ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ହେଲେ ଜାଡେଜା, ପଦ ଛାଡିଲେ ଧୋନି …

ଚେନ୍ନାଇ -: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଆଇପିଏଲ୍ ଦଳର ଅଧିନାୟକ ପଦରୁ ଗୁରୁବାର ମହେନ୍ଦ୍ର ସିଂହ ଧୋନି ଇସ୍ତଫା ଦେଇଛନ୍ତି । ଆଇପିଏଲ୍ ଆରମ୍ଭ ପରଠାରୁ ସିଏସ୍‌କେ ଅଧିନାୟକ ପଦ ମଣ୍ଡନ କରିଆସିଥିବା ଧୋନି ପଦ ଛାଡ଼ିବା ସହ ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି । ସିଏସ୍‌କେର ଅଧିନାୟକ ପଦ ସେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ହସ୍ତାନ୍ତର କରିଛନ୍ତି । ୨୦୧୨ ମସିହାଠାରୁ ସିଏସ୍‌କେ ଦଳର ଅଭିନ୍ନ ଅଙ୍ଗ ହୋଇ ରହିଆସିଥିବା ଜାଦେଜା ଏବେ ସିଏସ୍‌କେର ସଫଳତା ଧାରାକୁ ଆଗେଇ ନେବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ଧୋନି ଅଧିନାୟକ ପଦ ଛାଡ଼ିବା କିନ୍ତୁ କ୍ରିକେଟ୍ ପଣ୍ଡିତଙ୍କ ସହ ତାଙ୍କ ସମର୍ଥକଙ୍କୁ ବିସ୍ମିତ କରିଛି । ଏହା ପୂର୍ବରୁ ଭାରତୀୟ ଟେଷ୍ଟ୍‌, ଦିନିକିଆ ଏବଂ ଟ୍ୱେଣ୍ଟି-୨୦ ଦଳର ନେତୃତ୍ୱ ନେଇ ଅନେକ ଐତିହାସିକ ସଫଳତା ଲାଭ କରିଥିବା ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି । ସିଏସ୍‌କେ ଅଧିନାୟକ ପଦ ଛାଡ଼ିବା ପରେ ତାଙ୍କ ଆଇପିଏଲ୍ ଜୀବନ ମଧ୍ୟ ଆଉ ଗୋଟିଏ କିମ୍ବା ଦୁଇଟି ଋତୁ ପରେ ଶେଷ ହୋଇଯିବାର ଆଭାସ ମିଳିଛି ।

Advertisement

୨୦୦୮ ମସିହାରେ ହୋଇଥିବା ଆଇପିଏଲ୍‌ର ପ୍ରଥମ ନିଲାମରେ ସବୁଠାରୁ ଦାମୀ ଖେଳାଳି ହେବାର ଗୈାରବ ଲାଭ କରିଥିବା ଧୋନି ୨୦୪ ମ୍ୟାଚ୍‌ରେ ସିଏସ୍‌କେର ନେତୃତ୍ୱ ନେଇ ୧୨୧ ବିଜୟ ହାସଲ କରିଛନ୍ତି । ତାଙ୍କ ଅଧୀନରେ ସିଏସ୍‌କେ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଆଇପିଏଲ୍ ବିଜେତା ହୋଇଥିଲା । ସେହିଭଳି ୨୦୦୮, ୨୦୧୨, ୨୦୧୩, ୨୦୧୫ ଏବଂ ୨୦୧୯ ଏହିଭଳି ପାଞ୍ଚ ଥର ଉପବିଜେତା ଟ୍ରଫି ହାସଲ କରିଥିଲା । ଅନ୍ୟପକ୍ଷରେ ସିଏସ୍‌କେର ଅଧିନାୟକ ହେବାରେ ଜାଦେଜା ତୃତୀୟ ଖେଳାଳି ହେବେ । ତାଙ୍କ ପୂର୍ବରୁ ଧୋନି ଏବଂ ୨୦୧୨ ଅକ୍ଟୋବର ମାସରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଚାମ୍ପିଅନ୍ସ ଲିଗ୍‌ର ୟର୍କସାୟାର ବିପକ୍ଷ ମ୍ୟାଚ୍‌ରେ ସୁରେଶ ରାଇନା ଥରେ ସିଏସ୍‌କେର ଅଧିନାୟକ ପଦ ତୁଲାଇଥିଲେ ।

ସିଏସ୍‌କେ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ପଦ ହସ୍ତାନ୍ତର କରିବାକୁ ମହେନ୍ଦ୍ର ସିଂହ ଧୋନି ନିଷ୍ପତ୍ତି ନେଇଛନ୍ତି । ଦଳର ପରବର୍ତ୍ତୀ ଅଧିନାୟକ ଭାବେ ରବୀନ୍ଦ୍ର ଜାଦେଜାଙ୍କୁ ବାଛିଛନ୍ତି ସେ । ୨୦୧୨ ମସିହାରୁ ଆମ ସହ ଥିବା ଜାଦେଜା ସିଏସ୍‌କେର ନେତୃତ୍ୱ ନେବାରେ ତୃତୀୟ ଖେଳାଳି ହେବେ । ତେବେ ଚଳିତ ଋତୁ ଏବଂ ଆଗାମୀ ଅନେକ ସଂସ୍କରଣରେ ଧୋନି ସିଏସ୍‌କେର ପ୍ରତିନିଧିତ୍ୱ କରିବା ଜାରି ରଖିବେ । ଧୋନିଙ୍କ ସଫଳତା ଧାରାକୁ ଜାଦେଜା ଅତୁଟ ରଖିବେ ବୋଲି ଆମର ଦୃଢ଼ ଆଶା ଓ ବିଶ୍ୱାସ ରହିଛି ।

ପୂର୍ବତନ ବିସିସିଆଇ ଚୟନକର୍ତ୍ତା ବିସ୍ମିତ
ଧୋନି ଅଚାନକ ସିଏସ୍‌କେର ଅଧିନାୟକ ପଦ ଛାଡ଼ିବା ନେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ବିସ୍ମୟ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ସତ କହିବାକୁ ଗଲେ ଏ ଖବର ଶୁଣି ମୁଁ ଚକିତ । ଆଇପିଏଲ୍ ଆରମ୍ଭ ହେବାପରଠାରୁ ଧୋନିଙ୍କୁ ସବୁବେଳେ ହଳଦିଆ ରଙ୍ଗର ଜର୍ସିରେ ସିଏସ୍‌କେର ନେତୃତ୍ୱ ନେଉଥିବା ଆମେ ଦେଖିଆସିଛେ । ଗତ ଋତୁରେ ହିଁ ସିଏସ୍‌କେ ତାଙ୍କ ଅଧିନାୟକତ୍ୱରେ ଆଇପିଏଲ୍ ବିଜେତା ହୋଇଥିଲା । ଅବଶ୍ୟ ସିଏସ୍‌କେର ଅଧିନାୟକ ପଦ ଧୋନି ଛାଡ଼ିବେ ବୋଲି ଆଶା କରାଯାଉଥିଲା । ହେଲେ ଏତେ ଶୀଘ୍ର ଘୋଷଣା କରିବେ ବୋଲି ଆଶା ନଥିଲା ।

ମାଇଲଖୁଣ୍ଟଠାରୁ ୨ କ୍ୟାଚ୍ ଦୂରରେ ଧୋନି
ଟ୍ୱେଣ୍ଟି-୨୦ରେ ଧୋନି ୧୯୮ କ୍ୟାଚ୍ ନେଇସାରିଛନ୍ତି । ଏଣୁ ଆଉ ଦୁଇଟି କ୍ୟାଚ୍ ନେଲେ ଟ୍ୱେଣ୍ଟି-୨୦ରେ ୨୦୦ କ୍ୟାଚ୍ ନେବାରେ କିରଣ ପୋଲାର୍ଡ, ଡ୍ୱେନ୍ ବ୍ରାଭୋ ଓ ଡେଭିଡ୍ ମିଲରଙ୍କ କ୍ଲବ୍‌ରେ ଯୋଗଦେବେ । ୱିକେଟ୍ ରକ୍ଷକ ଭାବେ ଧୋନି ଏପର୍ଯ୍ୟନ୍ତ ୧୯୩ କ୍ୟାଚ୍ କରାୟତ୍ତ କରିଛନ୍ତି । ଏଣୁ ଆସନ୍ତା ଆଇପିଏଲ୍ ଋତୁରେ ଧୋନିଙ୍କ ପାଖରେ ପ୍ରଥମ ୱିକେଟ୍ ରକ୍ଷକ ଭାବେ ୨୦୦ କ୍ୟାଚ୍ ନେବାର ସୁଯୋଗ ରହିବ । ୱିକେଟ୍ ରକ୍ଷକ ଭାବେ ସେ ନେଇଥିବା ୧୯୩ କ୍ୟାଚ୍ ମଧ୍ୟରୁ ୫୭ କ୍ୟାଚ୍ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୱିକେଟ୍ ରକ୍ଷକ ଭାବେ ନେଇଛନ୍ତି ଧୋନି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!