ପାରାଦୀପ ବନ୍ଦରକୁ ବିଜୁବାବୁଙ୍କ ନାଁରେ କରିବା ପାଇଁ ସଂସଦରେ ଦାବିକଲେ ସାଂସଦ ଅନୁଭବ

ନୂଆଦିଲ୍ଲୀ -: ପାରାଦୀପ ବନ୍ଦରକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଲୋକସଭାରେ ଦାବି ହୋଇଛି । ଏହି ଦାବି କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି । ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେବା ଅବସରରେ ଶ୍ରୀ ମହାନ୍ତି ଏହି ଦାବି ଉପସ୍ଥାପନ କରିଥିଲେ ।
ଶ୍ରୀ ମହାନ୍ତି କହିଲେ, ଏହି ଦାବି ବିଭିନ୍ନ ସମୟରେ ଲୋକସଭାରେ ଓ ରାଜ୍ୟସଭାରେ ହୋଇଛି । ଏହା ୪.୫ କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ । ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ ଏବଂ ଏହା ତାଙ୍କର ମାନସ ସନ୍ତାନ ଥିଲା । ଆଧୁନିକ ଓଡ଼ିଶାର ନିର୍ମାତା ବିଜୁ ବାବୁ ପାରାଦୀପ ବନ୍ଦର ପାଇଁ ସର୍ବଦା ସମର୍ପିତ ଥିଲେ । ଏବେ ପାରାଦୀପ ବନ୍ଦର ଦେଶର ବୃହତ ବନ୍ଦର ରୂପେ ପରିଗଣିତ ହେଉଛି । ପଣ୍ୟ କାରବାରରେ ଏହି ବନ୍ଦରର ରେକର୍ଡ ରହିଛି । ବିଜୁ ବାବୁଙ୍କ ନାମରେ ବନ୍ଦର ନାମିତ କରାଗଲେ ଏହା ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବନ୍ଦର ବଜେଟ୍ ହ୍ରାସ କରାଯାଇଥିବା ସେ ଅଭିଯୋଗ କରିଥିଲେ । ଚଳିତ ବର୍ଷ ବନ୍ଦର ପାଇଁ ୧୬୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ଗତ ବର୍ଷ ଏହା ୨୦୬ କୋଟି ଟଙ୍କା ଥିଲା ବୋଲି ଶ୍ରୀ ମହାନ୍ତି କହିଥିଲେ ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!