ବଜାରରୁ ଆଳୁ ଗାଏବ, କଳାବଜାରୀଙ୍କ ପାର୍ଦୁଭାବ

ଭୁବନେଶ୍ବର -: ଗତ ପ୍ରାୟ ଏକ ସପ୍ତାହ ହେଲା ବାତ୍ୟା ‘ଅସାନି’ ବାବଦରେ ପାଣିପାଗ ବିଭାଗ ଲୋକଙ୍କୁ ସୂଚନା ଦେଇଆସୁଛି। ଓଡ଼ିଶାକୁ ବାତ୍ୟା ଭୟ ନାହିଁ ବୋଲି ଗଣମାଧ୍ୟମରେ ଘନଘନ ପ୍ରଚାର ବି ହେଉଛି। ଜୋର୍‌ରେ ପବନ ବହିବ ନାହିଁ, କେବଳ ବର୍ଷା ଲାଗି ରହିବ ବୋଲି ବାରମ୍ବାର କୁହାଯାଇଛି। ତଥାପି ଏତେ ସଚେତନତାମୂଳକ ପ୍ରଚାର ଲୋକଙ୍କ ଉପରେ କିଛି ପ୍ରଭାବ ପକାଇନାହିଁ। ବର୍ଷା ଓ ବାତ୍ୟା ଆଶଙ୍କାରେ ମଙ୍ଗଳବାର ସକାଳୁ ବଜାରରେ ଗ୍ରାହକମାନେ ମାତ୍ରାଧିକ ଆଳୁ ଓ ପିଆଜ କିଣି ପକାଇଛନ୍ତି।

Advertisement

ଫଳରେ ଆଜି ସକାଳେ ହଠାତ୍ ଖୁଚୁରା ବଜାରରେ ଆଳୁ ଦର ୨୮ ଟଙ୍କା ଟପିଯାଇଥିଲା। ଏବେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ପ୍ରଚୁର ଆଳୁ ଆମଦାନି ହେଉଥିବା ବେଳେ ପାଇକାରୀ ବଜାରରେ ଆବଶ୍ୟକ ଅନୁସାରେ ମହଜୁଦ୍ ଥିଲେ ବି ଖାଉଟିମାନଙ୍କ ବିକଳପଣିଆରୁ ହଠାତ୍ ଏଭଳି ସ୍ଥିତି ଉପୁଜିଥିଲା। ସୂଚନା ଅନୁଯାୟୀ ଭୁବନେଶ୍ବର ବଜାରକୁ ପ୍ରତିଦିନ ୩୦୦ରୁ ଅଧିକ ଟନ୍‌ ଆଳୁ ଆସିଥାଏ। ଏବେ ବି ଆମଦାନିରେ କିଛି ପ୍ରଭାବ ପଡ଼ିନାହିଁ। ସ୍ବାଭାବିକ ରହିଛି। ପୂର୍ବରୁ କେବଳ ପଶ୍ଚିମବଙ୍ଗ ଆଳୁ ଉପରେ ରାଜଧାନୀ ବଜାର ନିର୍ଭର କରୁଥିଲା। ଏବେ କିଛି ଦିନ ହେଲା ଉତ୍ତରପ୍ରଦେଶ ନୈନିତାଲ୍‌ରୁ ଯଥେଷ୍ଟ ଆଳୁ ଆସୁଛି। ତେଣୁ ଆଳୁ ଦର ବଢ଼ିବାର କିଛି କାରଣ ନାହିଁ। ଗତ ସପ୍ତାହରେ ପାଇକାରୀ ଦର ଥିଲା କ୍ବିଣ୍ଟାଲ ପିଛା ୧୯ ଶହରୁ ୧୯୫୦ ଟଙ୍କା। ତେଣୁ ଖୁଚୁରା ବଜାରରେ ଦର ଥିଲା କିଲୋ ପିଛା ୨୨ରୁ ୨୫ ଟଙ୍କା।

ଏପ୍ରିଲ୍‌ ମାସ ହିସାବକୁ ଦେଖିଲେ ଆଳୁର ପାଇକାରୀ ଦର ଥିଲା କ୍ବିଣ୍ଟାଲ ପିଛା ୧୪ ଶହରୁ ୧୫ଶହ। ତେଣୁ ଖୁଚୁରା ବଜାରରେ କିଲୋ ପିଛା ୨୦ ଟଙ୍କାରେ ଆଳୁ ବିକ୍ରି ହେଉଥିଲା। ତେବେ ପଶ୍ଚିମବଙ୍ଗରୁ ଆଳୁ ଆମଦାନି କିଛିଟା କମିବାରୁ ଓ ପରିବହନ ଖର୍ଚ୍ଚ ବଢ଼ିଯିବାରୁ ଗତ ସପ୍ତାହରେ ଆଳୁ ଦର ସାମାନ୍ୟ ବୃଦ୍ଧି ପାଇଛି। ଫଳରେ ପାଇକାରୀ ବଜାରରେ କିଲୋ ପିଛା ପ୍ରାୟ ୪ ଟଙ୍କା ବଢ଼ିଛି ଓ ଖୁଚୁରା ବଜାର‌ରେ ବି ସମାନୁପାତରେ ବଢ଼ିଛି। କିନ୍ତୁ ଆଜି ହଠାତ୍ ଖୁଚୁରା ବଜାରରେ ଆଳୁ କିଲୋ ୨୮ ଟଙ୍କା ହୋଇଗଲା। କିଛି କାରଣ ନଥାଇ ଦର ୪ ଟଙ୍କା ବଢ଼ିଗଲା। ବଜାର ବିଶେଷଜ୍ଞମାନଙ୍କ କହିବା କଥା ଖାଉଟିମାନେ ଆବଶ୍ୟକତାରୁ ଅଧିକ କିଣିଲେ, ଏମିତି ପରିସ୍ଥିତି ହୁଏ। କାରଣ ଖୁଚୁରା ବଜାରରେ କୃତ୍ରିମ ଅଭାବ ସୃଷ୍ଟି ହୁଏ। ତେବେ ହୋଲ୍‌ସେଲ୍‌ ବ୍ୟବସାୟୀ ଶକ୍ତି ମିଶ୍ର କହିଛନ୍ତି ଯେ ଭୁବନେଶ୍ବର ବଜାରକୁ ଏବେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆଳୁ ଆସୁଛି, ତେଣୁ ଯେକୌଣସି ସ୍ଥିତିରେ ମଧ୍ୟ ଆଳୁ ସଙ୍କଟ ରହିବ ନାହିଁ। ତେଣୁ ଖାଉଟିମାନେ ବିକଳିଆ ହୋଇ କିଣିବା ଦରକାର ନାହିଁ।

Advertisement

Leave a Reply

Your email address will not be published. Required fields are marked *