ଉପାସରେ ଠାକୁର : ୪୪,୫୦୦ ଏକର ଜମି ଜବର ଦଖଲରେ,ପ୍ରଶାସନ ପାଇଁ କଣ୍ଟା ସାଜିଛି ଏହି ୩ମହଲା କୋଠା

ମୟୂରଭଞ୍ଜ/ବାରିପଦା -: ମୟୂରଭଞ୍ଜ ଜିଲ୍ଲାରେ ବହୁ ପୁରାତନ ମଠମନ୍ଦିର ନାଁରେ ରହିଛି ବିପୁଳ ପରିମାଣର ଭୂସମ୍ପତ୍ତି । ହେଲେ ଉପାସରେ ରହୁଛନ୍ତି ଠାକୁର । ଅର୍ଥ ଅଭାବରୁ ନୀତିକାନ୍ତି ବି ଠିକ୍‌‌ ଭାବେ ହୋଇପାରୁନି । ସାରା ଜିଲ୍ଲାରେ ଠାକୁରଙ୍କର ପାଖାପାଖି ୪୪ ହଜାର ୫୦୦ ଏକର ଜମି ଜବରଦଖଲରେ ଅଛି । ମଝିରେ ମଝିରେ ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ଚେଇଁ ଉଠୁଛି । ଉଚ୍ଛେଦ ପାଇଁ ମାଜିଷ୍ଟ୍ରେଟ୍ ଓ ପୁଲିସ ପ୍ରସ୍ତୁତ ହେଉଥିବା ବେଳେ ପୁଣି ଏହାକୁ ରୋକି ଦିଆଯାଉଛି ।

Advertisement

ଠାକୁର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପଛଘୁଞ୍ଚା ଦେବା ପଛ‌ରେ ରାଜନୈତିକ ଚାପ ଥିବା ଚର୍ଚ୍ଚା ହେଉଛି । ଏ ସଂପର୍କରେ ଆଉ ଏକ ତଥ୍ୟ ସାମ୍‌‌ନାକୁ ଆସିଛି । ବାରିପଦାରେ ଦେବୋତ୍ତର ଜମି ଉପ‌ରେ ଠିଆ ହୋଇଛି ୩ ମହଲା ପୁଲିସ କ୍ୱାର୍ଟର୍ସ । ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇ ଏହି କୋ‌ଠା ନିର୍ମାଣ ହୋଇଥିବାରୁ ପ୍ରଶାସନ ଏହାକୁ ଭାଙ୍ଗିବାକୁ ଚାହୁଁନାହିଁ । ଏହି କୋଠା ଭଙ୍ଗାଗଲେ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ପାଖରେ ଉତ୍ତରଦାୟୀ ହେବାକୁ ପଡ଼ିବ । ତେଣୁ ପ୍ରଶାସନ ଉଚ୍ଛେଦ ବାଟରେ ନିଜେ କଣ୍ଟା ସାଜିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ; ବାରିପଦା ଅମ୍ବିକା ମନ୍ଦିରଠାରୁ ମାତ୍ର ୩ ଶହ ମିଟର ଦୂରରେ ଏହି ପୁଲିସ କ୍ୱାର୍ଟର୍ସ ତିଆରି ହୋଇଛି । ତେବେ ଦେବୋତ୍ତର ଜମିରେ ଏହି କୋଠା ନିର୍ମାଣ ପାଇଁ କିଏ ପ୍ରସ୍ତାବ ଦେଇଥିଲା ଓ ଏଥିପାଇଁ କାହାର ଅନୁମତି ନିଆଯାଇଥିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ଦେବୋତ୍ତର ବିଭାଗ ପକ୍ଷରୁ ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌‌ ବି ହୋଇଛି । ତଥାପି ଏ ମାମଲାରେ ସମସ୍ତେ ନିରୁତ୍ତର । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ମତାମତ ଲୋଡ଼ା ଯାଇଥିଲେ ବି ସେ ଫୋନ୍‌‌ ଗ୍ରହଣ କରିନଥିଲେ । ପ୍ରଶାସନର ତଥାକଥିତ ଏହି ବେଆଇନ କାର୍ଯ୍ୟ ଜବରଦଖଲକାରୀଙ୍କୁ ପ୍ରୋତ୍ସାହିତ କରୁଛି ।

ଫଳରେ ଠାକୁରଙ୍କ ଜମି ଦଖଲକୁ ନେଇ କିଏ ଘର କରି ରହୁଛି, ତ ଆଉ କିଏ ‌ହୋଟେଲ, ଦୋକାନ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ କରି ‌ମୋଟା ଅଙ୍କର ଅର୍ଥ ରୋଜଗାର କରୁଛି । ଏପଟେ ଠାକୁରଙ୍କ ଜମିରେ ଝାଟିମାଟି ଘର କରି ରହୁଥିବା ଗରିବ ଲୋକଙ୍କୁ ଉଠିଯିବା ପାଇଁ ଜୁଲମ୍ କରୁଛି ପ୍ରଶାସନ । ମେ ୧୮ ତାରିଖରେ ବେତନଟୀ, ରାସଗୋବିନ୍ଦପୁର, ମୋରଡ଼ା ଓ ବାରିପଦା ବ୍ଲକ୍‌‌ ଅନ୍ତର୍ଗତ ୨୧ଟି ସ୍ଥାନରୁ ଠାକୁର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍ ହୋଇଥିଲା । ହେଲେ ହଠାତ୍‌‌ କ’ଣ ‌ହେଲା କେଜାଣି, ଶେଷ ମୁହୂର୍ତ୍ତରେ ଉଚ୍ଛେଦ ପ୍ରକ୍ରିୟାକୁ ୭ ଦିନ ଯାଏ ଘୁଞ୍ଚାଇ ଦେଇଛନ୍ତି ଜିଲ୍ଲାପାଳ । ଏଥିରେ ଅସନ୍ତୋଷ ବ୍ୟକ୍ତ କରି ସେବାୟତମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ । ତେବେ ଆସନ୍ତା ୨୪ ତାରିଖ ସୁଦ୍ଧା ଜବରଦଖଲକାରୀ ନିଜେ ଜାଗା ଖାଲି ନକଲେ ୨୫ ତାରିଖରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ପ୍ରଶାସନର ଏହି ମହଲତ ଯୋଗୁଁ ଅନେକ ଏହାମଧ୍ୟରେ କୋର୍ଟରୁ ରହିତାଦେଶ ଆଣି ସାରିଲେଣି । ତେଣୁ ପ୍ରଶାସନ ନିଜ ଦୋଷ ଢାଙ୍କିବା ପାଇଁ ସେମାନଙ୍କୁ ସମୟ ଦେଇଥିଲା ବୋଲି ଯେଉଁ ଅଭିଯୋଗ ହୋଇଛି, ସେଥିରେ ସତ୍ୟତା ଥିବା ବୁଦ୍ଧିଜୀବୀମାନେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!