କୁନି ଝିଅ ପୂଜା ଖୋଜୁଛି ନୂଆ ଦୁନିଆ, ଆଖି ଅପରେସନ ପାଇଁ ଦରକାର ୮ଲକ୍ଷ : ଆପଣ ସହଯୋଗ ଦେଲେ ପୂଜା ଦେଖିବ ନୂଆ ଦୁନିଆ

ଭୁବନେଶ୍ୱର -: ନିଜ ଜୀବନର ଅନ୍ଧକାରକୁ ଗ୍ରହଣ କରି ନେଇଥିଲେ ଅଶୋକ ଓ ସୁମିତ୍ରା । ଝିଅ ପୂଜା ଜନ୍ମ ହେବା ପରେ ପୁଣି ଆଲୁଅର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । ଝିଅର ଭବିଷ୍ୟତ ଗଢ଼ିବା ପାଇଁ ରେଳବାଇରେ ଠିକା କର୍ମଚାରୀ ଭାବରେ କଠିନ ପରିଶ୍ରମ କରୁଥିଲେ ଅଶୋକ । କିନ୍ତୁ ୨୦୨୦ ଲକ୍‌‌ଡାଉନ ତାଙ୍କ ସଂସାରକୁ ଯେମିତି ଖିନ୍‌‌ଭିନ କରିଦେଲା । ଅଶୋକ ଜୀବିକା ହରାଇବା ସହିତ ୩ ବର୍ଷୀୟା କୁନିଝିଅ ପୂଜାର ଦୃଷ୍ଟିଶକ୍ତି ହରାଇବା ଆଶଙ୍କା ସୃଷ୍ଟି ହୋଇଛି । କର୍କଟ ରୋଗ ଯୋଗୁଁ ଗତ ବର୍ଷ ନଭେମ୍ବର ମାସରେ ପୂଜାର ଗୋଟିଏ ଆଖି ଅସ୍ତ୍ରୋପଚାର ହୋଇ ଡୋଳା ବାହାର କରି ଦିଆଯାଇଥିଲା । ଅନ୍ୟ ଆଖିର ଦୃଷ୍ଟିଶକ୍ତି ବଞ୍ଚାଇବା ପାଇଁ ଆଉ ଏକ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା କହୁଛନ୍ତି ଡାକ୍ତର । ଏଥିପାଇଁ ୫ରୁ ୮ ଲକ୍ଷ ଟଙ୍କା ଖର୍ଚ ନେଇ ଆକଳନ କରାଯାଇଛି ।

Advertisement

ହେଲେ ଏତେଗୁଡ଼ିଏ ଟଙ୍କା ଯୋଗାଡ଼ କରିବା ଅଶୋକଙ୍କ ପକ୍ଷେ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି । ଝିଅର ଦୃଷ୍ଟିଶକ୍ତି ବଞ୍ଚାଇବା ଲାଗି ସେ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କ ସହାୟତା ଲୋଡ଼ିଛନ୍ତି । ରାଜଧାନୀର ଭରତପୁରରେ ରୁହନ୍ତି ଦୃଷ୍ଟିହୀନ ଦମ୍ପତି ଅଶୋକ ଏବଂ ସୁମିତ୍ରା । ୨୦୨୦ ମସିହା ଲକ୍‌‌ଡାଉନରେ ଚାକିରି ଚାଲି ଯିବା ପରେ ବସଷ୍ଟାଣ୍ଡରେ ଫେରିରେ ବହି ବିକ୍ରି କରି ଜୀବିକା ନିର୍ବାହ କରୁଛନ୍ତି । ଚାକିରି ଚାଲିଯିବା ନେଇ ଅଶୋକ ଦୁଃଖିତ ନାହାନ୍ତି କୁନି ଝିଅର ଦୃଷ୍ଟିଶକ୍ତି କେମିତି ଫେରି ଆସିବ ସେ ନେଇ ତାଙ୍କ ନିଦ ହଜି ଯାଇଛି । ଅଶୋକ କହନ୍ତି, ୨୦୨୦ ମସିହା ପୂଜାକୁ ମାତ୍ର ୬ ମାସ ହୋଇଥାଏ, ତା ମୁଣ୍ଡ ମାଡ଼ ହୋଇ ଆଖି ଲାଲ ହୋଇଗଲା । ତୁରନ୍ତ ସେ କ୍ୟାପିଟାଲ ହସ୍ପିଟାଲରେ ଦେଖାଇଲେ ।

ତୃତୀୟ ଥର ଅସ୍ତ୍ରୋପଚାର ଅପେକ୍ଷାରେ ପୂଜା
ସହାୟତା ପାଇଁ ଦୃଷ୍ଟିହୀନ ଦମ୍ପତିଙ୍କ ନିବେଦନ

ମାତ୍ର ଡାକ୍ତର କିଛି ହୋଇ ନାହିଁ କହି ଡ୍ରପ୍‌‌ ଲେଖିଦେଲେ । ଏହା ସତ୍ତ୍ୱେ ପୂଜାର ଅବସ୍ଥାରେ ସୁଧାର ନହେବାରୁ ୭ ଦିନ ପରେ ପୁଣି ଡାକ୍ତରଙ୍କୁ ଦେଖାଇଲେ । ଡାକ୍ତର ସେହି ଡ୍ରପ୍‌‌ ପକାଇବାକୁ କହିଲେ । ପୂଜାର ଅବସ୍ଥାରେ ସୁଧାର ନହେବାରୁ ୨୦୨୧ ମସିହାରେ ଏଲଭି ପ୍ରସାଦରେ ଦେଖାଇବା ପରେ ବିଭିନ୍ନ ପ୍ରକାର ପରୀକ୍ଷା-ନିରୀକ୍ଷାରୁ ଆଖିର ବାମପଟ ଡୋଳାର ପଛପଟେ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା । ଏଥିପାଇଁ ତୁରନ୍ତ ଏକ ଅସ୍ତ୍ରୋପଚାର କରାଯାଇଥିଲା । ମାତ୍ର ଅସ୍ତ୍ରୋପଚାର ବିଫଳ ହେବାରୁ କେମୋ ଚିକିତ୍ସା କରାଯାଇଥିଲା । ସମୁଦାୟ ୧୨ଟି କେମୋ ପୂଜାଙ୍କୁ ଦିଆଯିବା ପରେ ବି ସେ ସୁସ୍ଥ ହେଲେନାହିଁ ।

ତେଣୁ ନଭେମ୍ବରରେ ଦ୍ୱିତୀୟ ଅସ୍ତ୍ରୋପଚାର କରାଯାଇ ବାମ ପାର୍ଶ୍ୱ ଆଖିର ଡୋଳା ବାହାର କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଡାହାଣ ଆଖି ବଞ୍ଚାଇବା ପାଇଁ ବଡ଼ ଧରଣର ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିପାଇଁ ୬ ଲକ୍ଷ ଟଙ୍କା ଆବଶ୍ୟକ । ପୂର୍ବରୁ ଝିଅର ଚିକିତ୍ସା ଏବଂ ଅସ୍ତ୍ରୋପଚାର ପାଇଁ ପାଖରେ ଯାହା ଥିଲା ବିକି ସାରିଛନ୍ତି । ଏଣେ ଟଙ୍କା ଯୋଗାଡ଼ ନହେଲେ ୩ ବର୍ଷର କୁନି ପୂଜା ବାପା, ମାଙ୍କ ଭଳି ଦୃଷ୍ଟିହୀନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏଥିପାଇଁ ସରକାର ଏବଂ ଜନସାଧାରଣ ସହଯୋଗ ଲାଗି ଅଶୋକ ଏବଂ ସୁମିତ୍ରା ଅନୁରୋଧ କରିଛନ୍ତି । ଆକାଉଣ୍ଟ ନମ୍ବର ୭୫୧୨୦୨୧୨୦୦୦୦୬୬୯ରେ ସହଯୋଗ କରିବାକୁ ଅଶୋକ ଅନୁରୋଧ କରିଛନ୍ତି । ଏହାଛଡ଼ା ଫୋନ ନମ୍ବର ୮୪୫୬୦୭୯୬୦୬ରେ ଯୋଗାଯୋଗ କରିବା ଲାଗି ଅଶୋକ ନିବେଦନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!