ଯୁଗାରମ୍ଭ ମାସ ଚୈତ୍ର, ଏହି ମାସରେ ଭଗବାନ ମତ୍ସ୍ୟ ଅବତାର ହୋଇଥିଲେ

ବୈଦିକ ସିଦ୍ଧାନ୍ତ ଅନୁଯାୟୀ ଚୈତ୍ର ମାସକୁ ବର୍ଷ ଆରମ୍ଭର ପ୍ରଥମ ମାସର ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ । ‘ମହାକାଳ ସିଦ୍ଧାନ୍ତ’ ଓ ‘ଚତୁର୍ବର୍ଗ ଚିନ୍ତାମଣି’ ଆଦି ଗ୍ରନ୍ଥର ଉଲ୍ଲେଖ ଅନୁଯାୟୀ, ପ୍ରଜାପତି ବ୍ରହ୍ମା ଚୈତ୍ର ଶୁକ୍ଳପକ୍ଷର ପ୍ରଥମ ଦିନରେ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଏହା ପରେ ଏଥିରେ ଗ୍ରହ, ନକ୍ଷତ୍ର, ତାରାଗଣ, ଋତୁ ଓ ମାସମାନଙ୍କର ସର୍ଜନା କରିଥିଲେ । ଏଣୁ ଏହି ମାସକୁ ହିମାଚଳ ପ୍ରଦେଶ, ଆସାମ, ଗୁଜୁରାଟ, ଆନ୍ଧ୍ର, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଆଦି ପ୍ରଦେଶମାନଙ୍କରେ ବର୍ଷର ପ୍ରଥମ ମାସ ଭାବରେ ମହା ସମାରୋହରେ ପାଳନ କରାଯାଇଥାଏ । ମହାରାଷ୍ଟ୍ରର ଗୁଡ଼ି ପଡ଼ୱା, ଆନ୍ଧ୍ର ଓ କର୍ଣ୍ଣାଟକ ଆଦିରେ ଉଗାଦି, ଏପରିକି ସୁଦୂର ଇଣ୍ଡୋନେସିଆରେ ମଧ୍ୟ ଏହାକୁ ନବଯୁଗର ପ୍ରାରମ୍ଭ ଭାବରେ ପାଳନ କରାଯାଏ ।

Advertisement
subscribe now


ଏହି ମାସର ଅଧିପତି ହେଉଛନ୍ତି ଶ୍ରୀବିଷ୍ଣୁ । କୁହାଯାଏ, ଏହି ମାସରେ ଭଗବାନ ବିଷ୍ଣୁଙ୍କର ମତ୍ସ୍ୟାବତାର ହୋଇଥିଲା । ଏହା ତାଙ୍କ ଅବତାରର ଆଦ୍ୟରୂପ । ଭଗବାନ ବିଷ୍ଣୁ ମଧ୍ୟ ଏହି ମାସରେ ରାମାବତାର ଗ୍ରହଣ କରି ଭୂମିଷ୍ଠ ହୋଇଥିଲେ । ଏହି ମାସରେ ରାମ ଓ ଯୁଧିଷ୍ଠିର ଉଭୟଙ୍କର ରାଜ୍ୟାଭିଷେକ ସଂପନ୍ନ ହୋଇଥିଲା । ରାମ ମର୍ଯ୍ୟାଦାପୁରୁଷୋତ୍ତମ ଏବଂ ଯୁଧିଷ୍ଠିର ଧର୍ମରାଜ ।

ଜପ, ତପ, ଧ୍ୟାନ ଓ ପୂଜା ପାଇଁ ଏହା ଏକ ଉତ୍କୃଷ୍ଟ ମାସ । ଚୈତ୍ର ଶୁକ୍ଳପକ୍ଷର ପ୍ରତ୍ୟେକ ଦିନ ଜଣେ ଜଣେ ଦେବତାଙ୍କୁ ଉତ୍ସର୍ଗୀକୃତ । ସେହି କ୍ରମରେ ପ୍ରଥମ ଦିନ- ବ୍ରହ୍ମା, ଦ୍ୱିତୀୟ- ଶିବ, ପାର୍ବତୀ ଓ ଅଗ୍ନି, ତୃତୀୟ- ଗୌରୀ, ଶିବ, ଚତୁର୍ଥ- ଗଣେଶ, ପଞ୍ଚମ- ନଗେନ୍ଦ୍ର, ଷଷ୍ଠ-କାର୍ତ୍ତିକ, ସପ୍ତମ- ସୂର୍ଯ୍ୟ, ଅଷ୍ଟମ- ମାତୃଦେବ, ନବମ- ମହିଷର୍ଦ୍ଦିନୀ, ଦଶମ- ଧର୍ମରାଜଯୁଧିଷ୍ଠିର, ଏକାଦଶ- ମହର୍ଷିଗଣ, ଦ୍ୱାଦଶ- ମହାବିଷ୍ଣୁ, ତ୍ରୟୋଦଶ- କାମଦେବ, ଚତୁର୍ଦ୍ଦଶ- ଶିବ ଓ ପୂର୍ଣ୍ଣିମା ଦିନଟି ଇନ୍ଦ୍ର ଓ ଶଚିଙ୍କ ନିମିତ୍ତ ଉତ୍ସର୍ଗୀକୃତ । ଏହିପରି କ୍ରମରେ ଦେବତାମାନଙ୍କୁ ଆବାହନ କଲେ ମନୁଷ୍ୟ ଧନ, ସଂପତ୍ତି ଓ ନିରାମୟ ଜୀବନଯାପନ କରେ ।

https://youtu.be/iS36CmwJBsk
subscribe now

ଏହି ମାସରେ ଚୈତ୍ର ନବରାତ୍ର ଉତ୍ସବ ପାଳିତ ହୁଏ । ଏଥିରେ ନବଦୁର୍ଗା- ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀଙ୍କର ଆବାହନ କରାଯାଇଥାଏ । ଓଡ଼ିଶାରେ ମଧ୍ୟ ଚୈତ୍ର ମାସର ମଙ୍ଗଳବାରଗୁଡ଼ିକରେ ମା’ ମଙ୍ଗଳାଙ୍କ ପୂଜା ହୋଇଥାଏ । ଦକ୍ଷିଣ ଭାରତରେ ମୁଖ୍ୟପର୍ବ ଭାବରେ ଯେଉଁ ଜୁଗାଦି ବା ଉଗାଦି ପର୍ବ ପାଳନ କରାଯାଏ, ତାର ବିଶେଷତ୍ୱ ହେଉଛି- ଭୋଗ ପାଚେଡ଼ି ଭାବରେ ଖଟା, ରାଗ, ମିଠା, ଲୁଣିଆ, ପିତା ଓ କଷା, ଏହିପରି ଛଅପ୍ରକାର ଭୋଗ ବିଷ୍ଣୁଙ୍କୁ ସମର୍ପଣ କରାଯାଏ । ଜୀବନ ଏହିପରି ଛଅରସର ସମାବେଶ । ଏହା ମନୁଷ୍ୟକୁ କଷ୍ଟ ଓ ଆନନ୍ଦ ଉଭୟ ଦେଇଥାଏ । ଏହାକୁ ସମଭାବରେ ଗ୍ରହଣ କରିବାର ଶକ୍ତି ପ୍ରଦାନ ନିମିତ୍ତ ନବବର୍ଷରେ ପ୍ରାର୍ଥନା କରାଯାଏ । ଏ ଦୃଷ୍ଟିରୁ ବର୍ଷାରମ୍ଭର ପ୍ରଥମ ମାସଟି ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ଓଡ଼ିଶାରେ ମଧ୍ୟ ଏହି ମାସରୁ ବାର୍ଷିକ ପାଞ୍ଜିର ଶୁଭାରମ୍ଭ ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!