ଘରୋଇ ସ୍କୁଲକୁ ନା, ୫୯ଟି ଆବେଦନକୁ ନାକଚ କଲା ଜିଲ୍ଲାସ୍ତରୀୟ କମିଟି

ଭୁବନେଶ୍ବର -: ୨୦୨୩-୨୪ ଶିକ୍ଷାବର୍ଷରେ ଭୁବନେଶ୍ବରରେ ନୂତନ ଘରୋଇ ସ୍କୁଲ ଖୋଲିବାକୁ ଆଗ୍ରହ ପ୍ରକାଶ କରିଥିବା ସଂସ୍ଥାଙ୍କୁ ବଡ଼ ଝଟ୍‌କା। କୌଣସି ଗୋଟିଏ ବି ବିଦ୍ୟାଳୟକୁ ଅନୁମତି ନ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ସ୍ତରରେ ଗଠିତ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରିଛି। କମିଟି ରିପୋର୍ଟ ପରେ ବି ଯଦି ରାଜ୍ୟ ସରକାର ଅନୁମତି ପ୍ରଦାନ କରନ୍ତି ତେବେ ଏହାଦ୍ବାରା ନିକଟସ୍ଥ ସରକାରୀ ବିଦ୍ୟାଳୟଗୁଡ଼ିକ ବହୁ ପରିମାଣରେ ପ୍ରଭାବିତ ହେବ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ କରିବା ସହ ସରକାରୀ ସ୍କୁଲଗୁଡ଼ିକ ବନ୍ଦ ହେବାର ଆଶଙ୍କା ରହିଛି। ତେଣୁ ଭୁବନେଶ୍ବରର ୩୧ଟି ବିଦ୍ୟାଳୟ ସମେତ ଖୋର୍ଧା ଜିଲ୍ଲାରେ ନୂତନ ଭାବେ ସ୍କୁଲ ଖୋଲିବାକୁ ଆସିଥିବା ୫୯ଟି ଆବେଦନକୁ ନାକଚ କରିବାକୁ କମିଟି ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ସୁପାରିସ୍‌ କରାଯାଇଥିଲା।

Advertisement

ମାତ୍ର ପରବର୍ତ୍ତୀ ସମୟରେ ସେଥିମଧ୍ୟରୁ ଭୁବନେଶ୍ବରର ଦୁଇଟି ଘରୋଇ ସ୍କୁଲକୁ ସର୍ତ୍ତମୂଳକ ଅନୁମତି ମିଳିଥିବା ଜଣାପଡ଼ିଛି। ୨୦୨୩-୨୪ ଶିକ୍ଷାବର୍ଷରେ ନୂତନ ଘରୋଇ ବିଦ୍ୟାଳୟ ଖୋଲିବାକୁ ମିଳିବ ଅନୁମତି ଲାଗି ଆଗ୍ରହୀ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାଙ୍କଠାରୁ ଗତ ଜାନୁଆରି ମାସରେ ଆବେଦନପତ୍ର ଗ୍ରହଣ କରାଯାଇଥିଲା। କେବଳ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ହେବ ବୋଲି ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା। ମାର୍ଚ୍ଚ ୧୫ ସୁଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନେ ଆବେଦନର ଯାଞ୍ଚ କରି ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ନିକଟରେ ରିପୋର୍ଟ ଦାଖଲ କରିବେ। ଅନୁଧ୍ୟାନ ପରେ ନିର୍ଦେଶାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଥିଲା। ସେହି ଅନୁଯାୟୀ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନୂତନ ଘରୋଇ ବିଦ୍ୟାଳୟ ଖୋଲିବା ଲାଗି ଆସିଥିବା ଆବେଦନ ପତ୍ରଗୁଡ଼ିକ ଉପରେ ଯାଞ୍ଚ କରିଥିଲା। ଜିଲ୍ଲାର ୮ ଜଣ ଯାକ ବ୍ଲକ ଶିକ୍ଷା ଅଧିକାରୀ ତୃଣମୂଳସ୍ତରରେ ଅନୁଧ୍ୟାନ କରି ସେମାନଙ୍କ ରିପୋର୍ଟ ‌ଦାଖଲ କରିବା ପରେ କମିଟି ଏହା ଉପରେ ଅଧିକ ଅନୁଧ୍ୟାନ କରିଥିଲା।

ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଖୋର୍ଧା ଡିଇଓଙ୍କ ରିପୋର୍ଟ
ଘରୋଇ ଖୋଲିଲେ, ସରକାରୀ ସ୍କୁଲ ପ୍ରଭାବିତ ହେବ
ଭୁବନେଶ୍ବରର ଦୁଇ ସ୍କୁଲକୁ ସର୍ତମୂଳକ ଅନୁମତି

ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଯେଉଁ ଅଞ୍ଚଳରେ ନୂତନ ଘରୋଇ ସ୍କୁଲ ଖୋଲିବା ଲାଗି ଆବେଦନ କରାଯାଇଛି ସେଠାରେ ଅନୁମତି ଦେବା ସମ୍ଭବପର ନୁହେଁ। କୌଣସି ଗୋଟିଏ ବି ସ୍କୁଲ ଗଣଶିକ୍ଷା ବିଭାଗର ୨୦୧୭ ଫେବ୍ରୁଆରି ୨୧ ବିଜ୍ଞପ୍ତି ଅନୁଯାୟୀ ନିୟମ ପୂରଣ କରିବା‌ରେ ସଫଳ ହୋଇନାହାନ୍ତି। ଯଦି ଅନୁମତି ଦିଆଯାଏ ତେବେ ଯାଞ୍ଚ ରିପୋର୍ଟର ୧୧ ନମ୍ବରରେ ଥିବା ନିୟମ ଅନୁଯାୟୀ ସମ୍ପୃକ୍ତ ଘରୋଇ ସ୍କୁଲ ଦ୍ବାରା ନିକଟରେ ଥିବା ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପ୍ରଭାବିତ ହେବ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବହୁ ପରିମାଣରେ କମିବ। ତେଣୁ ଆଉ ଘରୋଇ ସ୍କୁଲ ଖୋଲିବାକୁ ଅନୁମତି ଦିଆ ନ ଯାଉ।

ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ନିଷ୍ପତ୍ତିକୁ ବଳବତ୍ତର ରଖିବାକୁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଅନୁରୋଧ କରାଯାଇଛି।ଖୋର୍ଧା ଜିଲ୍ଲାରେ ୫୯ଟି ନୂତନ ସ୍କୁଲ ଲାଗି ଆବେଦନପତ୍ର ଆସିଥିଲା। ସେଥିମଧ୍ୟରୁ ଭୁବନେଶ୍ବର ବ୍ଲକ ଓ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ସର୍ବାଧିକ ୩୧ଟି ଆବେଦନପତ୍ର ରହିଥିବ‌େ ବେଳେ ଖୋର୍ଧା ବ୍ଲକ ଓ ମ୍ୟୁସିନିସିପାଲଟି ଏବଂ ଜଟଣୀ ବ୍ଲକ ଓ ମ୍ୟୁନିସିପାଲଟିରେ ୮ଟି ଲେଖାଏ, ବାଲିପାଟଣା ବ୍ଲକରେ ୪ଟି, ବେଗୁନିଆ ଓ ବାଲିଅନ୍ତା ବ୍ଲକରେ ୩ଟି ଲେଖାଏ, ବାଣପୁର ଓ ଟାଙ୍ଗୀରେ ଗୋଟିଏ ଲେଖାଏ ସ୍କୁଲ ଖୋଲିବାକୁ ଆବେଦନ ହୋଇଥିଲା। ଭୁବନେଶ୍ବରର ୩୧ଟି ମଧ୍ୟରୁ ଅର୍ଧାଧିକ ସ୍କୁଲ ନିଜର ବ୍ରାଞ୍ଚ ଖୋଲିବାକୁ ଆବେଦନ କରିଛନ୍ତି। କିଛି ନାମଲେଖା ସ୍କୁଲର ଏକାଧିକ ବ୍ରାଞ୍ଚ ସ୍କୁଲ ରହିଥିଲେ ମଧ୍ୟ ଆହୁରି ସ୍କୁଲ ଖୋଲିବାକୁ ଆବେଦନ କରିଥିବା ‌ଜଣାପଡ଼ିଛି। ସ୍କୁଲ ଖୋଲିବାକୁ ଅନୁମତି ମିଳି ନ ଥିଲେ ମଧ୍ୟ କେତେକ ବିଦ୍ୟାଳୟ ଇତି ମଧ୍ୟରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ନାମଲେଖା ଆରମ୍ଭ କରି ଦେଇଛନ୍ତି। କେଉଁ ଆଧାରରେ ସେମାନେ ଛାତ୍ରଛାତ୍ରୀଙ୍କ ନାମ ଲେଖାଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି।

Advertisement

Leave a Reply

Your email address will not be published. Required fields are marked *