ଟ୍ୱିଟର ଗାର୍ଲ୍ ଦୀପା ବରଗଡ଼ର ଏକ ଉଜ୍ଜ୍ୱଳ ତାରକା

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ଝିଅ ଚାରୁବାଲା ବାରିକ, ଡାକ ନାଁ ଦୀପା ବର୍ତ୍ତମାନ ତାଙ୍କୁ ସମସ୍ତେ “ଟ୍ୱିଟର ଗାର୍ଲ” ବୋଲି ଜାଣନ୍ତି। ସାମାଜିକ ଗଣମାଧ୍ୟମ ଟ୍ଵିଟର ବ୍ୟବହାର କରି ସେ ଓଡ଼ିଶାର କୋଣ ଅନୁକୋଣରେ ଥିବା ବିଭିନ୍ନ ସମାଧାନ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି.

ଏହିକ୍ରମରେ ସେ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଅନେକ କାମ କରିଛନ୍ତି ଯେଉଁଥିପାଇଁ ଅଞ୍ଚଳରେ ସୁଖ୍ୟାତି ଅର୍ଜନ କରିଛନ୍ତି.ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏକ ଦାଦନ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା, ଏହି ଅଞ୍ଚଳରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଅନେକ ଶ୍ରମିକ କାମ ଅନ୍ବେଷଣ କରିବା ନିମନ୍ତେ ବିଭିନ୍ନ ଦାଦନ ସର୍ଦ୍ଦାରଙ୍କ ମାଧ୍ୟମରେ ଯାଇଥାନ୍ତି.ସେଠାରେ ଯାଇ ଅଧିକାଂଶ ପ୍ରବାସୀ ଶ୍ରମିକ ଇଟାଭାଟିରେ କାମ କରିଥାନ୍ତି. କିଛି ଲୋକ ଭଲ ମାଲିକ ଠାରେ କାମ କରି ସୁରୁଖୁରୁରେ ଆୟ କରି ଘରକୁ ଫେରୁଥିବା ସ୍ଥଳରେ ଅନେକ ପ୍ରବାସୀ ଶ୍ରମିକ ନିର୍ଯାତନାର ଶିକାର ହେଉଥିବା ପରିଲକ୍ଷିତ ହୋଇଥାଏ. ଏହି ପ୍ରବାସୀ ଶ୍ରମିକ ମାନେ ବାହାର ରାଜ୍ୟକୁ କାମ କରି ଯିବାର ବିଭିନ୍ନ କାରଣ ରହିଛି ଯାହାମଧ୍ୟରୁ ଘରର ଚଳଣି, ବାହାଘର ତଥା ଅନ୍ୟାନ୍ୟ କାମ ପାଇଁ ଗରୀବ ଲୋକମାନଙ୍କୁ ଅଗ୍ରୀମ ଟଙ୍କା ଆବଶ୍ୟକ ଥାଏ ଯାହାକି ଅଲଗା ରାଜ୍ୟର ଇଟାଭାଟି ମାଲିକ ମାନେ ଦେଇ ଓଡ଼ିଶାରୁ ଶ୍ରମିକ ମାନଙ୍କୁ ନେଇ ଯାଇଥାନ୍ତି.କିଛି ଶ୍ରମିକ ଦାଦନ ସର୍ଦ୍ଦାରଙ୍କ ଦ୍ୱାରା ଠକାମିର ଶିକାର ହୋଇ ବିନା ପାରିଶ୍ରମିକରେ କାମ କରିବାକୁ ବାଧ୍ୟ ହୋଇଥାନ୍ତି.

Advertisement
watch Now

ଏହି ସମୟରେ ଶ୍ରମିକମାନେ ବିଭିନ୍ନ ପ୍ରକାରର ନିର୍ଯାତନାର ଶିକାର ହୋଇଥାନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପରିବାରବର୍ଗ ପୋଲିସ ଠାରୁ ଆରମ୍ଭ କରି ଶ୍ରମ ବିଭାଗ ଅଧିକାରୀମାନଙ୍କ ପାଖକୁ ଯାଇ ହତାଶ ହୋଇପଡନ୍ତି.ଏହି ସମୟରେ ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର ପାଇଁ ଦେବଦୂତ ସାଜନ୍ତି ଟ୍ୱିଟର ଗାର୍ଲ ଦୀପା ବାରିକ.ଦୀପାଙ୍କ ଏମିତି କାମର ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଥିରେ ପ୍ରବାସୀ ଶ୍ରମିକ ମାନେ ଅନ୍ୟ ରାଜ୍ୟରୁ ଉଦ୍ଧାର ହୋଇ ଘରକୁ ଫେରିଛନ୍ତି

ଆନ୍ଧ୍ରପ୍ରଦେଶରୁ ଶତାଧିକ ପ୍ରବାସୀ ଶ୍ରମିକ ଉଦ୍ଧାର

ଓଡ଼ିଶାର ୪ ଟି ଜିଲ୍ଲାର ପାଖାପାଖି ୧୦୦ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟ ଅନ୍ତର୍ଗତ ତିରୁପତି ଜିଲ୍ଲାର ଏକ ଇଟାଭାଟିକୁ କାମ କରିଯାଇ ନିର୍ଯାତନାର ଶିକାର ହେଉଥିଲେ ଯାହାଙ୍କୁ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ଉଦ୍ୟମ କ୍ରମେ ଉଦ୍ଧାର କରାଯାଇଥିଲା l ସେମାନଙ୍କୁ ଇଟାଭାଟି ମାଲିକ ଠାରୁ ଉଦ୍ଧାର କରି ପୋଲିସ ସହାୟତାରେ ଟ୍ରେନ ଯୋଗେ ଓଡ଼ିଶା ଫେରିଥିଲେ.ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ପୁଟୁକିଡୁଙ୍ଗୁରୀ ଗ୍ରାମର କିଛି ପ୍ରବାସୀ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ l ତାଙ୍କ ସହ ପଡ଼ୋଶୀ ଜିଲ୍ଲା ନୂଆପଡା ଏବଂ ବଲାଙ୍ଗୀର ର ମଧ୍ୟ କିଛି ଶ୍ରମିକ ଥିଲେ l

ସେଠାରେ ଇତଭାଟି ମାଲିକ କିଛିଦିନ ଭଲଭାବରେ କାମ କରେଇବା ପରେ ଅକଥନୀୟ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ.ସେମାନେ ଜଣେ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ.ଦୀପା ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସଙ୍କୁ ଟ୍ୱିଟର ମାଧ୍ୟମରେ ଯୋଗାଯୋଗ କରିଥିଲେ,ସେମାନେ ତତ୍ପରତା ସହ ତିରୁପତି ପୋଲିସ କୁ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ.ଏହାଛଡ଼ା ଓଡ଼ିଶା ଶ୍ରମ ବିଭାଗ କମିଶନର ଥିରୁମାଲା ନାଏକ ମଧ୍ୟ ତିରୁପତି ପୋଲିସ ଏବଂ ଶ୍ରମ ବିଭାଗ ସହ ଯୋଗାଯୋଗ ସାଧନ କରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜଣେଇଥିଲେ l ଶନିବାର ଦିନ ସ୍ଥାନୀୟ ପୋଲିସ ବିଭାଗ ଏବଂ ଶ୍ରମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ଶ୍ରମିକ ମାନଙ୍କ ଦୁଃଖ ବୁଝିଥିଲେ l ସେମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଇଚ୍ଛା କରିଥିବାରୁ ସ୍ଥାନୀୟ ପୋଲିସ ଉକ୍ତ ଶତାଧିକ ପ୍ରବାସୀ ଶ୍ରମିକଙ୍କ ପାଇଁ ଟିକେଟ ବ୍ୟବସ୍ଥା କରି ଟ୍ରେନ ଯୋଗେ ପଠେଇଛନ୍ତି l ଦୀପାଙ୍କ ଏହି ପ୍ରୟାସକୁ ଶ୍ରମିକ ମାନେ ଉଚ୍ଚ ପ୍ରଶଂସା କରିବା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି

ଉତ୍ତର ପ୍ରଦେଶରୁ ଉଦ୍ଧାର ହେଲେ ପ୍ରବାସୀ ….

ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଖପରିଡିହି ଗ୍ରାମର ଆଠଜଣ ଦାଦନ ଶ୍ରମିକ ଉତ୍ତରପ୍ରଦେଶ ରାଜ୍ୟର ଗୋଣ୍ଡା ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିଲେ. ଦାଦନ ସର୍ଦାର ତାଙ୍କୁ ଅଗ୍ରୀମ ପାଉଣା ନ ଦେଇ ଠକି ଛାଡ଼ି ଚାଲିଆସିଥିଲା, ସେଠାରେ ଶ୍ରମିକ ମାନେ ଦିନରାତି କାମକରି ମଧ୍ୟ ପାଉଣା ପାଇନଥିଲେ ଏବଂ ଅନେକ କାକୁତି ମିନତୀ ପରେମଧ୍ୟ ଇଟାଭାଟି ମାଲିକ ତାଙ୍କୁ ଘରକୁ ଛାଡ଼ୁନଥିଲା.ଓଡ଼ିଶାରେ ଥିବା ତାଙ୍କ ପରିବାରବର୍ଗ କୌଣସି ଉପାୟ ନ ପାଇ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ.ଦୀପା ବାରିକ ଉକ୍ତ ଘଟଣା କୁ ଗମ୍ଭୀର ଭାବେ ନେଇ ଟ୍ୱିଟର ମାଧ୍ୟମରେ ଉତ୍ତରପ୍ରଦେଶ ପୋଲିସକୁ ଯୋଗାଯୋଗ କରିଥିଲେ,ସେଠାକାର ପୋଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରି ସ୍ଥାନୀୟ ପୋଲିସ କୁ ପ୍ରବାସୀ ଶ୍ରମିକ ମାନଙ୍କ ପାଖକୁ ପଠେଇ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ ସେମାନଙ୍କୁ ଓଡ଼ିଶାକୁ ପଠେଇବା ବ୍ୟବସ୍ଥା କରିଥିଲେ ସେମାନେ ବର୍ତ୍ତମାନ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି ,ପହଞ୍ଚି ସରିବା ପରେ ଦୀପାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l

watch now

ତେଲେଙ୍ଗାନାରେ ଅକଥନୀୟ ଅତ୍ୟାଚାର ଭୋଗୁଥିବା ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ, ଲହଣ୍ଡିପୁର ଏବଂ ଘୁଚାପାଲି ଗ୍ରାମର କିଛି ପ୍ରବାସୀ ଶ୍ରମିକ ସୁଦୁର ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଅଞ୍ଚଳରେ ଇଟାଭାଟିରେ କାମ କରୁଥିଲେ ଏବଂ ନିର୍ଯ୍ୟାତନାର ଶିକାର ହେଉଥିବା ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ । ସେଠାରେ ଇଟା ଭାଟି ଶ୍ରମିକମାନଙ୍କୁ ମାଡ଼ ମାରିବା ସହ ଦିନରାତି କାମ କରିବା ପାଇଁ ବାଧ୍ୟ କରୁଥିଲା ବୋଲି ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ପାଇକମାଲ ବ୍ଲକର ଘୁଚାପାଲି, ଲହଣ୍ଡିପୁର ଏବଂ ଟେମରି ଗ୍ରାମର ପ୍ରାୟ ୨୩ ଜଣ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀର ରାଘବପୁର ଅଞ୍ଚଳରେ କାମ କରିବାକୁ ଯାଇଥିଲେ । ଦୀପା ବାରିକ ପ୍ରଥମେ ଟ୍ଵିଟର ମାଧ୍ୟମରେ ତେଲେଙ୍ଗାନା ରାଜ୍ୟ ପୋଲିସ ସହ ଯୋଗାଯୋଗ କରିବା ପରେ ରଚକୋଣ୍ଡା ପୋଲିସ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା । ତାଙ୍କ ନିର୍ଦ୍ଦେଶ ପରେ ପେଦାପଲ୍ଲୀ ପୋଲିସର ଏକ ଦଳ ଇଟାଭାଟିକୁ ଯାଇଥିଲେ । ଇତି ମଧ୍ୟରେ ପୋଲିସକୁ ଖବର ଦେଇଛୁ ବୋଲି ଟେମରି ଗ୍ରାମର ପ୍ରବାସୀ ଶ୍ରମିକ ନିରନ ବାଗଙ୍କୁ ଇଟାଭାଟି ମାଲିକ ଜଙ୍ଗଲକୁ ନେଇ ଅକଥନୀୟ ଅତ୍ୟାଚାର କରିବା ସହ ଲୁହାଛଡ଼ରେ ନିର୍ଧୁମ ମାଡ଼ ଦେଇଥିଲେ ।

ପେଦାପଲ୍ଲୀ ପୋଲିସ ପରେ ଘଟଣା ସ୍ଥଳରେ ପହଞ୍ଚି ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଓଡ଼ିଶାରୁ ଦାଦନ ଶ୍ରମିକ ନେଇ ଯାଇଥିବା ଦୁଇଟି ବୋଲେରୋ ମାଧ୍ୟମରେ ଓଡ଼ିଶାକୁ ପଠେଇବା ପାଇଁ ବ୍ୟବସ୍ଥା କରିଥିଲେ କିନ୍ତୁ ରାତି ଅଧରେ ସେହି ବୋଲେରୋ ଦ୍ୱୟ ପ୍ରବାସୀ ଶ୍ରମିକମାନଙ୍କୁ ପେଦାପଲ୍ଲୀ ରେଳ ଷ୍ଟେସନରେ ଛାଡ଼ି ଦେଇଥିଲେ । ଶୁକ୍ରବାର ସକାଳୁ ପୁଣି ଦୀପା ବାରିକ ତେଲେଙ୍ଗାନା ପୋଲିସକୁ ଯୋଗାଯୋଗ କରିବା ପରେ ଟ୍ରେନ ମାଧ୍ୟମରେ ଓଡ଼ିଶା ପଠେଇବା ବ୍ୟବସ୍ଥା କରିଛନ୍ତି । ଫେରୁଥିବା ଶ୍ରମିକମାନେ ହେଲେ ପାଇକମାଲ ବ୍ଲକ ଘୁଚାପଲି ଗ୍ରାମର ଉମା ଲୁହାର, ହରି ଲୁହାର, ନିର୍ମଳ ଲୁହାର, ନିରନ ବାଗ (ଟେମରି), ଆରତୀ ବାଗ, ସୁଦାମ ମହାନନ୍ଦ, ଭାଗ୍ୟ ମହାନନ୍ଦ ଲହଣ୍ଡିପୁର, ବିଣା ମହାମନ୍ଦ, ରାଗିଣୀ ମହାନନ୍ଦ ଏବଂ ସମ୍ରାଟ ମହାନନ୍ଦ ଘରକୁ ଫେରିଲେ । ୩୧ ତାରିଖ ସକାଳେ ଟ୍ରେନ ଯୋଗେ ଟେମରି ଗାଁକୁ ପହଞ୍ଚିଥିଲେ ନିରନ ବାଗ ଏବଂ ଅନ୍ୟ ୬ ଜଣ ଦୀପା ତାଙ୍କ ଘରକୁ ଯାଇ ଦେଖିବା ପରେ ନିରନର ଦେହସାରା ପ୍ରବଳ ମାଡ଼ ହୋଇଥିବା ଯୋଗୁଁ ଅତି କଷ୍ଟ ପାଉଥିବା ଅନୁଭବ କଲେ । ଦୀପା ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକି ପାଇକମାଲ ଡାକ୍ତରଖାନାକୁ ନେଇଥିଲେ ଏବଂ ଚିକିତ୍ସା କରେଇ ଔଷଧ କିଣିବା ପାଇଁ ସହାୟତା କରିଥିଲେ । ଏହା ସହ ପୋଲିସକୁ ମଧ୍ୟ ଯୋଗାଯୋଗ କରିଥିଲେ । ଜଣେ ସାଧାରଣ ମହିଳା ହୋଇ ଦୀପାଙ୍କ ଏହି ଅସାଧାରଣ କାମକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ଏବଂ ଇଟାଭାଟି ମାଲିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବୀ କରିଛନ୍ତି ।

ମାଡ଼ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କଲେ ଝାରବନ୍ଧ ବ୍ଲକର ଯୁବକ : ଅନ୍ୟମାନଙ୍କୁ ସାହସିକତା ସହ ଉଦ୍ଧାର କଲେ ଦୀପା

ତେଲେଙ୍ଗାନା ରାଜ୍ୟରେ ପ୍ରବାସୀ ଓଡିଆମାନଙ୍କୁ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ପେଦାପଲ୍ଲୀ ଅଞ୍ଚଳରେ.ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ଜଣେ ପ୍ରବାସୀ ଶ୍ରମିକଙ୍କୁ ଇଟାଭାଟି ମାଲିକଙ୍କ ଦ୍ୱାରା ଅତ୍ୟଧିକ ମାଡ଼ ମରାଯିବା ଯୋଗୁଁ ଟ୍ରାନ୍ସଫର୍ମର ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜାହଯୋଗୁଁ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି l ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବିଲାସପୁର ଅଞ୍ଚଳର କିଛି ପ୍ରବାସୀ ଶ୍ରମିକ ଗତବର୍ଷ ସେପ୍ଟେମ୍ବର ମାସରେ ତେଲେଙ୍ଗାନା ରାଜ୍ୟ ପେଦାପଲ୍ଲୀ ଜିଲ୍ଲା ହନୁମାନପେଟ ଅଂଚଳରେ କାମ କରିବାକୁ ଯାଇଥିଲେ l

ପ୍ରଥମେ ସେମାନେ ଦାଦନ ସର୍ଦ୍ଦାରଙ୍କ ମାଧ୍ୟମରେ ଇଟାଭାଟି ମାଲିକଙ୍କ ଠାରୁ ଜଣପିଛା ୪୦ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଟଙ୍କା ନେଇ ତେଲେଙ୍ଗାନା ପ୍ରଥମଥର ପାଇଁ ଯାଇଥିଲେ, କିଛି ଦିନ ଭଲଭାବରେ କାମ କରିବା ପରେ ନିର୍ଯାତନା ଆରମ୍ଭ ହେଇଯାଇଥିଲା l ଶ୍ରମିକଙ୍କ କହିବା ଅନୁଯାୟୀ ଦୈନିକ କେବଳ ୪ ଘଣ୍ଟା ବିଶ୍ରାମ ଦେବା ସହ ଅନବରତ କାମ କରିବା ପାଇଁ ଭାଟି ମାଲିକ ବାଧ୍ୟ କରିଆସୁଥିଲା.ବିଭିନ୍ନ ରୋଗ ହେଲେମଧ୍ୟ ଶ୍ରମିକଙ୍କ ପାଇଁ କୌଣସି ପ୍ରକାର ସହାୟତା କରିନାହାନ୍ତି ଇଟାଭାଟି ମାଲିକ l ଏହି ସବୁ ନିର୍ଯାତନାର ଶିକାର ହେବା ପରେ ଝାରବନ୍ଧ ଥାନାରେ ତାଙ୍କ ପରିବାର ଲୋକେ ଗତ ୪ ତାରିଖରେ ଅଭିଯୋଗ କରିଥିଲେ, ସେମାନେ କୌଣସି ପ୍ରକାର ସହାୟତା ଯୋଗାଇ ନ ଥିବାରୁ ବାଧ୍ୟ ହୋଇ ପାଇକମାଲ ଅଂଚଳର ସାମାଜିକ କର୍ମୀ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ l

ଦୀପା ସେମାନଙ୍କ ଦୁଃଖ ଶୁଣିବା ପରେ ଘଟଣାକୁ ନିଜେ ବୁଝିଥିଲେ.ସେ ବରଗଡ଼ ଆରକ୍ଷୀ ଅଧିକ୍ଷକ ତଥା ଝାରବନ୍ଧ ପୋଲିସକୁ ଯୋଗାଯୋଗ କରିଥିଲେ କିନ୍ତୁ ତାଙ୍କ ତରଫରୁ କୌଣସି ସାହାଯ୍ୟ ପାଇନଥିବା କହିଛନ୍ତି l ଜଣେ ପ୍ରବାସୀ ଶ୍ରମିକଙ୍କୁ ଅତ୍ୟଧିକ ମାଡ଼ ମରାଯିବା ଯୋଗୁଁ ଟ୍ରାନ୍ସଫର୍ମର ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରିଥିଲେ ଜାହଯୋଗୁଁ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି l ଏହାପରେ ଦୀପା ତେଲେଙ୍ଗାନା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେଠାରୁ ସ୍ଥାନୀୟ ପେଦାପଲ୍ଲୀ ପୋଲିସ ଥାନାକୁ ନିର୍ଦେଶ ଗଲା ପରେ ୨୧ ତାରିଖ ରାତି ୧୧ ଟା ସମୟରେ ଏକ ଦଳ ଯାଇ ସେମାନଙ୍କ ଦୁଃଖ ବୁଝିଥିଲେ ଏବଂ ରାତାରାତି ଶ୍ରମିକଙ୍କ ପାଇଁ ଓଡ଼ିଶା ଫେରିବାର ବ୍ୟବସ୍ଥା କରିଥିଲେ. ଖବର ଲେଖାଯିବା ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକ ମାନେ ପେଦାପଲ୍ଲୀ ରେଳ ଷ୍ଟେସନରୁ ବସି ଓଡିଶା ଅଭିମୁଖେ ଯାତ୍ରା କରୁଛନ୍ତି l ଆହତ ବ୍ୟକ୍ତି ଜଣକ ବର୍ତ୍ତମାନ ତେଲେଙ୍ଗାନା ରାଜ୍ୟର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି. ଦୀପାଙ୍କ ଏହି ସାହାସିକତା ପୂର୍ଣ୍ଣ କାର୍ଯ୍ୟ ଯୋଗୁଁ କ୍ରୁର ଇଟାଭାଟି ମାଲିକଙ୍କ ଠାରୁ ମିଳୁଥିବା ନିର୍ଯାତନାରୁ ମୁକ୍ତ ହେଇଛନ୍ତି ଉକ୍ତ ପ୍ରବାସୀ ଶ୍ରମିକମାନେ ତେଣୁ ତାଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ଝାରବନ୍ଧ ଅଂଚଲବାସୀ

ଦୀପାଙ୍କ ପ୍ରୟାସରେ ୭୪ ହଜାର ଟଙ୍କା ଫେରିପାଇଥିଲେ ଦାଦନ ଶ୍ରମିକ

ବରଗଡ଼ ଜିଲ୍ଲା ବରପାଲି ବ୍ଲକ କାଇଂସିର ଗ୍ରାମର ସାଗର ରଣା ଏବଂ ତାଙ୍କ ପରିବାର ସୁଦୂର ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ନନ୍ଦୋର ଗ୍ରାମର ଏକ ଇଟା ଭାଟିରେ କାମ କରିବା ପାଇଁ ଯାଇଥିଲେ । ସେଠାରେ ଦିର୍ଘ ୬ ମାସ କାମ କଲାପରେ କେବଳ ୧୦ ହଜାର ଟଙ୍କା ପାଉଣା ଦେଇ ଅବଶିଷ୍ଟ ଟଙ୍କା କୁ ପରେ ଦେବା ପାଇଁ କହି ଇଟାଭାଟି ମାଲିକ ସାଗର ଏବଂ ତାଙ୍କ ପରିବାରକୁ ତାଙ୍କ ଘର କାଇଁସିରକୁ ପଠେଇ ଦେଇଥିଲେ । ଏମିତି ଅନେକ ଦିନ ବିତିଯାଇଥିଲେ ମଧ୍ୟ ସାଗରଙ୍କୁ ତାଙ୍କ ଟଙ୍କା ମିଳୁନଥିବା ଯୋଗୁଁ ବହୁତ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ । ଅନ୍ୟ ପକ୍ଷରେ ଆଗରୁ ଆଣିଥିବା ଧାର କରଜ ଯୋଗୁଁ ସାହୁକାରମାନେ ଉକ୍ତ ପରିବାରକୁ ଅକଥନୀୟ ଅତ୍ୟାଚାର କରୁଥିଲେ । ଏହି ବିଷୟ ଜାଣିବା ପରେ ତାଙ୍କ ଗ୍ରାମର ଜଣେ ସ୍ୱେଚ୍ଛାସେବୀ ପୂର୍ଣାନନ୍ଦ ପାତ୍ର ସାଗରଙ୍କୁ ସହାୟତା ପାଇଁ ଚେଷ୍ଟା କରିଥିଲେ । ସେ ବରପାଲି ପୋଲିସ ଥାନାରେ ଏକ ଏତାଲା ଦେବାପାଇଁ ସାଗରକୁ କହିଥିଲେ କିନ୍ତୁ ଯେହେତୁ ଏହା ଶ୍ରମ ବିଭାଗର କାର୍ଯ୍ୟ ସେଠାରେ ଏତାଲା ରଖାଗଲା ନାହିଁ । ପରେ ସାମାଜିକ ଗଣମାଧ୍ୟମ ଜରିଆରେ ହଜାର ହଜାର ଲୋକଙ୍କୁ ସହାୟତା କରୁଥିବା ପାଇକମାଲ ଅଂଚଳର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ କୌଣସି ମତେ ଯୋଗାଯୋଗ କରିଥିଲେ ।

ସେ ଉକ୍ତ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରି ସହାୟତା ପାଇଁ ଆଗେଇ ଆସିଥିଲେ, ସାଗରଙ୍କୁ ଠାରୁ ତଥ୍ୟ ସଂଗ୍ରହ କଲାପରେ ଓଡ଼ିଶା ସରକାର ଶ୍ରମ ବିଭାଗ, ତେଲେଙ୍ଗାନା ସରକାର ତଥା ତେଲେଙ୍ଗାନା ପୋଲିସକୁ ମଙ୍ଗଳବାର ସକାଳେ ଯୋଗାଯୋଗ କରିଥିଲେ ।ତେଲେଙ୍ଗାନା ପୋଲିସ ଉକ୍ତ ଘଟଣାକୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଏକ ପୋଲିସ ଦଳ ଉକ୍ତ ଇଟାଭାଟି ମାଲିକଙ୍କ ଘରକୁ ଯାଇ ତନାଘନା କଲାପରେ ଘଟଣା ଟି ସତ୍ୟ ବୋଲି ଜାଣିଥିଲେ ଏବଂ ଇଟାଭାଟି ମଳିକକୁ ତୁରନ୍ତ ବକେୟା ୭୪ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ. ଏହାପରେ ଉକ୍ତ ଇଟାଭାଟି ମାଲିକ ଅନ୍ଲାଇନ ମାଧ୍ୟମରେ ଅପରାହ୍ନ ୨.୧୨ ସମୟରେ ଟ୍ରାନ୍ସଫର କରିଥିଲେ । ଦୀପାଙ୍କ ଏହି ଉଦ୍ୟମ ପାଇଁ ଆଜି ଏକ ଅସହାୟ ପରିବାର ମୁହଁରେ ହସ ଫୁଟିପାରିଥିବାରୁ ସାଗରଙ୍କ ପରିବାର ତଥା ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *