ପାକିସ୍ଥାନରେ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ଶାହ, ଶରିଫକୁ ଦେବେ ଟକର

ଇସଲାମାବାଦ -: ପାକିସ୍ତାନରେ ଇମ୍ରାନ୍ ସରକାରର ପତନ ଘଟିଛି । ଅନାସ୍ଥା ଭୋଟ୍‌ରେ ଇମ୍ରାନ୍ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟ୍‌ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ।

Advertisement

ତେବେ ଇମ୍ରାନଙ୍କୁ ବହିଷ୍କୃତ କରାଯିବା ପରେ ଆସନ୍ତାକାଲି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ବଛାଯିବ । ବିରୋଧୀ ଦଳରୁ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାବେଳେ ଏବେ ଶାହ ମେହମୁଦ କୁରେଶୀ ଇମ୍ରାନ ଖାନଙ୍କ ଦଳ ପିଟିଆଇରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି । ଶେହବାଜ ଶରିଫ ପିଏମଏଲଏନର ନେତା ହୋଇଥିବାବେଳେ ଶାହ ମେହମୁଦ କୁରେଶୀ ଇମ୍ରାନ ସରକାରରେ ବୈଦେଶିକ ମନ୍ତ୍ରୀଭାବେ କାର୍ଯ୍ୟଭାର ସମ୍ଭାଳି ସାରିଛନ୍ତି ।

ନିର୍ବାଚନ ପାଇଁ ଶେହାବାଜ ଆଜି ଅପରାହ୍ନ ୪ଟାରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଶାହ ମେହମୁଦ କୁରେଶୀ ମଧ୍ୟ ତାଙ୍କ ନାମାଙ୍କନପତ୍ର ଦାଖଲ କରିସାରିଥିବା ଜଣାପଡ଼ିଛି । ଦୁଇ ଦଳ ନିଜ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛି ସାରିଥିବା ବେଳେ ଆସନ୍ତାକାଲି ଅପରାହ୍ନ ୨ଟାରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ କିଏ ହେବ? ତାହା ଜଣାପଡ଼ିବ ।

ସେହିପରି, ‘ପାକିସ୍ତାନ୍ ପିପୁଲସ୍ ପାର୍ଟି’ର ମୁଖ୍ୟ ବିଲାୱାଲ୍ ଭୁଟ୍ଟୋଙ୍କୁ ନୂତନ ସରକାରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ଗଣମାଧ୍ୟମ ସବୁ ରିପୋର୍ଟ କରୁଛନ୍ତି । ଅନ୍ୟପକ୍ଷରେ ଇମ୍ରାନ୍ ସରକାରର ପତନ ଘଟିବାରୁ ପାକିସ୍ତାନ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି । ରାସ୍ତା ଉପରକୁ ଇମ୍ରାନଙ୍କ ସମର୍ଥକ ଓହ୍ଲାଇ ଆସିଥିବାରୁ ବିଭିନ୍ନ ସହରରେ ସେନା ମୁତୟନ କରାଯାଇଛି । କେବଳ ଏତିକି ନୁହେଁ, ସମସ୍ତ ବିମାନଘାଟିରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । ନେତା ଏବଂ ଅଧିକାରୀମାନଙ୍କ ଦେଶ ଛାଡ଼ିବା ଉପରେ କଟକଣା ଜାରି କରାଯାଇଛି

Advertisement

Leave a Reply

Your email address will not be published. Required fields are marked *

error: Content is protected !!