ରାସ୍ତା ପ୍ରଶସ୍ତି କରଣ ନାଁରେ ଖାଇଗଲେ ୩୨କୋଟି, ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତା

ପାଟଣାଗଡ଼ -: ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲାରେ ଗମନାଗମନର ସୁବିଧା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ହେଲେ ଜିଲ୍ଲାର ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି ପ୍ରମୁଖ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ନାଁରେ ଦୁର୍ନୀତି ହୋଇଥିବା ଏବେ ସାମନାକୁ ଆସିଛି । ଏହି ରାସ୍ତା ପାଇଁ ୩୨ କୋଟି ବ୍ୟୟ ବରାଦ ହୋଇଥିବାବେଳେ କାମ ସରିବାର ୩ ବର୍ଷ ଭିତରେ ରାସ୍ତା ସମ୍ପୂର୍ଣ୍ଣ କଦର୍ଯ୍ୟ ହୋଇପଡିଥିବା ଏଭଳି ଦୁର୍ନୀତିକୁ ସ୍ପଷ୍ଟ କରୁଛି ।

ରାସ୍ତା ନିର୍ମାଣ ପରେ କିଛି ମାସ ପୂର୍ବରୁ ଯେଉଁ ପିଚୁ ପ୍ୟାଚିଂ କରାଯାଇଥିଲା ଅଧିକାଂଶ ସ୍ଥାନରେ ତାହା ଛାଡ଼ିଯାଇଛି । ଯଦି ପିଚୁ ଛାଡିଗଲା ତେବେ ରାସ୍ତା ପ୍ରଶାସ୍ତିକରଣ କିଭଳି ହୋଇଥିବା ତାକୁ ନେଇ ଏବେ ପ୍ରଶ୍ନ ଉଠିଥିବାବେଳେ ଏହି ରାସ୍ତା ତିଆରିରେ ବଡ ଧରଣର ଦୁର୍ନୀତି ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ରାଜ୍ୟ ରାଜପଥ ମଧ୍ୟରୁ ବଲାଙ୍ଗୀର-ପାଟଣାଗଡ଼-କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା-ଚାନ୍ଦୁତରାର ପ୍ରମୁଖତା ରହିଛି । ଏହି ରାସ୍ତାର ୩୬.୫୦୦ କିମିରୁ ୭୫.୦୦ କିମି ପର୍ଯ୍ୟନ୍ତ ପ୍ରାୟ ୩୯ କିମି ରାସ୍ତା ଉନ୍ନତିକରଣ ତଥା ପ୍ରଶସ୍ତିକରଣ ପାଇଁ ୨୦୧୬-୧୭ରେ ପାଖାପାଖି ୩୨ କୋଟି ( ୩୧ କୋଟି ୯୮ ଲକ୍ଷ ୯ ହଜାର ୧୧୨ ) ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏହି ରାସ୍ତା କାମ ୨୦୧୯ ପର୍ଯ୍ୟନ୍ତ ସରି ନ ଥିଲା ।

ରାସ୍ତା କାମ ସରିବା ପରେ ପରେ ଏଥିରୁ ପରସ୍ତ ପରସ୍ତ ପିଚୁ ଛାଡ଼ିବା ଆରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇପଡିଥିଲା । ପରେ ଏହାର ମରାମତି ନାମରେ ଏବେ ପ୍ୟାଚିଂ ଚାଲିଛି । ଯେତେ ପ୍ୟାଚିଂ କଲେ ବି ଛାଡିଯାଉଛି । ତେଣୁ ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ବୋଲି ଜାଣିବାକୁ ମିଳିଥିବାବେଳେ ରାସ୍ତାର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି । ପାଟଣାଗଡ଼ରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଏହି ୩୯ କିମି ରାସ୍ତାର ପ୍ରାୟ ୩୦ କିମି ସମ୍ପୂର୍ଣ୍ଣ କଦର୍ଯ୍ୟ ହୋଇପଡିଛି । ଏହି ରାସ୍ତା ସବୁବେଳେ ବ୍ୟସ୍ତ ବହୁଳ ରହୁଥିବା ବେଳେ ପ୍ରତ୍ୟହ ସହସ୍ରାଧିକ ଛୋଟବଡ ଗାଡି ଯାତାୟାତ କରୁଛି । ପାଟଣାଗଡ଼ ସହର ମଧ୍ୟ ଦେଇ ଯାଇଥିବା ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି ହୋଇଛି । ଯାହାଦ୍ୱାରା ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ପ୍ରତ୍ୟହ ଛୋଟବଡ ଦୁର୍ଘଟଣା ଘଟୁଛି । ଏ ସମ୍ପର୍କରେ ବିଭିନ୍ନ ବ୍ୟକ୍ତି ତଥା ସଂଗଠନ ପକ୍ଷରୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଛି । ଏପରିକି ରାସ୍ତା ତିଆରି ସମୟରେ ମୁଖ୍ୟଯନ୍ତ୍ରୀଙ୍କଠାରେ ମଧ୍ୟ ଅଭିଯୋଗ ହୋଇଥିଲା । ଏହା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା । କେହି ଏଥିପ୍ରତି ଦୃଷ୍ଟି ନଦେବାରୁ ରାସ୍ତାର ଅବସ୍ଥା ଆଜି ଏଭଳି ହୋଇଛି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ଉଠିଛି । ଠିକା ସଂସ୍ଥା ଓ ବିଭାଗୀୟ ଅଧିକରୀଙ୍କ ମଧ୍ୟରେ ସଲାସୁତରା ହୋଇ ରାସ୍ତା ନିର୍ମାଣରେ ବଡ ଧରଣର କେଳେଙ୍କାରୀ ହୋଇଥିବା ଉପରୋକ୍ତ ଅଭିଯୋଗରୁ ସୂଚନା ମିଳୁଛି । ତେଣୁ ଏ ଦିଗରେ ଉଚ୍ଚ ପଦାଧିକାରୀ ତଥା ବିଭାଗ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବି ଅଭିଯୋଗ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!