ଅବ୍ୟବସ୍ଥା ମଧ୍ୟରେ ରାଉରକେଲା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ)

ରାଉରକେଲା -: ସଫ୍ଟୱେୟାର ଡେଭଲପମେଣ୍ଟ ପାଇଁ ରାଉରକେଲା ସହରରେ ଆରମ୍ଭ ହୋଇଥିଲା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ)। ଏହାର ଲକ୍ଷ୍ୟ ଥିଲା, ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଚାହୁଥିବା ଯୁବ ଉଦ୍ୟୋଗୀମାନଙ୍କୁ ନୂଆ ଆପ୍ ତିଆରି କରିବାଲାଗି ଆନୁସଙ୍ଗିକ ସୁବିଧା ଯୋଗାଇଦେବା ସହିତ ସଫ୍ଟୱେର୍‌ ଡେଭେଲପ୍‌ମେଣ୍ଟ୍ କରିବା ଦିଗରେ କମ୍ପାନିଗୁଡ଼ିକୁ ଉତ୍ସାହ ପ୍ରଦାନ କରାଯିବା। ରାଉରକେଲାରେ ଥିବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍‌ନଲୋଜି ବା ଏନ୍‌ଆଇଟି ଓ ଆଖପାଖର ଶିଳ୍ପାଞ୍ଚଳକୁ ନଜରରେ ରଖି ଏହା ସ୍ଥାପନ କରା ଯାଇଥିଲା।

Advertisement

କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥାପିତ ଏହି ଅନୁଷ୍ଠାନଟି ଅକାମି ହୋଇପଡ଼ିଛି। ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ ବା ସହାୟତା କରିବାଲାଗି ସର୍ବନିମ୍ନ ସୁବିଧା ମଧ୍ୟ ଏଠାରେ ନାହିଁ। ଏପରିକି ଏହି କାମ ପାଇଁ ଆବଶ୍ୟକ ହେଉଥିବା ଇଣ୍ଟରନେଟ୍‌ ବ୍ୟବସ୍ଥା ମଧ୍ୟ ନାହିଁ! ଫଳରେ ରାଜ୍ୟ ସରକାରଙ୍କ ସଂସ୍ଥା ଓକାକ୍ ମଧ୍ୟ ଏହାକୁ ଛାଡ଼ି ପଳାଇଛି। ଅନ୍ୟ ସଂସ୍ଥାଗୁଡ଼ିକର କାମ ମଧ୍ୟ ପ୍ରାୟତଃ ବନ୍ଦ ହେବାକୁ ବସିଲାଣି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୩ ମସିହାରେ ରାଉରକେଲା ସ୍ଥିତ ସେକ୍ଟର-୫ ଠାରେ ଆରମ୍ଭ ହୋଇଥିଲା ଏସ୍‌ଟିପିଆଇ। ଆରମ୍ଭ ହେବା ସମୟରେ ପ୍ରାୟ ୧୦ ଟି ସଫ୍ଟୱେର କମ୍ପାନି ଏଠାରେ କାମ କରୁଥିଲେ। ସେଥିମଧ୍ୟରେ ରାଜ୍ୟ ସରକାରଙ୍କ ଓକାକ୍ ମଧ୍ୟ ଥିଲା। ସଫ୍ଟୱ‌େର ଡେଭେଲପ୍‌ମେଣ୍ଟ ସହିତ ଇଂଜିନିୟରିଂ ଛାତ୍ରଛାତ୍ରୀ ଆସି ମଧ୍ୟ ଏଠାରେ ପାଠ ପଢ଼ୁଥିଲେ।

Rourkela | Software Technology Park of India | Ministry of Electronics &  Information Technology Government of India

ରାଉରକେଲା ଏନ୍‌ଆଇଟିର ଅନେକ ଛାତ୍ରଛାତ୍ରୀ ଏଠାକୁ ଆସି ନୂଆ ଷ୍ଟାର୍ଟଅପ୍ ବାବଦରେ ଗବେଷଣା କରୁଥିଲେ। କିନ୍ତୁ କ୍ରମେ ସେ ଗହଳଗହଳ କମି ଆସିଲା। କରୋନା ମହାମାରୀ ପରଠାରୁ ଏଠାରେ ଥିବା ଓକାକ୍ କାର୍ଯ୍ୟାଳୟର ଗେଟ୍‌ରେ ତାଲା ଝୁଲୁଛି। ଅନ୍ୟ ୮ ଟି କମ୍ପାନୀ ଏଠାରେ ରହିଥିବା ବେଳେ ସାଧାରଣ ବ୍ୟବସ୍ଥା ଓ ସୁବିଧା ମଧ୍ୟ ଉପଲବ୍ଧ ନଥିବାରୁ ଠିକ୍‌‌ରେ କାମ କରି ପାରୁନାହାନ୍ତି ଓ ସୁଯୋଗ ପାଇବାମାତ୍ରେ ପଳାଇବାକୁ ଯୋଜନା କରୁଛନ୍ତି। ଫଳରେ ବହୁ ସୁନ୍ଦର ସ୍ବପ୍ନକୁ ନେଇ ଆରମ୍ଭ ହୋଇଥିବା ଅନୁଷ୍ଠାନଟି ନିକଟ ଭବିଷ୍ୟତରେ ମୃତ୍ୟୁବରଣ କରିବା ଜଳଜଳ ଦେଖାଯାଉଛି।

ଏନେଇ ରାଉରକେଲା ଏସ୍‌ଟିପିଆଇର ଜଣେ ଅଧିକାରୀ ଆଲୋକ ସାମଲ ଆମ ପ୍ରତିନିଧିଙ୍କୁ କହିଛନ୍ତି, ଏହି ଯୋଜନାର ବ୍ୟବସ୍ଥା ଥିଲା ଯେଉଁ ସଫ୍ଟୱେର ଡେଭେଲପମେଣ୍ଟ କମ୍ପାନି ଏଠାକୁ ଆସିବେ, ସେମାନଙ୍କ ପାଇଁ ଅନ୍ୟ ବୈଷୟିକ ସୁବିଧା ସହିତ ଉନ୍ନତମାନର ଘର, ଇଣ୍ଟର୍‌ନେଟ୍ ସେବା ଓ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଆଦି ଯୋଗାଇ ଦିଆଯିବ। କିନ୍ତୁ ଏଠାରେ ବର୍ତ୍ତମାନ କୌଣସି ବ୍ୟବସ୍ଥା ଠିକ୍ ରୂପେ କରାଯାଉନାହିଁ। ଏପରିକି ହାଇ ସ୍ପିଡ୍ ଇଣ୍ଟର୍‌ନେଟ୍ ଆବଶ୍ୟକ ହେଉଥିବାବେଳେ ଅନେକ ସମୟରେ ନେଟ୍ ସେବା ମୂଳରୁ ବନ୍ଦ ହୋଇଯାଉଛି। ନୂଆ କମ୍ପାନି ପାଇଁ ଘରର ବ୍ୟବସ୍ଥା ନାହିଁ। ତେଣୁ ଅନେକ କମ୍ପାନି ଏଠାକୁ ଯୋଜନା ନେଇ ଆସୁଥିଲେ ହେଁ ଏଠାକାର ସ୍ଥିତି ଦେଖି ଫେରି ଯାଉଛନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!