ଖାଦ୍ୟ ସଂଙ୍କଟ, ବନ୍ଦ ହେଲା ସମସ୍ତ ଶିଳ୍ପାନୁଷ୍ଠାନ : ସବୁଆଡେ ଏବେ ହାହାକାର

କଲମ୍ବୋ -: ଶ୍ରୀଲଙ୍କାରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଖାଇବାକୁ କିଛି ନାହିଁ । ପିଇବାକୁ ପାଣି ନାହିଁ । ଚାଉଳ, ଡାଲିର ଘୋର ଅଭାବ । ଡିଜେଲ ଟାଙ୍କି ବନ୍ଦ । ପେଟ୍ରୋଲ ପାଇଁ ଲମ୍ବା ଧାଡ଼ି । ରନ୍ଧନ ଗ୍ୟାସ ନାହିଁ, କିରୋସିନ ବି ମିଳୁନି । ଦିନକୁ ୧୦ ଘଣ୍ଟା ବିଜୁଳି କାଟ୍ । ଶିଳ୍ପ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ।

Advertisement

ଲୋକମାନେ ଚାକିରି ହରାଇ ବେକାର । ଲୋକ ଏବେ ଦେଶ ଛାଡ଼ିବା ଆରମ୍ଭ କରିଦେଇଛନ୍ତି । ସରକାରଙ୍କ ଟିକସ କାଟ୍ ନୀତି ଯୋଗୁଁ ଶ୍ରୀଲଙ୍କାର ଅର୍ଥନୈତିକ ପରିସ୍ଥିତି ସଙ୍କଟ ଭିତରକୁ ଠେଲି ହୋଇଯାଇଥିଲା । ଏହା ସାଙ୍ଗକୁ କୋଭିଡ୍ ସଂକ୍ରମଣ ଏବଂ ଲକଡାଉନ୍ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ଅର୍ଥନୀତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ରାଜସ୍ୱର ମୁଖ୍ୟ ସୂତ୍ର କୁହାଯାଉଥିବା ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ି ପଡ଼ିଛି । ବିଦେଶୀ ମୁୁଦ୍ରା ଭଣ୍ଡାର ଖାଲି ପଡ଼ିଥିବାରୁ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଆମଦାନୀ ହୋଇପାରୁ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ।

Subscribe Now BNS Bhakti

ଯାହା ମିଳୁଛି, ତାହାର ଦାମ୍ ଆକାଶଛୁଆଁ । ଯେଉଁ ଚା’ କପ୍‌ର ଦାମ ଗତ ଅକଟୋବର ମାସରେ ୨୫ ଟଙ୍କା ଥିଲା, ତାହାର ମୂଲ୍ୟ ଏବେ ଶହେ ଟଙ୍କାରେ ଯାଇ ପହଞ୍ଚିଲାଣି । ଔଷଧ ବି ମିଳୁନି । ଯାହା ମିଳୁଛି ତାର ଦାମ ଏତେ ଅଧିକ ଯେ ଲୋକ କିଣିବାକୁ ସମର୍ଥ ନୁହନ୍ତି । ସାଧାରଣ ଲୋକ ଏବେ ଦେଶୀ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି, ଯାହାକି ସ୍ୱାସ୍ଥ୍ୟାବସ୍ଥାକୁ ବିଗାଡ଼ି ଦେଇଛି । ହସ୍ପିଟାଲଗୁଡ଼ିକରେ ସର୍ଜରୀ ମଧ୍ୟ ବନ୍ଦ ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଯୋଗୁଁ ହାହାକାର ସୃଷ୍ଟି ହୋଇଛି । ଅନେକ ନଦୀ ଶୁଖିଯାଇଛି । କୋଇଲାର ବି ଗୁରୁତର ସଙ୍କଟ । ଫଳରେ ବିଦ୍ୟୁତ ଉତ୍ପାଦନ ବନ୍ଦ । ଦିନକୁ ୧୦ ଘଣ୍ଟା ପାଇଁ ବିଦ୍ୟୁତ କାଟ ହେଉଛି । ଡିଜେଲ ଓ ବିଜୁଳି ସଙ୍କଟ ଯୋଗୁଁ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ଠପ୍ ହୋଇଯାଇଛି । ଏଭଳି ସଙ୍କଟ ଯୋଗୁଁ ଅନେକ ଲୋକ ଦେଶ ଛାଡ଼ି ପଳାଇବା ଆରମ୍ଭ କରିଛନ୍ତି । ଅନେକ ଲୋକ ଭାରତ ପଳାଇ ଆସିଛନ୍ତି । ସ୍କୁଲ କଲେଜ ମଧ୍ୟ ବନ୍ଦ ପଡ଼ିଛି ।

କାଗଜ ଓ କାଳିର ଅଭାବ ଯୋଗୁଁ ୫୦ ଲକ୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷାକୁ ବାତିଲ କରିଦେଇଛନ୍ତି ଶ୍ରୀଲଙ୍କା ସରକାର । ଗତ ଦୁଇବର୍ଷରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୭୦ ପ୍ରତିଶତ ହ୍ରାସ ପାଇ ୨.୩୧ ବିଲିୟନ ଡଲାରରେ ପହଞ୍ଚିଛି । ଫଳରେ ଖାଦ୍ୟ, ତୈଳ ପ୍ରଭୃତି ଅତ୍ୟାବଶ୍ୟକ ଜିନିଷ ବିଦେଶରୁ ଆମଦାନି କରିବା ପାଇଁ ବିଦେଶୀ ମୁଦ୍ରାର ଅଭାବ ପଡ଼ୁଛି । ବଣିକମାନେ ଜରୁରୀ ଜିନିଷ ଆମଦାନି କରିପାରୁ ନାହାନ୍ତି । ପର୍ଯ୍ୟଟନରୁ ଦେଶକୁ ବହୁ ପରିମାଣର ବିଦେଶୀ ମୁଦ୍ରା ଆସିଥାଏ । ମାତ୍ର ତାହା କୋଭିଡ୍ ଯୋଗୁ ବରବାଦ । ତା’ଛଡ଼ା ବିଦେଶରେ ଚାକିରି କରିଥିବା ଶ୍ରୀଲଙ୍କା ନାଗରିକମାନେ ଦେଶକୁ ଯେଉଁ ବିଦେଶୀ ମୁଦ୍ରା ପଠାଇ ଦେଶର ଅର୍ଥନୀତିକୁ ସାହାଯ୍ୟ କରିଥାନ୍ତି, ତା’ର ପରିମାଣରେ ମଧ୍ୟ ଦ୍ରୁତ ହ୍ରାସ ଘଟିଲା । ବର୍ତ୍ତମାନ ଦେଶରେ ଫେବ୍ରୁଆରି ସୁଦ୍ଧା ପ୍ରାୟ ୨.୩୧ ବିଲିୟନ ଡଲାର ବିଦେଶୀ ମୁଦ୍ରା ରହିଛି । କିନ୍ତୁ ଏ ବର୍ଷର ବାକି ମାସଗୁଡ଼ିକରେ ଶ୍ରୀଲଙ୍କାକୁ ପ୍ରାୟ ୪ ବିଲିୟନ ଡଲାର ଋଣ ଶୁଝିବାକୁ ଅଛି ।

ତେଣୁ ଋଣ ଶୁଝିବାକୁ ମୁଦ୍ରା ନିଅଣ୍ଟ ପଡ଼ୁଥିବା ବେଳେ ଅତ୍ୟାବଶ୍ୟକ ଜିନିଷ ଆମଦାନି କରିବେ କେମିତି? ଏଭଳି ଦୁଃସମୟରେ ଶ୍ରୀଲଙ୍କାକୁ ଭାରତ ସାହାଯ୍ୟର ହାତ ବଢ଼ାଇଛି । ଗତ ଜାନୁଆରି ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୪୦୦ ନିୟୁତ ଡଲାର ଦେବ ବୋଲି ଘୋଷଣା କରିଛି । ତା’ଛଡ଼ା ବାକିରେ ଭାରତରୁ ୫୦୦ ନିୟୁତ ଡଲାର ତୈଳ ନେବା ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି । ଚୀନ୍ ଓ ବାଂଲାଦେଶ ପରି ଦେଶ ମଧ୍ୟ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!