାସୀଙ୍କ ଦାବୀ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!