ନର୍କ ଯନ୍ତ୍ରଣା ଠୁ ବି ବଳି ପଡୁଛି, ବାଜିରେ ଲାଗୁଛି ମହିଳାଙ୍କ ଜୀବନ

ରାଜନଗର -: ଡ଼ହଡହ ଖରାରେ ଅଢେଇ କିଲୋମିଟର ଚାଲି ଚାଲି ଗଲେ ମିଳୁଛି ପିଇବା ପାଣି । ଖରାର ପ୍ରକୋପ ଦୃଷ୍ଟିରୁ ଗାଁର ମହିଳା ଓ ପିଲାମାନେ ବାଟ କମ୍ କରିବା ପାଇଁ ବାଧ୍ୟ ହୋଇ ଭିତରକନିକା ଜଙ୍ଗଲ ଭିତରେ ପଶି ପାଣି ପାଇଁ ଯାଉଛନ୍ତି । ଜଙ୍ଗଲରେ ହିଂସ୍ର ବାରହା ଓ ବିଷଧର ସାପ ରହିଥିଲେ ବି ପାଣି ଟୋପାଏ ପାଇଁ ଜୀବନକୁ ବାଜି ଲଗାଇବାକୁ ବାଧ୍ୟ ହେଉଛନ୍ତି ପାଖାପାଖି ଶହେ ପରିବାର ।

Advertisement

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ରଂଗଣୀ ପଂଚାୟତର ଭେକ୍ଟା ଗାଁରେ ଏଭଳି ଜଳ ଯନ୍ତ୍ରଣା ଉଦ୍‌ବେଗର କାରଣ ହୋଇଛି । ଏହି ଗାଁରେ ୪୫୦ ପରିବାରର ପ୍ରାୟ ୨୬ଶହ ଲୋକ ବସବାସ କରୁଛନ୍ତି । ଦୁଇଟି ୱାର୍ଡରେ ଭୋଟରଙ୍କ ସଂଖ୍ୟା ୧୧ ଶହରୁ ଅଧିକ । ଭୈାଗୋଳିକ ଦୃଷ୍ଟିରୁ ଏହି ଗାଁର ପରିସୀମା ୮ କିଲୋମିଟରରୁ ଅଧିକ ହେବ । ଏଠାରେ ବସବାସ କରୁଥିବା ବଂଗୀୟ ଭାଷାଭାଷୀ ଲୋକେ ଛାଡି ଛାଡି ଘର କରି ପରିବାର ସହ ରହୁଛନ୍ତି । ଗାଁର ୧ ନଂ ୱାର୍ଡରେ ୬ଟି ଓ ୨ ନମ୍ବର ୱାର୍ଡରେ ୫ଟି ନଳକୂପ ଲୋକଙ୍କ ପାଣି ଆବଶ୍ୟକତା ପୂରଣ କରୁଥିଲା ।

କିନ୍ତୁ ୧ ନମ୍ବର ୱାର୍ଡରେ ୪ଟି ନଳକୂପ ଭଲ ଥିବା ବେଳେ ୨ଟି ନଳକୂପ ୩ ବର୍ଷ ହେଲା ଅଚଳ ହୋଇପଡିଛି । ୨ ନମ୍ବର ୱାର୍ଡରେ ୨ଟି ନଳକୂପ ଭଲ ଥିବା ବେଳେ ମସଜିଦ ନିକଟ ନଳକୂପ, ଭୀମ ଜେନାଙ୍କ ଘର ପାଖ ନଳକୂପ ଓ ମାନା ସାହି ନଳକୂପ ଦୁଇ ବର୍ଷ ହେଲା ଅଚଳ ହୋଇ ପଡିଛି । ଏହି ୱାର୍ଡର ଗୋଟିଏ ପଟେ ପ୍ରଭାତ ଜେନାଙ୍କ ଘର ନିକଟ ନଳକୂପ ଓ ଶେଷ ମୁଣ୍‌ତରେ ଚୈାରାଙ୍ଗୀ ଛକ ନିକଟ ନଳକୂପ ଭଲ ଥିବା ବେଳେ ମଝିରେ ଥିବା ୩ଟି ନଳକୂପ ଅଚଳ ହୋଇପଡିଛି । ୨ ନମ୍ବର ୱାର୍ଡର ପ୍ରଥମ ମୁଣ୍‌ତରୁ ଶେଷ ମୁଣ୍‌ତର ଦୂରତା ୩ କିଲୋମିଟର । ଏହି ୱାର୍ଡର ପ୍ରାୟ ଶହେ ପରିବାର ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ଅଢେଇ କିଲୋମିଟର ଚାଲି ଚାଲି ଯାଇ ମହିଳାମାନେ ପିଇବା ପାଣି ଘରକୁ ଆଣୁଛନ୍ତି ।

ଘର ପାଖରୁ କାଦୁଅ ରାସ୍ତାରେ ନଳକୂପର ଦୂରତା ୨ କିଲୋମିଟରରୁ ଅଧିକ ହୋଇଥିବାରୁ ଚାଲି ଚାଲି ଯାଇ ଧାଡିରେ ଛିଡା ହୋଇ ପାଣି ଆଣି ଫେରିବା ମହିଳାଙ୍କ ପାଇଁ ଯନ୍ତ୍ରଣା ପାଲଟିଛି । ମାଟି ରାସ୍ତାର ବିକଳ୍ପ ଭାବେ ଜଙ୍ଗଲ ଭିତରେ ନଳକୂପ ନିକଟକୁ ଦୂରତା ୧ କିଲୋମିଟରରୁ ସାମାନ୍ୟ ଅଧିକ ଥିବାରୁ କମ୍ ବାଟ ପାଇଁ ମହିଳାମାନେ ଜଙ୍ଗଲ ଭିତରେ ପଶି ନଳକୂପ ନିକଟକୁ ପାଣି ପାଇଁ ଯାଉଛନ୍ତି ଓ ଜଙ୍ଗଲ ଦେଇ ପାଣି ନେଇ ଫେରୁଛନ୍ତି । ହିଂସ୍ର ବାରହା ଓ ବିଷଧର ସାପ ଏହି ମହିଳାଙ୍କ ପାଇଁ ବିପଦର କାରଣ ହୋଇଛନ୍ତି । ଆମିନା ବେୱା, ରୁବୁନ ବିବିଙ୍କ କହିବା କଥା ହେଲା ପାଣି ପାଇଁ ଆମେ ନର୍କ ଯନ୍ତ୍ରଣା ଭୋଗୁଛୁ । ସକାଳ ୬ଟା ରେ ପାଣି ପାଇଁ ଯାଇ ଲାଇନରେ ଛିଡା ହୋଇ ପାଣି ଆଣି ଘରେ ପହଞ୍ଚିବା ବେଳକୁ ଦିନ ୧୧ଟା ହୋଇଯାଉଛି । ଜଙ୍ଗଲ ଭିତରେ ହିଂସ୍ର ଜନ୍ତୁ ଥିବାରୁ ସବୁ ବେଳେ ୪/୫ ଜଣ ମହିଳା ସାଙ୍ଗ ହୋଇ ପାଣି ପାଇଁ ଯିବାକୁ ପଡୁଛି । ନଳକୂପ ଅଚଳ ହେବା ପରେ ନୂଆ ନଳକୂପ ବସାଇବା ପାଇଁ ପ୍ରଶାସନକୁ ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନାହିଁ । ଆମର ଜୀବନ ବଂଚିବା ପାଇଁ ପାଣି ଟୋପେର ବ୍ୟବସ୍ଥା ସରକାର କରନ୍ତୁ ବୋଲି ଇନସାର ଅଲ୍ଲୀ ସାହା, ସେକ୍ କାସୀମୁଦ୍ଦିନ, ଝାଡୁ ଅଲ୍ଲୀ ସାହା, ସେକ୍ ଇସଲାମ, ସେକ ଖଇରୁଲ ପ୍ରମୁଖ ଅନୁରୋଧ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!